ତୁମ କାହାଣୀ: ଗଛର ଦାଢ଼ି

ସୁଲୋଚନା ସାହୁ

ସେଦିନ କୁନି ତାଙ୍କ ଘର ବଗିଚାକୁ ଯାଇଥାଏ। ନିମ୍ବ ଗଛରେ କିଛି ନୂଆ ପ୍ରକାର ଜିନିଷଟିଏ ଦେଖାଗଲା। ସେମିତି ଆଗରୁ କେବେ ସେ ଦେଖି ନ ଥାଏ। ତାହା କ’ଣ ଜାଣିବା ପାଇଁ ସେ ତା’ ଜେଜେଙ୍କ ପାଖକୁ ଧାଇଁଲା। ଜେଜେ ଫୁଲଗଛ ମୂଳରେ ବସି ଶୁଖିଲା ପତ୍ର ଛିଣ୍ଡାଉଥିଲେ। କୁନି ତାଙ୍କ ପାଖକୁ ଯାଇ କହିଲା, ‘ଜେଜେ ଦେଖିବ ଆସ ଆମ ବଗିଚାରେ ଥିବା ନିମ୍ବ ଗଛରେ କେତେ ବଡ଼ ଦାଢ଼ି ହୋଇଛି।’

କୁନି କଥା ଶୁଣି ଜେଜେ କହିଲେ, ‘ଗଛରେ କୋଉଠୁ ଦାଢ଼ି ନିଶ ହେବାର ମଁୁ ଦେଖିନାହିଁ। ତୁ ବୋଧେ ଭୁଲ ଦେଖିଛୁ। ହଉ ଚାଲ ଦେଖିବା। ଦୁହେଁ ନିମ୍ବ ଗଛ ପାଖକୁ ଯାଇ ଦେଖିଲେ ଆଉ ଜେଜେ କହିଲେ ସେଇଟା ଗଛର ଦାଢ଼ି ନୁହଁରେ ମା, ସେଇଟା ହେଉଛି ମହୁମାଛିଙ୍କର ଘର। ତା’ ଭିତରେ ‌ବହୁତ ମିଠା ମହୁ ରହିଛି।

ନା’ ଜେଜେ ତୁମେ ମିଛ କହୁଛ ତାହା ବାପାଙ୍କ ଦାଢ଼ି ଭଳି ତ ହୋଇଛି। ସେତିକିବେଳେ ତା’ ବାପା ବାହାରୁ ଫେରିଲେ। କୁନି ତାଙ୍କୁ ଦେଖିବା ମାତ୍ରେ ପଚାରିଲା, ‘ଆଚ୍ଛା ବାପା, ଗଛରେ ଥିବା ଦାଢ଼ି ଜେଜେଙ୍କ ଦାଢ଼ି ଭଳି ଧଳା ହୋଇଯିବନି ତ? କୁନିର ବାପା ଝିଅ ପ୍ରଶ୍ନର କି ଉତ୍ତର ଦେବେ କିଛି ବୁଝିପାରୁ ନଥାନ୍ତି।

ଜେଜେ ତା’କୁ ବାହାରେ ବୁଲେଇ ବୁଝାଇବାକୁ ଲା‌ଗିଲେ। କୁନି, ଗଛରେ ଏ ଦାଢ଼ି କେମିତି ହେଲା ମଁୁ ତୋତେ କହୁଛି ଶୁଣ। ମହୁମାଛି ପାଟିରୁ ମହମ ପରି ଏକପ୍ରକାର ତରଳ ପଦାର୍ଥ ବାହାରେ। ପ୍ରଥମେ ସେଇ ତରଳ ପଦାର୍ଥ ଦ୍ବାରା ସେମାନେ ତାଙ୍କ ଘର ବା ଫେଣା ତିଆରି କରନ୍ତି। ତା’ପରେ ଫୁଲରୁ ମହୁ ଶୋଷି ଆଣି ସେଇ ଘର ଭିତରେ ଜମା କରନ୍ତି। ତୋ’ କାନରେ ଯେମିତି ବିନ୍ଧ ଅଛି ଠିକ ସେଇପରି ୮୦୦୦୦ରୁ ୧ଲକ୍ଷ ଯାଏ କୋଠରି ତିଆରି କରିଥାନ୍ତି। ଆଉ ସେଇ ସବୁ କୋଠରି ଭିତରେ ଲକ୍ଷ ଲକ୍ଷ ମହୁମାଛି ରହିଥାନ୍ତି। ସେଇଥିପାଇଁ ତାହା ଗଛ ଡାଳରେ ଝୁଲି ରହି ଗଛର ଦାଢ଼ି ଭଳି ଦେଖାଯାଏ। ଏଥର ବୁଝିଲୁ ତ ସେଇଟା ଗଛର ଦାଢ଼ି ନୁହେଁ ମହୁମାଝିର ଘର। ଜେଜେଙ୍କ ପାଖରୁ ମହୁମାଛି ବିଷୟରେ ଶୁଣି କୁନି ସବୁ ବୁଝିପାରିଲା।
ଝାରପଡ଼ା, ଭୁବନେଶ୍ବର

ସମ୍ବନ୍ଧିତ ଖବର