ଦିବ୍ୟ ହରିଣ

ତୁମ କାହାଣୀ - ତସନିମ୍ ସୁଲତାନା

ବହୁତ ଦିନ ତଳର କଥା। ଆଫଗାନିସ୍ଥାନ୍‌ରେ ଜଣେ ରାଜା ଥିଲେ। ସବକ୍ତଗିନ୍‌ ନାମରେ ତାଙ୍କର ଜଣେ ଦାସ ଥିଲା। ସେ ଜଣେ ଚରିତ୍ରବାନ ,ସାହସୀ ଓ ବୁଦ୍ଧିମାନ ମଣିଷ ଥିଲା। ଏହି ସବୁ ସୁଗୁଣ ପାଇଁ ସେ ରାଜାଙ୍କ ପ୍ରିୟ ଦାସ ଥିଲା।

ଦିନକର କଥା। ସବକ୍ତଗିନ୍ ଘୋଡ଼ାରେ ବସି ଜଙ୍ଗଲ ମଧ୍ୟକୁ ଶିକାର କରିବାକୁ ଗଲା। ସେ ବହୁତ ଭଲ ଶିକାରୀ ଥିଲା। କିନ୍ତୁ ସେଦିନ ତାକୁ କୌଣସି ଶିକାର ମିଳିଲା ନାହିଁ। ବିଚରା ଜଙ୍କଲରେ ଏଣେତେଣେ ବୁଲିବାକୁ ଲାଗିଲା। ସଂଧ୍ୟା ହୋଇ ଯାଇଥାଏ। ସେ ମନ ଦୁଃଖରେ ଘର ମୁହାଁ ହେଉଥାଏ। ଏଇ ସମୟରେ ଏକ କଅଁଳ ହରିଣ ଛୁଆକୁ ଦେଖିଲା। ସେ ଘୋଡ଼ାରୁ ଓହ୍ଲାଇ ଛୁଆଟିକୁ ଧରି ଘୋଡ଼ାର ପିଠିରେ ବାନ୍ଧି ଖୁସି ମନରେ ସହରକୁ ଫେରୁଥିଲା।

ଏମିତି କିଛି ବାଟ ଗଲା ପରେ ପଛକୁ ଚାହିଁ ଦେଖିଲା, ମା’ ହରିଣଟି ତା’ ପଛେ ପଛେ ଧାଇଁଛି। ତା ଆଖିରୁ ଲୁହଧାର ବୋହି ଚାଲିଛି। ସେ ଧରିଥିବା ହରିଣ ଛୁଆଟି ମଧ୍ୟ ମଝିରେ ମଝିରେ ଡେଇଁ ପଡ଼ୁଥିଲା। ଛୁଆଟିକୁ ହରେଇବାର ବେଦନା ମାଆ ହିଁ ବୁଝେ। ଏପରି ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ଚକିତ ହେଲା। ତା ମନରେ ଦୟା ଆସିଲା। ସେ ହରିଣ ଛୁଆଟିକୁ ମୁକ୍ତ କରିଦେଲା। ହରିଣ ଛୁଆଟି ତା ମାଆ ପାଖକୁ ଚାଲିଗଲା।
ମା ହରିଣଟି ତା ଛୁଆକୁ କ୍ଷୀର ଦେଲା। ମାଆ ଛୁଆ ଦୁହେଁ ଖୁସି ମନରେ ଜଙ୍ଗଲ ମଧ୍ୟକୁ ପଳେଇ ଗଲେ। କିନ୍ତୁ ମା’ ହରିଣଟି ଯିବା ସମୟରେ ବାରମ୍ବାର ପଛକୁ ଚାହିଁ ସବକ୍ତଗିନ୍‌ ଆଡ଼କୁ ଦେଖୁଥିଲା। ସତେ ଯେମିତି ସେ

ସବକ୍ତଗିନ୍‌କୁ ଧନ୍ୟବାଦ ଅର୍ପଣ କରୁଥିଲା। ସେ ପୁଣି ଉପରକୁ ମୁହଁ କରି ଆକାଶକୁ ଅନେଇବାକୁ ଲାଗିଲା। ସେ ପରମେଶ୍ବରଙ୍କୁ ଧନ୍ୟବାଦ ଦେବା ପରି ବୋଧ ହେଉଥିଲା।
ସେଦିନ ରାତିରେ ସବକ୍ତଗିନ୍‌ ଜଣେ ଧବଳ ପୋଷାକଧାରି ଦିବ୍ୟପୁରୁଷଙ୍କୁ ସ୍ବପ୍ନରେ ଦେଖିଲା। ସେ କହୁଥିଲେ ‘ – ହେ ବତ୍ସ ! ଜଣେ ଜୀବ ପ୍ରତି ତୁମ୍ଭର ଦୟାରେ ପରମେଶ୍ବର ତୁମ୍ଭ ଉପରେ ପ୍ରସନ୍ନ ହୋଇ ତୁମ୍ଭକୁ ଆଶୀର୍ବାଦ କଲେ । ତୁମ୍ଭେ ରାଜଯୋଗ ଭୋଗ କରିବ। ପ୍ରଜାମାନଙ୍କ ପ୍ରତି ଏହିପରି ମନୋଭାବ ରଖିବ। ଏହା କହି ଅନ୍ତର୍ଦ୍ଧାନ ହୋଇଗଲେ। ଏହି ସମୟରେ ତା’ର ନିଦ ଭାଙ୍ଗିଗଲା। ସେ ବିଚଳିତ ହୋଇପଡ଼ିଲା ।

ଏହି ଘଟଣାର କିଛି ଦିନ ପରେ ସବକ୍ତଗିନ୍‌ ସେଇ ରାଜାଙ୍କ କନ୍ୟାଙ୍କୁ ବିବାହ କଲା। ରାଜାଙ୍କ କୌଣସି ପୁତ୍ର ସନ୍ତାନ ନଥିଲେ। ରାଜାଙ୍କ ଅନ୍ତେ ଏହିପରି ଜଣେ ମାମୁଲି ଦାସରୁ ସବକ୍ତଗିନ୍‌ ଆଫଗାନିସ୍ଥାନ୍‌ ପରି ଏକ ରାଜ୍ୟର ରାଜା ହୋଇଗଲେ।
ନବମ ଶ୍ରେଣୀ,
କେଜିଏନ୍ ଉଚ୍ଚବିଦ୍ୟାଳୟ,
କାକଟପୁର,ପୁରୀ

ସମ୍ବନ୍ଧିତ ଖବର