ଜଣେ ଯୁବକ ଜଣେ ସନ୍ଥଙ୍କୁ କହିଲେ, ‘ମହାରାଜ’! ମଁୁ ଜୀବନରେ ସର୍ବୋଚ୍ଚ ଶିଖର ପାଇବାକୁ ଚାହଁୁଛି। କିନ୍ତୁ ଏଥିପାଇଁ ମଁୁ ନିମ୍ନ ସ୍ତରରୁ ଆରମ୍ଭ କରିବାକୁ ଚାହଁୁନି। କ’ଣ ଆପଣ ମୋତେ କୌଣସି ଏମିତି ରାସ୍ତା ବତେଇ ପାରିବେ, ଯିଏ ମୋତେ ସିଧା ସର୍ବୋଚ୍ଚ ଶିଖରରେ ପହଞ୍ଚେଇ ପାରିବ? ସନ୍ଥ କହିଲେ, ଅବଶ୍ୟ ବତେଇବି! ପ୍ରଥମେ ତୁମେ ଆଶ୍ରମର ବଗିଚାରେ ସବୁଠୁ ସୁନ୍ଦର ଗୋଲାପ ଫୁଲକୁ ଆଣି ମୋତେ ଦିଅ କିନ୍ତୁ ଗୋଟିଏ ସର୍ତ୍ତ ଅଛି। ଯେଉଁ ଗୋଲାପକୁ ତୁମେ ପଛରେ ଛାଡ଼ି କରି ଆସିବ, ତାକୁ ଆଉ ପଛକୁ ଯାଇ ତୋଳିବନି।
ଯୁବକ ଜଣଙ୍କ ଏହି ସାଧାରଣ ସର୍ତ୍ତ ମାନି ବଗିଚାକୁ ଚାଲିଗଲେ। ସେଠାରେ ଚାରିଆଡ଼େ ସୁନ୍ଦର ଗୋଲାପ ଫୁଟିଥିଲା। ଯେତେବେଳେ ସେ ଗୋଟିଏ ଗୋଲାପ ଫୁଲକୁ ଛିଣ୍ଡେଇବାକୁ ଆଗକୁ ବଢ଼ୁଥିଲେ, ଆଉ କିଛି ଦୂରରେ ଏହାଠାରୁ ଆହୁରି ସୁନ୍ଦର ଗୋଲାପ ଦେଖା ଯାଉଥିଲା। ଆଉ ସେ ତାହାକୁ ଛାଡ଼ି ଆଗକୁ ବଢ଼ି ଚାଲିଥିଲେ। ଏମିତି କରି କରି ସେ ବଗିଚାର ଶେଷ ଆଡ଼କୁ ପଳେଇ ଆସିଲେ। କିନ୍ତୁ ଏବେ ତାଙ୍କୁ ଯେଉଁ ଫୁଲ ଦେଖାଗଲା ସେ ସବୁ ଝାଉଁଳି ଯାଇଥିଲେ। ଶେଷରେ ସେ ବିନା ଫୁଲରେ ଫେରି ଆସିଲେ।
ଖାଲି ହାତରେ ଆସିବା ଦେଖି ସନ୍ଥ ପଚାରିଲେ, କ’ଣ ହେଲା ପୁଅ! ଗୋଲାପ ତୁମେ ଆଣିଲ ନାହିଁ? ଯୁବକ କହିଲେ, ବାବା ମଁୁ ବଗିଚାରେ ସୁନ୍ଦର ଆଉ ତାଜା ଫୁଲକୁ ଛାଡ଼ିକରି ଆଗକୁ ଆଗ ବଢ଼ି ଚାଲିଥିଲି। ଶେଷରେ କେବଳ ଝାଉଁଳି ଯାଇଥିବା ଫୁଲ ସବୁ ବଳିଥିଲେ। ଆପଣ ମୋତେ କହିଥିଲେ ପଛକୁ ନ ଯିବା ପାଇଁ। ସେଥିପାଇଁ ମଁୁ ସୁନ୍ଦର ଆଉ ତାଜା ଗୋଲାପ ଛିଣ୍ଡେଇ ପାରିଲି ନାହିଁ।
ଏବେ ସନ୍ଥ ଟିକିଏ ହସି କରି କହିଲେ, ଜୀବନ ମଧ୍ୟ ଏହି ଭଳି। ଆମକୁ ଆରମ୍ଭରୁ ହିଁ କର୍ମ କରି କରି ଚାଲିବା କଥା। ବହୁତଙ୍କର ଭଲ ଜ୍ଞାନ, ସଫଳତା ପ୍ରାପ୍ତି ତା’ଙ୍କ କାମରେ ଆଉ ସୁଯୋଗରେ ଲୁଚି ରହିଥାଏ। ଯିଏ ଅଧିକ ଆଉ ସର୍ବୋଚ୍ଚର ଲୋଭରେ ଆସି ଆଗକୁ ବଢ଼ି ଚାଲିଥାନ୍ତି, ଅନ୍ତରେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥାଏ। ଏବେ ଯୁବକ ତା’ଙ୍କ ପ୍ରଶ୍ନର ଉତ୍ତର ବୁଝି ପାରିଲେ।
ୟୁନିଟ୍-୯, ବାୟାବାବା ମଠ ଲେନ୍,
ଭୁବନେଶ୍ବର