୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋରକିଶୋରୀଙ୍କ ପାଇଁ ଶୋଇବା ନିୟମ କଡ଼ାକଡ଼ି ‌େହବା ଉଚିତ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ପର୍ଯ୍ୟାପ୍ତ ନିଦ କିଶୋରକିଶୋରୀଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଛଣାକୁ ଯିବା‌ ସମୟସୀମାକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଏବେ କିନ୍ତୁ ଅଧିକାଂଶ ମା’ବାପା ସେମାନଙ୍କ ପିଲାଙ୍କୁ କହିବାକୁ ଭୁଲିଗଲେଣି। ଅଧ୍ୟୟନ ଅନୁସାରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶୋଇବା ସମୟ ଉପରେ ବରାବର ଧ୍ୟାନ ରଖିବା ଦ୍ବାରା ସେମାନଙ୍କ ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ନ୍ୟୁୟର୍କର ରୋଚେଷ୍ଟର୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ ୧୪ରୁ ୧୭ ବର୍ଷ ବୟସର ୧୯୩ ପିଲା ଓ ସେମାନଙ୍କ ମା’ବାପାଙ୍କୁ ସାତ ରାତି ଧରି ଯାଞ୍ଚ କଲେ। ୭୪ ପ୍ରତିଶତ ଅଭିଭାବକ ରାତିରେ କୌଣସି ଶୋଇବା ସମୟ ସୀମା ନିର୍ଦ୍ଧାରଣ କରି ନ ଥିବା ସର୍ଭେରୁ ଜାଣିବାକୁ ପାଇଥିଲେ। ଶୋଇବାକୁ ଯିବା ପୂର୍ବରୁ ବୈଦ୍ୟୁତିକ ଉପକରଣ ବ୍ୟବହାର ନ କରିବା ନିୟମ ଏକ ତୃତୀୟାଂଶ ମାତାପିତା ସେମାନଙ୍କ ପିଲାଙ୍କ ଉପରେ ଲାଗୁ କରି ନଥିଲେ। ୧୬ ପ୍ରତିଶତ ମା’ବାପା ସବୁଦିନ ପିଲାଙ୍କ ଶୋଇବା ସମୟକୁ ଜଗିଥିଲେ ଏବଂ ପର୍ଯ୍ୟାପ୍ତ ନିଦ ଉପରେ ଧ୍ୟାନ ଦେଇଥିଲେ। ଦେଖାଗଲା ସେହି ପିଲାଗୁଡ଼ିକ ଦିନରେ ଅଧିକ ଶକ୍ତିର ସହ କାମ କରିଥିଲେ। ସେମାନଙ୍କଠାରେ ଅବସାଦଜନିତ ଭାବନା ମଧ୍ୟ କମ୍‌ ଥିଲା। ଯେଉଁ ଅଭିଭାବକ ସେମାନଙ୍କ ପିଲାର ଶୋଇବା ସମୟ ଉପରେ ଜୋର ଦେଇଥିଲେ ଏବଂ ପର୍ଯ୍ୟାପ୍ତ ନିଦକୁ ଜଗିଥିଲେ ସେମାନଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟରେ ଗୁରୁତ୍ବପୂର୍ଣ୍ଣ ଉନ୍ନତି ପରିଲକ୍ଷିତ ହୋଇଥିଲା।

Advertisment

କଥା-ଫରୁଆ: ଛେଳିକି ଓଟାରି ପାଣିକି ନେବା

ମଇଁଷି ପାଣିରେ ପଶିବାକୁ ଭଲପାଏ। ଛେଳି କିନ୍ତୁ ପାଣିରେ ପଶିବାକୁ ଭୟ କରେ। ପ୍ରାଣୀଜଗତରେ ଅନେକ ଜୀବ ଅଛନ୍ତି ଯେଉଁମାନେ ଗାଧୋଇବାକୁ ବା ପାଣିରେ ପଶିବାକୁ ଭଲ ପାଅାନ୍ତି। କଇଁଛ, ବେଙ୍ଗ, କୁମ୍ଭୀର ଭଳି ପ୍ରାଣୀ ତ ସ୍ଥଳଭାଗରେ ଥିଲେ ବିପଦ ଆସିବା ମାତ୍ରେ ପାଣିରେ ପଶିଯାଆନ୍ତି। ମାତ୍ର ଛେଳିକୁ ଯେତେ ଭିଡ଼ିଲେ ସେ ପାଣିକୁ ଯିବ ନାହିଁ। ଛେଳି ‌େଯ ପାଣି ପିଇବାକୁ ଆକୁଳ ହୁଏନା ସେ କଥା ନୁହେଁ, ମାତ୍ର ପାଣିରେ ପଶିବାକୁ ତା’ର ଘୋର ଅମଙ୍ଗ। ଏଇ ଅମଙ୍ଗପଣ କାରଣରୁ ଆମର ରୁଢ଼ି ପ୍ରୟୋଗରେ ଏ କଥାଟି ଗୋଟିଏ ବିଶେଷ ଉକ୍ତି ଭାବରେ ଗ୍ୃହୀତହୋଇ ରହିଛି। ସଂସାରରେ ଯେତେ କାମ ଅଛି ସେ ସବୁ କରିବା ପାଇଁ ସମସ୍ତେ କ’ଣ ଆଗଭର ହୁଅନ୍ତି? କିଛି କିଛି କାମ ପ୍ରତି ଅନେକ ଏକାନ୍ତ ଅନିଚ୍ଛୁକ। ଅତଏବ କୌଣସି କାର୍ଯ୍ୟ କରିବାକୁ ଏକାନ୍ତ ଅନିଚ୍ଛୁକ ଥିବା ସ୍ଥଳରେ ତାଙ୍କୁ ସେଇ କର୍ମ ସକାଶେ ବାଧ୍ୟ କରିବା କ୍ଷେତ୍ରରେ ଏପରି କୁହାଯାଏ-ଛେଳିକି ଓଟାରି ପାଣିକି ନେବା ଯାହା ଏହାଙ୍କ ଦ୍ବାରା ସେ କାମ କରେଇବା ସେଇଆ।

ଶବ୍ଦତୋଡ଼ା: ସାଇ ସଙ୍ଗାତ

publive-image

ସାହି ଶବ୍ଦରୁ ସାଇ। ସାହି ଆସିଛି ସାହାଲାରୁ। ସାହାଲା କହିଲେ ଧାଡ଼ିଏ ଘର। ଅତଏବ ଯେଉଁଠାରେ ରାସ୍ତା ଦୁଇକଡ଼େ ଲୋକେ ଧାଡ଼ି ଧାଡ଼ି ଘର କରି ଗୋଟାଏ ପରିଚୟ ନେଇ ରହନ୍ତି ତା’କୁ କୁହାଯାଏ ସାଇ। ଏ ପରିଚୟ ସାଙ୍ଗିଆ ,ବୃତ୍ତି ବା ଠାକୁର ଠାକୁରାଣୀଙ୍କ ନାମରେ ବି ଗଠିତ ହୋଇଥାଏ। ଯେମିତି ମହାନ୍ତି ସାହି, ପାଟରା ସାହି ବା ହରଚଣ୍ଡୀ ସାହି ଇତ୍ୟାଦି। ଲୋକମୁହଁରେ ତାହା ହୋଇଯାଏ ମହାନ୍ତି ସାଇ, ପାଟରା ସାଇ, ହରଚଣ୍ଡୀ ସାଇ। ଏଇ ପରିଚୟ ଓ ପରସ୍ପର ହୋଇ ଲଗାଲଗି ରହିବା ଫଳରେ ଗୋଟାଏ ସାମାଜିକ ଅନ୍ତରଙ୍ଗତା ବୃଦ୍ଧି ପାଇଥାଏ। ତେଣୁ ଏ ସାଇ ଭେଦରେ ଭୋଜିଭାତ, ଯାନିଯାତ୍ରା ଆଦି ସଂଗଠିତ ହେବା ଏକ ସାଧାରଣ କଥା। ବିଭିନ୍ନ ସହର ଓ ଜନପଦରେ ଏ ସାଇ ଭାବ ସାମାଜିକ ସହବୋଧର ପ୍ରତୀକ ଭାବରେ ପ୍ରତିଭାତ ହୁଏ। ଅପର ପକ୍ଷରେ ବ୍ୟକ୍ତି ବ୍ୟକ୍ତି ଭିତରେ ଯେତେବେଳେ ଅନ୍ତରଙ୍ଗତା ବୃଦ୍ଧି ପାଏ ସେତେବେଳେ ସେ ବନ୍ଧୁତାକୁ ନାମ ଦେଇ ଅନେକ ଯୋଡ଼ି ହେବାକୁ ଚେଷ୍ଟା କରନ୍ତି। ମକର, ବଉଳ, ସଙ୍ଗାତ ଆଦି ସେଇ ଧାରାର ଗୋଟିଏ ଅଂଶ। ଆଜିକାଲି ଏ ଧାରା ଶିଥିଳ ହୋଇ ଆସୁଛି। ସମଗାତ୍ରରୁ ସଙ୍ଗାତ। ଅର୍ଥାତ ଉଭୟଙ୍କର ଗୋଟିଏ ଦେହ, ଗୋଟିଏ ମନ। ମକର ସଂକ୍ରାନ୍ତିରେ ମକର ବସିବା ଓ ବଉଳ ଅମାବାସ୍ୟାରେ ବଉଳ ବସିବା ନିବିଡ଼ ବନ୍ଧୁତାର ସମ୍ପର୍କକୁ ବୁଝାଏ। ଅତଏବ ସାଇସଙ୍ଗାତ କହିଲେ ନିବିଡ଼ ଅନ୍ତରଙ୍ଗତାକୁ ହିଁ ବୁଝାଇଥାଏ।