ଘରବାହୁଡ଼ା

ତୁମ କାହାଣୀ - ଗୌରୀଶଙ୍କର ମହାପାତ୍ର

ବହୁତ ଦିନ ତଳର କଥା। ଗୋଟିଏ ଗାଁରେ ଏକ ଗରିବ ପରିବାର ରହୁଥିଲେ। ବାପା, ମାଆ ଓ ଦୁଇଟି ପୁଅଙ୍କୁ ନେଇ ପରିବାରଟି କଷ୍ଟେ ମଷ୍ଟେ ଚଳିଯାଉଥିଲା। ବାପା ଓ ମାଆ ଦୁଇଟି ପିଲାଙ୍କୁ ଦାନା ମୁଠେ ଦେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ। ଦୁଇଭାଇଙ୍କ ମଧ୍ୟରୁ ବଡ଼ ଭାଇଟିର ପାଠପଢ଼ାରେ ବହୁତ ଆଗ୍ରହ ଥିଲା। ତା’ର ଆଗ୍ରହ ଦେଖି ବାପା ମାଆ ପିଲାଟିକୁ ପାଠ ପଢ଼େଇଲେ। ସହରରେ ସେ ବଡ଼ ଚାକିରିଟିଏ ପାଇଲା। ବାପା ମାଆ ଭାବିଲେ ଯାହା ହେଉ ଆମ ଦୁଃଖର ଦିନ ସରିଗଲା।

ପିଲାଟି ସହରକୁ ଗଲାପରେ ପ୍ରଥମେ ପ୍ରଥମେ ବାପା, ମାଆ ଓ ଭାଇକୁ ମନେ ପକାଇ କାନ୍ଦୁଥିଲା। ବାପା ମାଆ ଚଳିବା ପାଇଁ ଟଙ୍କାପଇସା ପଠାଉଥି‌ଲା। ଚିଠି ଲେଖି ତାଙ୍କ ଭଲ ମନ୍ଦ ଖବର ନେଉଥିଲା। ଠିକ୍‌ ଏହି ସମୟରେ ଗୋଟିଏ ଖଳବୁଦ୍ଧି ପିଲା ସହ ତା’ର ବନ୍ଧୁତା ହେଲା। ସେ ମାଦକ ଦ୍ରବ୍ୟ ସେବନ କରିବା ଅଭ୍ୟାସ କଲା। ଲୋକଙ୍କଠାରୁ ଲାଞ୍ଚ ନେଲା।

ଗାଁରେ ସାନଭାଇଟି ମୂଲ ମଜୁରି ଲାଗି ବାପା ମାଆଙ୍କୁ ପୋଷୁଥିଲା। ବାପା ମାଆ ବଡ଼ ପୁଅଟିକୁ ମଣିଷ କରିବା ପାଇଁ ସାନଟିକୁ ଅଧିକ ପାଠ ପଢ଼ାଇ ପାରିନଥିଲେ। ବଡ଼କୁ ମଣିଷ କରିଛନ୍ତି ବୋଲି ଖୁସି ହେବେ କ’ଣ ଅମଣିଷ ପୁଅ କଥା ଭାବି ଅନୁତାପ କରୁଥିଲେ। ସାନପୁଅଟି ପ୍ରତି ଅବିଚାର କଲେ ବୋଲି ଭାବି ଭାବି ବାପଟି ରୋଗଗ୍ରସ୍ତ ହୋଇପଡ଼ିଲେ। ବାପା ମାଆଙ୍କ ଅନୁରୋଧ କ୍ରମେ ସାନଭାଇଟି ବଡ଼ ଭାଇକୁ ଖୋଜିବା ପାଇଁ ସହରକୁ ଗଲା। ବହୁ ଖୋଜା ଖୋଜି ପରେ ସେ ଜାଣିବାକୁ ପାଇଲା ଯେ ଦୁର୍ନିତିଗ୍ରସ୍ତ ଅଫିସର ଭାବେ ଧରାପଡ଼ିବାପରେ ତା’କୁ ଜେଲ୍‌ ହେଇଛି।

ସାନଭାଇଟି ସବୁ ଜାଣିବା ପରେ ଗାଁକୁ ଫେରିଯାଇ ଘରେ ମା’ଙ୍କୁ ଜଣାଇଲା। ମା’ କାନ୍ଦି କାନ୍ଦି ଅଧୈର୍ଯ୍ୟ ହୋଇ ପଡ଼ିଲେ। ଶେଷରେ ରୋଗଗ୍ରସ୍ତ ବାପାଙ୍କୁ ନଜଣାଇ ସାନଭାଇଟି ଘରଡିହ ବନ୍ଧା ପକାଇ ଓ ଆଉ କିଛି ଟଙ୍କା ଉଧାରକରି ଭାଇକୁ ଜେଲ୍‌ରୁ ମୁକୁଳାଇବା ପାଇଁ ସହର ଗଲା। ଜଣେ ଭଲ ଓକିଲ ଦେଇ ଭାଇକୁ ଜେଲ୍‌ରୁ ବାହାର କଲା। ସାନଭାଇ ତା’କୁ ଡାକିଲା ଘରକୁ ଚାଲ। ବାପା ବୋଉ ତୋର ବାଟ ଚାହିଁ ବସିଛନ୍ତି। କିନ୍ତୁ ବାପା ମାଆଙ୍କୁ ସାମନା କରିବା ପାଇଁ ସେ ନୈତିକତା ହରାଇଥିଲା। କହିଲା ମଁୁ ତାଙ୍କ ପ୍ରତି ଯେଉଁ ଅବିଚାର କରିଛି ତା’ର କ୍ଷମା ନାହିଁ। ମଁୁ କେଉଁ ମୁହଁ ନେଇ ତାଙ୍କ ପାଖକୁ ଯିବି?

ସାନଭାଇ ବୁଝାଇଲା ବାପା ମାଆଙ୍କ ହୃଦୟ ଆକାଶ ଭଳି ବିଶାଳ ଓ ସମୁଦ୍ର ଭଳି ଗଭୀର। ସେଠାରେ ସ୍ନେହ, ମମତା ଓ ଆର୍ଶୀବାଦ ଛଡ଼ା ଆଉ କିଛି ନଥାଏ। ପାପର ପ୍ରାୟଶ୍ଚିତ କରିବା ପାଇଁ ବାପା ‌େବାଉଙ୍କ ସେବାରେ ଅବଶେଷ ଜୀବନ କାଟିବା ପାଇଁ ସେ ଗାଁକୁ ଚାଲିଲା। ବାପା ମା’ ଘରବାହୁଡ଼ା ପୁଅକୁ ପାଇ ସବୁକିଛି ଭୁଲିଗଲେ।
ସହିଦନଗର, ଭୁବନେଶ୍ବର

ସମ୍ବନ୍ଧିତ ଖବର