ଏମିତି ଏକ ଗାଁ ଅଛି, ଯେଉଁଠି କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀ ବି ଅନ୍ଧ। ସେଥିପାଇଁ ଏଠାକାର ପକ୍ଷୀ ଉଡ଼ି ବି ପାରନ୍ତି ନାହିଁ। ଆଉ ଯେବେ ବି ଉଡ଼ିବାକୁ ଚେଷ୍ଟା କରନ୍ତି କୌଣସି ଗଛରେ ପିଟିହୋଇ ପଡ଼ିଯାଆନ୍ତି। ଏଠାକାର ପଶୁଙ୍କ ଅବସ୍ଥା ବି ଠିକ୍‌ ସେହିଭଳି। ସେମାନେ ନିଜ ଖାଦ୍ୟ ନିଜେ ଖୋଜିପାରନ୍ତି ନାହିଁ। ଏଭଳି କାହିଁକି ହେଉଛି ତାହା ଏକ ରହସ୍ୟ ହୋଇ ରହିଛି। ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ‘ଟିଲେକଟପକ୍‌’ ନାମକ ଏହି ଗାଁରେ ଜୋପୋଟେକ୍‌ ଜନଜାତିର ଲୋକ ବସବାସ କରନ୍ତି। କୁହାଯାଏ, ଏଠାରେ ପିଲା ଜନ୍ମ ନେବା ସମୟରେ ଠିକ୍‌ ଥାଆନ୍ତି। ହେଲେ କିଛିଦିନ ପରେ ସେମାନେ ଦୃଷ୍ଟିହୀନ ହୋଇଯାଆନ୍ତି। ସଡ଼କ ପାର୍ଶ୍ବରେ ଅବସ୍ଥିତ ଏହି ଗାଁର ଘରଗୁଡ଼ିକରେ କୌଣସି ଝରକା ନ ଥାଏ। କାରଣ ଏଠି କାହାକୁ ଆଲୋକର ଆବଶ୍ୟକତା ପଡ଼ି ନଥାଏ।

Advertisment

ଏମାନଙ୍କର ଖାଦ୍ୟପାନୀୟ ବି ବେଶ୍‌ ଅଜବ। ଏମାନେ କେବଳ ବାଜରା ଓ ଶୁଖିଲା ଲଙ୍କାକୁ ଖାଦ୍ୟ ଭାବେ ନେଇଥାଆନ୍ତି। ସେମାନଙ୍କ ଅନ୍ଧପଣ ପଛରେ ଏକ ଗଛକୁ ଦାୟୀ କରାଯାଇଛି। ଯାହାର ନାମ ‘ଲାୱଜୁଏଯା’। ଏହି ଗଛକୁ ଦେଖିଲେ ଲୋକ ଅନ୍ଧ ହୋଇଯାଆନ୍ତି। ଏହାର ପ୍ରକୃତ କାରଣ ଖୋଜିବା ପାଇଁ ବୈଜ୍ଞାନିକମାନେ ବି ପ୍ରୟାସ କରିଛନ୍ତି। ସେମାନଙ୍କ ମତରେ ସେହି ଗଛ ଏହି ରହସ୍ୟ ପଛର କାରଣ ନୁହେଁ। କାରଣ ଏହାକୁ ପର୍ଯ୍ୟଟକ ଦେଖିବା ପରେ ଦୃଷ୍ଟିଶକ୍ତି ହରାଉନାହାନ୍ତି। ତାଙ୍କ ମତରେ ଏଠାରେ ଥିବା ଏକ ପ୍ରକାର ବିଷାକ୍ତ କଳାରଙ୍ଗର ମାଛି ହେଉଛି ଏହାର କାରଣ। ସେ କାମୁଡ଼ିଲେ ଶରୀରରେ ଏମିତି ଏକ କୀଟାଣୁ ରହିଯାଏ, ଯାହା ଆଖିର ଶିରା ପ୍ରଶିରାକୁ ନଷ୍ଟ କରିଦିଏ। ଯାହାଦ୍ବାରା ଆଖି ନଷ୍ଟ ହୋଇଯାଏ।

କଥା-ଫରୁଆ: ଘାସକୁ ମୋଟ ପାଳକୁ ଛୋଟ

ଗାଁ ଗହଳରେ ଅନେକ ଘଟଣା, ରୂପକ, ଚିତ୍ର ଓ ପଦାର୍ଥକୁ ଆମେ ଭାଷାରେ ଉଦାହରଣ ଛଳରେ ପ୍ରୟୋଗ କରୁ। ଏ ଭଳି କଥା ଆମ ଚଳଣିରେ କେଉଁ ଅତୀତକାଳରୁ ଯୋଡ଼ା। ଧରାଯାଉ ଘାସ। ତାହା ଉଦ୍ଭିଦ ଜଗତରେ ସବୁଠାରୁ କ୍ଷୁଦ୍ର। ସେମିତି ଧାନଗଛକୁ ମକଚି ପାଳରେ ପରିଣତ କଲେ ତା’ର ଦୀର୍ଘତା ବଢ଼ିଯାଏ। ତେଣୁ ଛୋଟ, ବଡ଼ର ଉଦାହରଣ ଦେଲାବେଳେ ଘାସ ଓ ପାଳର ଉଦାହରଣ ଦେବା ଏକ ସାଧାରଣ କଥା। ଆମର ଦେଖାଯାଏ ଯେ କିଛି ଲୋକ ନିଜ ଅବସ୍ଥା ଅନୁଯାୟୀ ଆଚରଣ ନ କରି ଅନେକ ସମୟରେ ବଡ଼ ବଡ଼ କଥା କହିବା ବା କରିବା ପାଇଁ ଆଗଭର ହୁଅନ୍ତି। ନିଜର ବଡ଼ପଣ ଦେଖାନ୍ତି। ତେଣୁ ସେପରି କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ କୁହାଯାଏ ସେ ଘାସଠାରୁ ଅବଶ୍ୟ ବଡ଼ ମାତ୍ର ପାଳଠାରୁ ଛୋଟ। ପୁଣି ଅକୁଳାଣ ବସ୍ତୁ କ୍ଷେତ୍ରରେ ମଧ୍ୟ ଏ ପ୍ରୟୋଗ କରାଯାଇଥାଏ।

ଶବ୍ଦତୋଡ଼ା: ଆକାଶବାଣୀ

publive-image Newslaundry

ଆକାଶରୁ ଯେଉଁ ବାଣୀ ଶୁଣାଯାଏ ତା’କୁ କହନ୍ତି ଆକାଶବାଣୀ। ରେଡ଼ିଓର କଥା ବିନା ତାରରେ ଶୁଣାଯାଇ ପାରୁଥିବାରୁ ତାହାକୁ ବେତାରବାଣୀ କୁହାଯାଉଥିଲା। ଯେହେତୁ ତାହା ଆକାଶପଥରେ ଭାସି ଆସେ ସେଥିଲାଗି ବେତାରବାଣୀକୁ ମଧ୍ୟ ଆକାଶବାଣୀ କୁହାଯାଏ। ବିଭିନ୍ନ ବେତାରକେନ୍ଦ୍ରର ପ୍ରଚାରକୁ ଆକାଶବାଣୀ ଅମୁକରୁ ଏହା ପ୍ରଚାରିତ ହେଉଛି ବୋଲି କୁହାଯାଇଥାଏ। ଯେମିତି କୁହାଯାଏ, ‘‘ଆକାଶବାଣୀ, କଟକ। ଆପଣ ଖବର ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।’’ ବେତାରର ଉଦ୍ଭାବନ ପୂର୍ବରୁ କିନ୍ତୁ ଆମ ପୁରାଣମାନଙ୍କରେ ଆକାଶବାଣୀ ଶବ୍ଦ ପ୍ରଚଳିତ ଥିଲା। ପ୍ରାଚୀନ ଗ୍ରୀକ୍‌ ସଭ୍ୟତାରେ ଆକାଶବାଣୀର ପ୍ରଚାର ବି ବହୁଳ ଭାବରେ ଥିଲା। ତା’ର ଅର୍ଥ ଆକାଶରେ ଦେବତାମାନେ ଥାଇ ଭୂତ ଭବିଷ୍ୟ ସମ୍ପର୍କରେ ମର୍ତ୍ତ୍ୟଲୋକଙ୍କୁ ଯେଉଁ ବାଣୀ ଶୁଣାଉଥିଲେ ତାହା ଥିଲା ଆକାଶବାଣୀ। ପୁରାଣକାହାଣୀ ଅନୁସାରେ କଂସରାଜା ନିଜର ଭଉଣୀ ଦେବକୀଙ୍କୁ ବିଭାଘର ପରେ ଶ୍ବଶୁରଘରକୁ ନେଇଯାଉଥିବାବେଳେ କୁଆଡ଼େ ଆକାଶବାଣୀ ହୋଇଥିଲା ଯେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ହାତରେ କଂସର ନିଧନ ହେବ।