ତୁମ କାହାଣୀ – ମିନିର ଧନୁଯାତ୍ରା ଦେଖା

ଲୀନା ଦାଶ

ମିନି ଛଅ ସାତ ବର୍ଷର ଗୁଲୁଗୁଲିଆ ଝିଅଟିଏ। ଏଇ ବର୍ଷ ସ୍କୁଲ୍‌ ଯିବା ଆରମ୍ଭ କରିଛି। ପାଠପଢ଼ା ସାଙ୍ଗରେ ନାଚ ଗୀତ ସବୁ ଦିଗରେ ତା’ର ଆଗ୍ରହ। ଥରେ ବରଗଡ଼ ଧନୁଯାତ୍ରାରେ ନାଚିବା ପାଇଁ ତା’ ସ୍କୁଲ୍‌ର ପିଲାମାନଙ୍କୁ ଡାକରା ଆସିଲା। ସେ ନାଚ ଗ୍ରୁପ୍ ଭିତରେ ମିନି ବି ସାମିଲ୍‌ ଥିଲା। ବରଗଡ଼ ଧନୁଯାତ୍ରାରେ ପ୍ରତି ଦିନ ସଂଧ୍ୟାରେ ମହାରାଜ କଂସଙ୍କ ଦରବାରରେ ନାଚ ଗୀତର ଆସର ଜମେ।

କଂସ ଦରବାରରେ ପହଞ୍ଚି ମିନି ବହୁତ ଖୁସି ହୋଇଗଲା। ଏତେ ବଢ଼ିଆ ସାଜସଜ୍ଜା! ରାଜା ମନ୍ତ୍ରୀଙ୍କ ପୋଷାକରେ ଦରବାରରେ ସମସ୍ତେ ବସିଥି‌ଲେ। ଗୋଟିଏ ପରେ ଗୋଟିଏ ନାଚ ଗୀତ ଚାଲିଥାଏ। ମିନି ଓ ତା’ର ଗ୍ରୁପ୍‌ର ନାଆଁ ଡକାହେଲା। ସେମାନେ ଖୁବ୍‌ ଭଲ ନାଚ କଲେ। ଏତେ ଛୋଟ ଛୋଟ ପିଲାମାନଙ୍କର ନୃତ୍ୟ ଦେଖି ମହାରାଜ କଂସ ଖୁସି ହୋଇଗଲେ। ‌େସମାନଙ୍କୁ ପାଖକୁ ଡାକିଲେ। ସେ ସମସ୍ତଙ୍କ ସାଙ୍ଗରେ ହାତ ମିଳାଇଲେ ଓ କଥା ହେଲେ। ସମସ୍ତଙ୍କୁ କିଛି ନା କିଛି ପଚାରୁଥାଆନ୍ତି। ମିନିକୁ ବି ପାଖକୁ ଡାକିଲେ ଓ କଥା ହେଲେ। ମିନି ବହୁତ ଖୁସି ହୋଇଗଲା। ସ୍ବୟଂ କଂସ ମହାରାଜ ତା’ ସାଙ୍ଗରେ କଥା ହେଉଛନ୍ତି ବୋଲି ସେ ଅତ୍ୟଧିକ ଖୁସି ହୋଇଗଲା। ଠିକ୍‌ ସେତିକିବେଳେ କଂସ ମହାରାଜ ପଚାରିଦେଲେ, କହିଲ ଝିଅ କିଏ ସବୁଠୁ ଭଲ? କଂସ ନା କୃଷ୍ଣ? ମିନି ଟିକିଏ ଭାବିଲା। ତା’ର ମନେ ପଡ଼ିଲା କ୍ଲାସ୍‌ରେ ମିସ୍‌ କହୁଥିଲେ, କଂସ ଗୋଟିଏ ରାକ୍ଷସ ଥିଲା ଆଉ ତା’ର ଭଣଜା କୃଷ୍ଣଙ୍କୁ ମାରିବାପାଇଁ ଅ‌େନକ ଉପାୟ ପାଞ୍ଚିଥିଲା।

ମିନି ଭିବିଲା ଆଜି ଭଲ ସୁଯୋଗଟେ ପାଇଛି ସମସ୍ତଙ୍କ ଆଗରେ ସତ କଥାଟା କହିଦିଏ। ସେ ଅାଗଭର ହୋଇ କହି ପକେଇଲା। କୃଷ୍ଣ ହିଁ ସବୁଠୁ ଭଲ। ସେ ତ ସ୍ବୟଂ ଭଗବାନ। ଏତିକି ଶୁଣି କଂସ ମହାରାଜ ରାଗି ଗଲେ। ସେ ସାଙ୍ଗେ ସାଙ୍ଗେ ଆଦେଶ ଦେଲେ। କିଏ ଅଛରେ, ଏଇ ଝିଅଟାକୁ ବନ୍ଦୀଶାଳାରେ ଭର୍ତ୍ତି କରିଦିଅ।

ମିନିର ଅକଲ୍‌ଗୁଡୁମ୍‌ ହୋଇଗଲା। କାରଗାରର ନାଆଁ ଶୁଣି ଡରିଗଲା ଆଉ ଜୋରରେ ପାଟିକରି କାନ୍ଦିବାକୁ ଲାଗିଲା। କ’ଣ ହେଲା ବୋଲି ସମସ୍ତେ ଚକିତ ହୋଇଗଲେ। ତା’କୁ ଚୁପ୍‌ କରାଇବାକୁ ଚେଷ୍ଟା କଲେ। କିଏ ଚକ୍‌ଲେଟ୍‌ ଦେଲା ତ କିଏ ବିସ୍କୁଟ୍‌ ଦେଲା। ହେଲେ ସବୁ ଫେଲ୍‌ ମାରିିଲା। ଶେଷରେ ତା’ ବାପା ମାଆ ଆସି ତା’କୁ ଘରକୁ ନେଇଗଲେ। ଘରେ ପହଞ୍ଚି ମିନି ଟିକଏ ଆଶ୍ବସ୍ତ ହେଲା। ତା’ର ଜେଲ୍‌ ଯିବାର ଭୟ କମ୍‌ ହୋଇଗଲା। ସେ ଟିକିଏ ଚୁପ୍‌ ହେଲାପରେ ମାଆ ସବୁ କଥା ପଚାରିଲେ।

ମିନି ଗୋଟି ଗୋଟି କରି ସବୁ କଥା କହିଲା। ମମି ମଁୁ ତ ସତ କଥା କହିଲି ମୋତେ ମହାରାଜ ଜେଲ୍‌ ପଠାଇବାର ଆଦେଶ କାହିଁକି ଦେଲେ? ମିନିର ମାଆ ସବୁ ଶୁଣି ହସିବାକୁ ଲାଗିଲେ। ଆଉ କହିଲେ, ମାଆରେ ଧନୁଯାତ୍ରା ଗୋଟିଏ ନାଟକ। ସେଥିରେ ହିରୋ ହେଲେ କଂସ। ତେଣୁ ତାଙ୍କ ଦରବାରରେ ସମସ୍ତେ ତାଙ୍କର ପ୍ରଶଂସା ହିଁ କରନ୍ତି। ଯିଏ ତାଙ୍କର ପ୍ରଶଂସା କରେନାହିଁ ସେ ତା’କୁ ସାଙ୍ଗେ ସାଙ୍ଗେ ଜେଲ୍‌କୁ ପଠେଇ ଦିଅନ୍ତି। ତାହା ବି ମିଛିମିଛିକା।
ଶେଷରେ ମିନି ବୁଝିପାରି ହସିଦେଲା।
ମହାନ୍ତିପଡ଼ା, ବରଗଡ଼

ସମ୍ବନ୍ଧିତ ଖବର