ମୀରା ଓ ରୀତା ଦୁଇ ସାଙ୍ଗ। ଉଭୟଙ୍କ ବାପା ମା ସରକାରୀ ଚାକିରିଆ। ସହରରେ ଘରଭଡ଼ା ନେଇ ଉଭୟଙ୍କ ପରିବାର ରହନ୍ତି। ପିଲାମାନଙ୍କ ପାଠପଢ଼ା ସହ ଆଜିକାଲିର ଦରଦାମ ବୃଦ୍ଧି ସେମାନଙ୍କ ପରିବାରକୁ ଭାରି ବାଧୁଥିଲା। ମାସର ଶେଷ ସପ୍ତାହରେ ପରିବାର ଚଳେଇବା ଯେମିତି ଲୁହାଧାରରେ ଚାଲିବା ସହ ସମାନ ଥିଲା। ଏକଥା ସେମାନେ ନିଜ ନିଜ ବୋଉଙ୍କଠୁ ଶୁଣିଥିଲେ।
ସେଥିରେ ପର୍ବପର୍ବାଣି ଆସିଗଲେ ପିଲାଛୁଆଙ୍କ ନଖରାମି ତହୁଁ ବଳି ଯାଉଥିଲା। ଦିନେ ମୀରା ଓ ରୀତା, ମୀରା ବୋଉସହ ବଜାର ସଉଦା କରିବାକୁ ଗଲେ। ପରିବା ଦର ଆକାଶଛୁଆଁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଦୋକାନୀମାନଙ୍କୁ ଏହାର କାରଣ ପଚାରନ୍ତେ ଜଣେ ଦୋକାନୀ ଭାଇ କହିଲେ - ଏଇ ପର୍ବପର୍ବାଣି ଆମ ପାଇଁ ବିଶେଷ ସୁଯୋଗ ଆଣିଥାଏ। ଏଇ ସମୟରେ ଆମେ ଚଢ଼ା ଦରରେ ବିକ୍ରି କରିଥାଉ। ଦି ପଇସା ଅଧିକ ଲାଭ ପାଇଥାଉ। ଦୋକାନୀର ଉତ୍ତରରେ ସେମାନେ ସନ୍ତୁଷ୍ଟ ନଥିଲେ।
ସେମାନେ ସେଇକଥା ବିଦ୍ୟାଳୟରେ ଶିକ୍ଷକଙ୍କୁ ପଚାରନ୍ତେ ଶିକ୍ଷକ କହିଲେ ବିନା କାରଣରେ ଦରଦାମ ବୃଦ୍ଧି କରିବା, ବଜାରରେ ଜିନିଷ ସବୁ ଥାଇ ସେସବୁ ଖାଉଟିମାନଙ୍କୁ ନ ଦେଇ କୃତ୍ରିମ ଅଭାବ ସୃଷ୍ଟି କରିବାକୁ କଳାବଜାରି କୁହାଯାଏ। ଏହିଭଳି କଳାବଜାରି କରି ବାଣିଜ୍ୟପୁରର ମାନସ ନାମକ ଜଣେ ଦୋକାନୀକୁ ଗତମାସରେ ଜୋରିମାନା ଦେବାକୁ ପଡ଼ିଛି। ଏଥିପାଇଁ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।
ମୀରା ପଚାରିଲା - ସାର୍ ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ଏହାର କ’ଣ କିଛି ସମାଧାନ ନାହିଁ। ଏହା ଉପରେ ବିଦ୍ୟାଳୟରେ ଅନେକ ବିଚାର ବିମର୍ଶ ପରେ ସେମାନଙ୍କ ସ୍କୁଲର ସ୍କାଉଟ୍ ପିଲାମାନେ ‘କୁନାକୁନି ଦୋକାନ’ ନାମରେ ବଜାରରେ ଉଠା ଦୋକାନ ଖୋଲିବେ ,ଯାହା କେବଳ ଦୁର୍ଗାପୂଜା ସମୟରେ ଲୋକଙ୍କୁ ଉପଯୁକ୍ତ ଦାମରେ ପରିବାପତ୍ର ଯୋଗେଇ ଦେବେ ବୋଲି ନିଷ୍ପତ୍ତି ନେଲେ। ଏହା ସ୍କାଉଟ୍ ପିଲାଙ୍କ ପାଇଁ ଏକ ସାମାଜିକ ଗବେଷଣା ଥିଲା । ଏଥିସହ ସେହି ଦିନଗୁଡ଼ିକରେ ଥାନା ଅଧିକାରୀ ସମ୍ପୃକ୍ତ ଦୋକାନଗୁଡ଼ିକ ଉପରେ ତର୍କିତ ଚଢ଼ାଉ ଜାରି ରଖିବେ। ଯୋଜନା ଅନୁସାରେ କୁନାକୁନି ଦୋକାନର ସଉଦା ପତ୍ର ଖୁଚୁରା ଦର ଅନୁସାରେ କମ ଲାଭ ରଖି ବିକ୍ରି ହେବାରୁ ଏଇସବୁ କୁନି ଦୋକାନରେ ବହୁତ ବିକ୍ରି ହେଲା। ଥାନାବାବୁଙ୍କ ଅଚାନକ ଚଢାଉ ଯୋଗୁଁ କଳାବଜାରି କରୁଥିବା ଦୋକାନୀ ଓ ଉଠା ଦୋକାନୀମାନେ ଦଣ୍ଡିତ ହେଲେ। ମୀରା ଓ ରୀତାଙ୍କ ସହ ବିଦ୍ୟାଳୟର ସ୍କାଉଟ୍ ପିଲାଙ୍କ ଏପରି ଗବେଷଣାକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କଲେ ।
ନବମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ