ଖୋଲା ଝରକା: ଫିଙ୍ଗର୍‌ ପ୍ରିଣ୍ଟ୍‌ ଦ୍ବୀପ

ପୃଥିବୀରେ ଏମିତି କିଛି ଦ୍ବୀପ ଅଛି ଯାହା କେବଳ ତା’ର ସୁନ୍ଦରତା ପାଇଁ ନୁହେଁ ବରଂ କିଛି ବିସ୍ମୟକର କାରଣ ପାଇଁ ପ୍ରସିଦ୍ଧି ଲାଭ କରିଥାଏ। ସେମିତି ଏକ ଦ୍ବୀପ କ୍ରୋଏସିଆରେ ବି ଅଛି। ଏହି ଦ୍ବୀପର ବିଶେଷତ୍ବ ହେଉଛି, ଏହାକୁ ଆକାଶମାର୍ଗରୁ ଦେଖିଲେ ଲାଗେ ସତେ ଯେମିତି ଏହା କାହାର ଫିଙ୍ଗର୍‌ ପ୍ରିଣ୍ଟ୍। ଆଡ୍ରିଆଟିକ୍‌ ସି’ରେ ଥିବା ଏହି ଦ୍ବୀପ ‘ବେବ୍ଲଜେନିକ୍‌ ଦ୍ବୀପ’ ନାମରେ ବି ପରିଚିତ। ୦.୧୪ ବର୍ଗ କି.ମି ପରିମିତ ଅଞ୍ଚଳରେ ବ୍ୟାପ୍ତ ଏହି ଦ୍ବୀପ ସମ୍ପର୍କରେ କୁହାଯାଏ, ଏହାକୁ ପ୍ରଥମେ ଚାଷବାସ ପାଇଁ ବ୍ୟବହାର କରାଯାଉଥିଲା। ପୂରା ଦ୍ବୀପରେ ବିଭିନ୍ନ ପ୍ୟାଟର୍ନରେ ପଥରର କାନ୍ଥ ଲମ୍ବି ରହିଛି। ଏହି କାନ୍ଥଗୁଡ଼ିକ ହିଁ ଉପରୁ ଫିଙ୍ଗର ପ୍ରିଣ୍ଟ୍‌ର ରେଖା ପରି ଦେଖାଯାଏ। କୁହାଯାଏ ଏହି ଦ୍ବୀପରେ ଥିବା କାନ୍ଥଗୁଡ଼ିକୁ ମିଶାଇଦେଲେ ତାହା ୨୩କି.ମି. ଲମ୍ବା ହେବ। ଆଉ ଏହି କାନ୍ଥକୁ ୧୮୦୦ ଖ୍ରୀଷ୍ଟାବ୍ଦରେ ତିଆରି କରାଯାଇଛି। ଡ୍ରାଇ ଷ୍ଟୋନ୍‌ ୱାଲିଂ ପଦ୍ଧତିରେ ତିଆରି ଏହି କାନ୍ଥକୁ ବହୁ ସାବଧାନତାର ସହ ପରସ୍ପର ସହ ଲକ୍‌ କରାଯାଇଛି। ଏହି ଦ୍ବୀପକୁ ୨୦୧୮ରେ ସଂରକ୍ଷିତ କରାଗଲା। ଏହା ୟୁନେସ୍କୋ ହେରିଟେଜ୍‌ ଅନ୍ତର୍ଭୁକ୍ତ ମଧ୍ୟ।

କଥା-ଫରୁଆ: ‘ଦିଅଁ ଗଢ଼ୁ ଗଢ଼ୁ ବାନର’

ଦିଅଁ କହିଲେ ଠାକୁର। ଯାହା ମାଗିଲେ ସେ ଦିଅନ୍ତି ବୋଲି ମାନ୍ୟରେ ତା’ଙ୍କୁ କୁହାଯାଏ ଦିଅଁ। ଯେଉଁମାନେ ପିତୁଳା ପୂଜାରେ ବିଶ୍ବାସ ରଖନ୍ତି ସେମାନେ ସାଧାରଣତଃ ଠାକୁରଙ୍କର ମୂର୍ତ୍ତିଗଢ଼ି ତା’ଙ୍କର ପୂଜାର୍ଚ୍ଚନା କରନ୍ତି। ଏଇ ମୂର୍ତ୍ତି ଗଢ଼ିବା ସମୟରେ ନଜର ଥାଏ ମୂର୍ତ୍ତିଟିକୁ କେତେ ସୁନ୍ଦର ଓ କମନୀୟ କରାଯାଇ ପାରିବ। କେହି ଚାହାନ୍ତିନି ଠାକୁରଙ୍କର ଗୋଟିଏ ଅସୁନ୍ଦର ମୂର୍ତ୍ତି କରି ପୂଜା କରିବେ। ଏପରି କି ଭାଙ୍ଗିଯାଇଥିବା ମୂର୍ତ୍ତି ଅପୂଜ୍ୟ ବୋଲି ଶାସ୍ତ୍ରରେ ବାରଣ ଅଛି। ଆମେ ଯେ ବିଷ୍ଣୁ, ବ୍ରହ୍ମା, ଶିବ, ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଦୁର୍ଗା, ଶ୍ରୀଲକ୍ଷ୍ମୀ, ଶ୍ରୀ ସରସ୍ବତୀ, ଶ୍ରୀ ଗଣେଶଙ୍କର ମୂର୍ତ୍ତି ଗଢ଼ୁ ସବୁ ପଛରେ ସେଇ ଭାବନା। ମାତ୍ର ଅକୁଶଳ ବା ଅଣତାଲିମ୍‌ପ୍ରାପ୍ତ କାରିଗର ହାତରେ ଦିଅଁ ଗଢ଼ା ହେଉ ହେଉ ତାହା ମାଙ୍କଡ଼ ପରି ଅସୁନ୍ଦର ହୋଇଯାଏ। ତେଣୁ ଭଲ କାମଟିଏ କରିବାକୁ ମନସ୍ଥ କରି କାର୍ଯ୍ୟ କରୁ କରୁ ତାହା ବିକୃତ ବା ଅସଫଳ ହୋଇଗଲେ କୁହାଯାଏ- ‘ଦିଅଁ ଗଢ଼ୁଗଢ଼ୁ ବାନର’।

ଶବ୍ଦତୋଡ଼ା: କଳାକୌଶଳ

www.hottapdanceschool.co.uk

ଚାଲାକ ଲୋକକୁ କେହି କେହି କଳାବାଜ୍‌ ଓ କୌଶଳିଆ ବୋଲି କହିଥାନ୍ତି। କଳାକୌଶଳ ତାହାଠାରୁ ଢେର୍‌ ଅଲଗା। କଳା ହେଉଛି କାରିଗରୀ, ଯେଉଁଥିରେ ସୁନ୍ଦରତା ପ୍ରକଟିତ ହୋଇଥାଏ। ସେଥିପାଇଁ ଛବି ଅଙ୍କାଠାରୁ ଆରମ୍ଭ କରି ଖୋଦନ କରିବା, ଗଢ଼ିବା, ଲେଖିବା ଏପରି କି ନାଚ, ଗୀତ ଓ ଅଭିନୟ ଏ ସମସ୍ତ କଥା କଳା ଭାବରେ ଜଣା। କଳାକୁ ଇଂରାଜିରେ କହନ୍ତି ‘‘ଆର୍ଟ’’। ସେମିତି କୌଶଳକୁ କୁହାଯାଏ ସ୍କିଲ୍‌ ବା ନିପୁଣତା। କୌଶଳକୁ ମଧ୍ୟ ପାରଙ୍ଗମତା ବୋଲି କୁହାଯାଇପାରିବ। କଳା ଓ କୌଶଳକୁ ଏକାଠି ଯୋଡ଼ି ବ୍ୟବହାର କରିବାର ଅର୍ଥ ହେଉଛି ବିନା କୌଶଳରେ କଳାର ମହନୀୟତା ପ୍ରତିପାଦିତ ହୁଏ ନାହିଁ। ପୂଣି ଅନ୍ୟଦିଗରୁ ବିଚାର କଲେ କଳା ଓ କୌଶଳ ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। କୌଶଳ ନ ଥିଲେ କଳା ନାହିଁ କି କଳା ବିନା କୌଶଳର ମହତ୍ତ୍ବ ନାହିଁ। ଏଠାରେ ପ୍ରଣିଧାନଯୋଗ୍ୟ ଯେ କେଉଁ ଅତୀତକାଳରୁ ଓଡ଼ିଆମାନେ କଳାକୌଶଳର ଅଧିକାରୀ ବୋଲି ଇତିହାସରେ ଓ ସାହିତ୍ୟରେ ଅନେକ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର