ଖୋଲା ଝରକା: ଡଲ୍‌ସ ଆଇଲ୍ୟାଣ୍ଡ୍‌

ବିଶ୍ବରେ ଏମିତି ବହୁତ ସ୍ଥାନ ଅଛି ଯାହା ଭୟାନକ ହେବା ସହିତ ରୋଚକ ମଧ୍ୟ। ସେଥିମଧ୍ୟରୁ ମେକ୍ସିକୋର ଜୋଚିମିକୋର କେନାଲ ମଧ୍ୟରେ ଏମିତି ଏକ ଦ୍ବୀପ ଅଛି ଯାହା ଖୁବ୍‌ ଭୟାନକ। ସେଠାରେ ଗଛମାନଙ୍କରେ ଶହ ଶହ କଣ୍ଢେଇ ଝୁଲି ରହିଥିବାର ଦେଖାଯାଏ। ଲୋକମାନେ ଦିନରେ ବି ଆସିବାକୁ ଭୟ କରିଥାଆନ୍ତି। ଏହି ଛୋଟ ଦ୍ବୀପଟି ଇସଲା ଦେ ଲାସ୍‌ ମୁନେକାସ୍‌ ଭାବରେ ଜଣାଶୁଣା। ଗଛରେ ଝୁଲି ରହିଥିବା କଣ୍ଢେଇଗୁଡ଼ିକ ଦେଖିବାକୁ ଖୁବ୍‌ ଭୟଙ୍କର। କାହାର ମୁଣ୍ଡ ନାହିଁ ତ କାହାର ଗୋଡ଼।

କାହାର ଆଖି ଫୁଟିଯାଇଛି ତ କାହାର ମୁଣ୍ଡ ବୁଲି ଯାଇଥିବାର ଦେଖିବାକୁ ମିଳେ। ଏପରି ଭୟାନକ ପରିବେଶ ସୃଷ୍ଟି ପଛରେ ଏକ କାହାଣୀ ରହିଛି। ସେଣ୍ଟାନା ବରେରା ନାମକ ଜଣେ ବ୍ୟକ୍ତି ଏକାକୀ ଜୀବନ ବିତାଇବା ପାଇଁ ଏହି ଦ୍ବୀପକୁ ଆସିଥିଲେ। ସେଠାରେ ସେ ଥିବାବେଳେ ଏକ ପରିବାର ମିଶି ‌ବୁଲିବାକୁ ଯାଇଥିଲେ। ସେଣ୍ଟାନାଙ୍କ ଆଖି ଅ‌ାଗରେ ସେହି ପରିବାରର ଝିଅଟି ପାଣିରେ ବୁଡ଼ି ଯାଉଥିବା ଦେଖି ତା’କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଝିଅଟି ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲା। ଏହାପରେ ଝିଅଟି ଆତ୍ମା ହୋଇ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିଲା। ଏହାର ପ୍ରତିକାର ପାଇଁ ତାଙ୍କୁ ଗଛରେ ବହୁତଗୁଡ଼େ କଣ୍ଢେଇ ଝୁଲେଇବାକୁ କୁହାଯାଇଥିଲା। ଏହାପରେ ସେ ୧୫୦୦ କଣ୍ଢେଇ ଆଣି ଗଛଗୁଡ଼ିକରେ ଝୁଲାଇଥିଲେ। ତାଙ୍କ ମୃତ୍ୟୁ ପରେ ଯିଏ ବି ସେଠାକୁ ବୁଲିବାକୁ ଯାଆନ୍ତି ସମସ୍ତେ କଣ୍ଢେଇ ଝୁଲେଇ ଆସିଥାଆନ୍ତି। ୧୯୮୭ ମସିହାରେ ୟୁନେସ୍କୋ ପକ୍ଷରୁ ଏହି ଦ୍ବୀପକୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ଦିଯାଇଛି।

କଥା-ଫରୁଆ: ‘ମେଣ୍ଡା ଧୋଉ ଧୋଉ ନିର୍ବାଳ’

ଏ କଥାଟି ମନରେ ହସ ଉଦ୍ରେକ କରେ ହେଲେ ଏହାର ଗୂଢ଼ ଅର୍ଥ ମନକୁ ଛୁଏଁ ଓ ଗୋଟିଏ ଉପଦେଶ ଭଳି ମନ ଭିତରେ ଲିପିବଦ୍ଧ ହୋଇ ରହିଯାଏ। ଆମେ ସାଧାରଣଭାବରେ କୌଣସି କାର୍ଯ୍ୟ କଲାବେଳେ ତାହା ଯେପରି ତ୍ରୁଟିହୀନ ରହେ ସେ ଲାଗି ବିଶେଷ ଧ୍ୟାନ ଦେଉ। ତାହା ଛବି ଅଙ୍କା ହେଉ ବା କୌଣସି ରଚନା ଲେଖା ହେଉ ବା ଅନ୍ୟ କୌଣସି କାର୍ଯ୍ୟ ହେଉ। ଏ କଥା ସତ୍ୟ ଯେ କୌଣସି କାମ ସହଜରେ ତ୍ରୁଟିଶୂନ୍ୟ ହୋଇନଥାଏ। ତେଣୁ ତାହାକୁ ସଜାଡ଼ିବାକୁ ପଡ଼େ। ପ୍ରତ୍ୟେକ କର୍ମର ସଂଶୋଧନ ଏକ ଅବଧାରିତ ଅଂଶ। ଏଇଭଳି ଏକ କଥାକୁ ମେଣ୍ଢା ଧୋଇବା ସହ ଯୋଡ଼ାଯାଇଛି। ମେଣ୍ଢା ଦେହ ଗହଳ ବାଳରେ ଭର୍ତ୍ତି ଓ ସେଥିରେ ଆମ ଜଳବାୟୁ ଅନୁସାରେ ସହଜରେ ମଇଳା ବା ମାଟିକାଦୁଅ ଲାଗିଯାଏ। ତେଣୁ ତାକୁ ଧୋଇ ପରିଷ୍କାର କରିବାକୁ ପଡ଼େ। ମାତ୍ର ମେଣ୍ଡାବାଳର ମଇଳା ସଫା ହେବା ସହଜ ନୁହେଁ। ସଫା କରୁ କରୁ ବାଳଯାକ ଉପୁଡ଼ିଯାଏ। ତେଣୁ କୌଣସି ବିଷୟ ବା କାର୍ଯ୍ୟର ଦୋଷ ସଂଶୋଧନ କରୁ କରୁ ଯଦି ସେ କାର୍ଯ୍ୟ ବା ବିଷୟଟି ମୂଳରୁ ନଷ୍ଟ ହୋଇଯାଏ, ସେ କ୍ଷେତ୍ରରେ କୁହାଯାଏ- ‘‘ମେଣ୍ଡା ଧୋଉ ଧୋଉ ନିର୍ବାଳ’’।

ଶବ୍ଦତୋଡ଼ା: ନବଦୁର୍ଗା

Twitter

ଆଗକୁ ଦୁର୍ଗାପୂଜା ଆସୁଛି। ସାରା ଓଡ଼ିଶାରେ ଏ ପର୍ବଟି ବେଶ୍‌ ଜାକଜମକରେ ପାଳିତ ହୁଏ। ଏ ଅବସରକୁ କୁହାଯାଏ ଦଶହରା। ଏଇ ସମୟରେ ଯେଉଁ ଛୁଟିମିଳେ ତା’ର ନାମ ଦଶହରା ଛୁଟି। ଅନେକ ବ୍ୟକ୍ତି ଯେଉଁମାନେ ସହରରେ ରହନ୍ତି, ଦଶହରା ଛୁଟିବେଳେ ଗାଆଁକୁ ଯାଇ ଛୁଟିପାଳନ କରିବାକୁ ପସନ୍ଦ କରନ୍ତି। ଦୁର୍ଗା ମାଆଙ୍କର ମାଟିମୂର୍ତ୍ତି ଗଢ଼ି, ମେଢ଼ ସଜେଇ ଏ ସମୟରେ ନଅଦିନିଆ ପର୍ବ ପାଳନ କରାଯାଏ। ତେବେ ଗୋଟେ ନିଆରା କଥା ହେଉଛି ଯେଉଁ ଦୁର୍ଗାଙ୍କୁ ଆମେ ପୂଜାକରୁ ସେ ଅସଲରେ ମୌଳିକ ଭାବେ ନଅଗୋଟି ରୂପରେ ପ୍ରତିଭାତ ହୁଅନ୍ତି। ଏମିତିରେ ଦୁର୍ଗାଠାକୁରାଣୀଙ୍କର ସହସ୍ର ନାମ। ସେଥିପାଇଁ ଦୁର୍ଗାସହସ୍ରନାମ ସ୍ତୋତ୍ର ରହିଛି। କିଏ କହେ ତ୍ରିନେତ୍ରା ତ କିଏ କହେ ଚାରୁହାସିନୀ। ଚଣ୍ଡିକା, କାଳିକା, ଭୀମରୂପା ଏମିତି ସହସ୍ର ନାମ। ମାତ୍ର ଯେଉଁ ନଅଗୋଟି ନାମରେ ମାଆ ଦୁର୍ଗା ନାମିତ ହୋଇଛନ୍ତି, ସେ ସବୁ ହେଲା- ପାର୍ବତୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡୀ, ସ୍ମନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦା। ଏ ସବୁ ରୂପ ପୁରାଣବର୍ଣ୍ଣିତ।

ସମ୍ବନ୍ଧିତ ଖବର