ପ୍ଲାଷ୍ଟିକ୍ ବୋତଲରୁ ହେଉଥିବା ପରିବେଶ ପ୍ରଦୂଷଣ ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଏଥିପାଇଁ ଅନେକ ନିୟମ ଲାଗୁ କରାଯାଇଥିଲେ ମଧ୍ୟ କୌଣସି ବିଶେଷ ସୁଫଳ ମିଳିପାରି ନାହିଁ। କିନ୍ତୁ ପ୍ଲାଷ୍ଟିକ୍ ଆବର୍ଜନାରୁ ମୁକ୍ତି ପାଇବା ପାଇଁ ସଂଯୁକ୍ତ ଆରବ ରାଷ୍ଟ୍ରର ଆବୁଧାବି ନଗରପାଳିକା ପକ୍ଷରୁ ଏକ ଅଭିନବ ଉପାୟ ବାହାର କରାଯାଇଛି। ପରିବହନ ବିଭାଗର ମିଳିତ ସହାୟତାରେ ଏହି ନିୟମର ଘୋଷଣା କରାଯାଇଛି। ସାର୍ବଜନୀନ ଯାନବାହନରେ ଯାତ୍ରା କରୁଥିବା ଲୋକେ ଏବେ ଖାଲି ପ୍ଲାଷ୍ଟିକ୍ ବୋତଲ ଦେଇ ମାଗଣାରେ ଯାତାୟାତ କରିପାରିବେ। ପ୍ରତ୍ୟେକ ଖାଲି ବୋତଲ ଉପରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ମିଳିବ। ତେଣୁ ଏକାଧିକ ବୋତଲ ସଂଗ୍ରହ କରି ଗାଡ଼ି ଭଡ଼ାକୁ ହ୍ରାସ କରାଯାଇପାରିବ। ଏଭଳି ଏକ ସ୍ବାଗତଯୋଗ୍ୟ ପଦକ୍ଷେପର ନାମ ‘ପଏଣ୍ଟ୍ସ ଫର୍ ପ୍ଲାଷ୍ଟିକ୍’ ରଖାଯାଇଛି। ପ୍ରଥମେ ବିଭିନ୍ନ ବସ୍ଷ୍ଟପ୍ରେ ପ୍ଲାଷ୍ଟିକ୍ ବୋତଲ ଜମା ମେସିନ୍ ଲଗାଯିବ। ୬୦୦ ମି.ଲିଠାରୁ କମ୍ ବୋତଲକୁ ୧ ଅଙ୍କ ରଖାଯାଇଛି। ତା’ଠାରୁ ଅଧିକ ହେଲେ ୨ ଅଙ୍କ ଦିଆଯିବ। ଏହି ହିସାବରେ ୧୦ ଅଙ୍କ ମିଳିଲେ ୧ ଦିରହମ୍ ହେବ। ଆବୁଧାବି ୱେଷ୍ଟ୍ ମ୍ୟାନେଜ୍ମେଣ୍ଟ୍ ସେଣ୍ଟର୍ ‘ତଦବୀର୍’ ଓ ‘ଡିଗ୍ରେଡ୍’ର ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି।
କଥା-ଫରୁଆ: ‘‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’’
ଗୋଦର ଏକ ରୋଗ। ଇଂରାଜିରେ ଏହାର ନାମ ଫାଇଲେରିଆ। ଏହି ରୋଗ ଗୋଡ଼କୁ ଆକ୍ରାନ୍ତ କଲେ ତାହା ଫୁଲିଯାଇ ମୋଟା ହୋଇଯାଏ। ଅତଏବ ଗୋଡ଼ର ଓଜନ ଅସମ୍ଭବଭାବେ ବୃଦ୍ଧି ପାଏ। ଅନ୍ୟ ପକ୍ଷରେ ଚାଷ ସମୟରେ ଲଙ୍ଗଳ ଦ୍ବାରା ସିନା ଭୂମିର କର୍ଷଣ ହୁଏ ମାତ୍ର ଗଛ ଉଠିଗଲାପରେ ତାହାର ମୂଳକୁ କୋଡ଼ା ଖୁସା କରିବା ଦରକାର ପଡ଼େ। ଅର୍ଥାତ୍ ଗଛମୂଳ ପାଖ ଚାରିପଟର ମାଟିକୁ ଖୋଳି ଝୁର୍ଝୁର୍ କରିବାକୁ ପଡ଼େ। ଏ କାମଟି ମଣିଷ ସେଇ ମାଟିରେ ହିଁ ଠିଆ ହୋଇ କରେ। ଅତଏବ ଗୋଡ଼ର ଓଜନ ଅତ୍ୟଧିକ ହେଲେ ତାହା ମାଡ଼ି ହୋଇ ପୁଣି ବସିଯାଏ। ଆଉ ଝୁର୍ଝୁର୍ ରହେ ନାହିଁ। ତେଣୁ ଗୋଦରା ରୋଗରେ ଆକ୍ରାନ୍ତ କୌଣସି ବ୍ୟକ୍ତି ଯଦି ମାଟି କୋଡ଼ୁଥାନ୍ତି ତେବେ ସେ କୋଡ଼ିବା ସହିତ ସେ ଅଞ୍ଚଳକୁ ମାଡ଼ି ପୁଣି ଟାଣ କରିଦିଅନ୍ତି। ତେଣୁ ଯିଏ କାମଟିଏ କରି ପୁଣି ସେ କାମଟିକୁ ଅଲୋଡ଼ା ବା ଅକାମି କରିଦିଅନ୍ତି ସେ କ୍ଷେତ୍ରରେ କୁହାଯାଏ ‘‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ।’’ ଏଠାରେ ଗୋଦରା କହିଲେ ନିର୍ବୁଦ୍ଧିଆକୁ ବୁଝାଇଥାଏ।
ଶବ୍ଦତୋଡ଼ା:ନଈ ନାଳ
/sambad/media/post_attachments/wp-content/uploads/2022/09/11-12.jpg)
‘ନଈ’ ଓ ‘ନାଳ’ ଏ ଦୁଇଟି ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ। ନଈ କହିଲେ ପ୍ରବହମାନ ବିଶାଳ ଜଳଧାରାକୁ ବୁଝାଇଲାବେଳେ ନାଳ ଏକ ସରୁ ଜଳପ୍ରବାହକୁ ବୁଝାଇଥାଏ। ମାତ୍ର ନଈ ଓ ନାଳକୁ ମିଶାଇ ଅନେକ ସମୟରେ ଆମେ ଓଡ଼ିଆମାନେ ବ୍ୟବହାର କରିଥାଉ। ଯଥା- ଅମୁକ ଅଞ୍ଚଳଟି ନଈନାଳରେ ଭରା। ଭୂମି ମାତ୍ରେ ତାହା ପାହାଡ଼ିଆ, ସମତଳ ବା ନିମ୍ନ ସ୍ଥଳଭୂମି ଭାବରେ ଆମେ ଚିହ୍ନିତ କରିଥାଉ। ଅଧିକାଂଶ ଜଳ ପ୍ରବାହ ପାହାଡ଼ିଆ ଅଞ୍ଚଳରୁ ବାହାରି ସମତଳ ଭୂମି ଦେଇ ନିମ୍ନ ସ୍ଥଳଭୂମିରେ ପହଞ୍ଚିଥାଏ। ଅତଏବ ଏ ଯେଉଁ ନଈ ଓ ନାଳର କଥା ଆମେ କହୁ ତାହାର ସ୍ଥିତି ସମତଳ ଓ ନିମ୍ନ ସ୍ଥଳଭୂମିରେ ହିଁ ଅଧିକ ଅନୁଭୂତ ହୋଇଥାଏ। ନଈ ବା ନାଳ ପ୍ରକୃତରେ ପୃଥିବୀରେ ଶିରାପ୍ରଶିରା ଭଳି କାମ କରନ୍ତି। ଜଳ ହିଁ ମାଟିକୁ ଚାଷ ଉପଯୋଗୀ କରି ରଖେ। ଏବଂ ନଈ ନାଳ ମାଧ୍ୟମରେ ମାଟି ଓଦା ରହେ ଓ ନଦୀର ଜଳ ମଧ୍ୟ ଗମନାଗମନର ସୁଯୋଗ ସୃଷ୍ଟି କରେ। ଏବେ ହୁଏତ ଆକାଶ ପଥ ଓ ସ୍ଥଳ ପଥର ବହୁଳ ବିନିଯୋଗ ହେତୁ ନଈ ନାଳ ଆଉ ଜଳପଥର ସେତେ ଭୂମିକା ନିର୍ବାହ କରୁନାହାନ୍ତି ହେଲେ ଜଳରୁ ବିଦ୍ୟୁତ୍ଶକ୍ତି ଉତ୍ପାଦନ ହେବା ଦିନୁ ନଈନାଳର ଗୁରୁତ୍ବ ବଢ଼ୁଛି।