ଏ ବର୍ଷ ଦଶହରା ଛୁଟିରେ ପ୍ରଜ୍ଞା ଓ ତା’ର କିଛି ସାଙ୍ଗ ସାର୍ଙ୍କ ସହ ନନ୍ଦନକାନନ ବୁଲିବାକୁ ଗଲେ। ଆଗରୁ ସାର କହି ରଖିଥିଲେ ସେମାନେ ସେଠାରେ ଦେଖିଥିବା ଜୀବଜନ୍ତୁଙ୍କ ନାମ ନିଜ ଟିପା ଖାତାରେ ଲେଖି ଆଣିବେ। ପୂଜା ଛୁଟି ପରେ ଶ୍ରେଣୀରେ ସେସବୁ ଜୀବଜନ୍ତୁ ଓ ପିଲାମାନଙ୍କ ଅନ୍ୟାନ୍ୟ ଭ୍ରମଣ ବିଷୟରେ ଆଲୋଚନା ହେବ।

Advertisment

ଛୁଟି ପରେ ସ୍କୁଲ ଖୋଲିଲା। କିଛି ପିଲା ସେମାନଙ୍କ ମାମୁ ଘର କଟକ ଓ ଭୁବନେଶ୍ବରରେ ଥିବା ବିଭିନ୍ନ ଦେବୀ ମଣ୍ଡପ ବୁଲି ଯିବାର କଥା ଶ୍ରେଣୀରେ ସମସ୍ତଙ୍କୁ ଜଣେଇଲେ। ଚିଡ଼ିଆଖାନାରେ ଦେଖିଥିବା ବିଭିନ୍ନ ଜୀବଜନ୍ତୁଙ୍କ ବିଷୟରେ ଅନେକ ରୋଚକ କଥା ଶୁଣୁଥିବା ସମୟରେ ସାର ଦେଖିବାକୁ ପାଇଲେ କି ପ୍ରଜ୍ଞା ଅନ୍ୟମନସ୍କ ହୋଇ କ’ଣସବୁ ଭାବୁଛି। ପଚାରିବାରୁ ସେ କହିଲା, ଆମେ ନନ୍ଦକାନନର ପିଞ୍ଜରାରେ କାହିଁ ଗଧିଆକୁ ତ ଦେଖିବାକୁ ପାଇଲୁ ନାହିଁ?

ସାର କହିଲେ, ଗଧିଆ ବିଷୟରେ ଆସ ଅଧିକ କିଛି ଜାଣିବା। ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ଗଧିଆମାନେ ହେଉଛନ୍ତି ସ୍ବାଧୀନଚେତା ସ୍ବାଭିମାନୀ ଓ ଶୃଙ୍ଖଳିତ ପ୍ରାଣୀ। ଏମାନେ ଦଳଗତ ଭାବେ ଶିକାର କରିବାକୁ ଭଲ ପାଆନ୍ତି। ଶିକାରକୁ ଗଲାବେଳେ ସବା ଆଗରେ ବୟସ୍କ ଗଧିଆମାନେ ଥାଆନ୍ତି। ଯୁବ, ବଳୁଆ ଗଧିଆମାନେ ମଝିରେ ଓ ସବା ପଛରେ କାମକୁ ନିରୀକ୍ଷଣ କରିବା ପାଇଁ ଏମାନଙ୍କ କମାଣ୍ଡର ରହିଥାଏ ଯାହାର ବଳ ଅନେକ ଗଧିଆର ବଳ ସହ ସମାନ। ଏମାନେ କୌଣସି ମୃତ ଜନ୍ତୁର ମାଂସ ଖାଆନ୍ତି ନାହିଁ, ମଣିଷ ଭଳି ଏମାନଙ୍କର ମଧ୍ୟ ପରିବାର ଥାଏ। ଉଭୟ ଗଧିଆ ଦମ୍ପତି ପରସ୍ପର ପ୍ରତି ଅତି ମାତ୍ରାରେ ବିଶ୍ବସ୍ତ ଥାନ୍ତି। ସେମାନଙ୍କ ମଧ୍ୟରୁ ଯଦି ଜଣକର ମୃତ୍ୟୁ ହୁଏ ତେବେ ଅନ୍ୟଟି ପାଖାପାଖି ତିନିମାସ ପର୍ଯ୍ୟନ୍ତ ତା ପାଖରେ ଛିଡ଼ା ହୋଇ ଶୋକ ପାଳନ କରିଥାଏ। ସେ ଏକା ତା ପିଲାମାନଙ୍କର ବଡ଼ ହେବା ଯାଏଁ ଯତ୍ନ ନେଇ ଥାଏ। ସେମାନଙ୍କ ପିତାମାତା ଅତି ବୃଦ୍ଧ ହୋଇଗଲେ, ସେମାନେ ସାରା ଜୀବନ ସେମାନଙ୍କ ପାଇଁ ଶିକାର ଯୋଗେଇବା ସହ ତାଙ୍କର ସେବା କରିଥାନ୍ତି। ଏମାନେ ନିଦରେ ଶୋଇଲାବେଳେ ସତର୍କ ରହିବା ପାଇଁ ସର୍ବଦା ଗୋଟିଏ ଆଖି ଖୋଲା ରଖିଥାନ୍ତି। ଏମାନଙ୍କ ଏସବୁ ଗୁଣ ପାଇଁ ଅତୀତରେ ତୁର୍କ ଓ ମଙ୍ଗୋଲମାନେ ଏହି ଜୀବଟିକୁ ରାଷ୍ଟ୍ରୀୟ ଜୀବର ମାନ୍ୟତା ଦେଇଥିଲେ।

ପ୍ରଜ୍ଞା କହିଲା - ଏତେ ଭଲ ଜୀବଟିକୁ ତ ଚିଡିଆଖାନରେ ରଖିବା କଥା। ଏମାନଙ୍କଠୁ ଆଜିକାଲିକାର ମଣିଷ ସମାଜ ଶିକ୍ଷା ହାସଲ କରିବ। ସାର୍‌ କହିଲେ- ହଁ ଶୁଣ, ଏମାନେ ଏତେ ମାତ୍ରାରେ ସ୍ବାଧୀନଚେତା ଯେ ଯଦି ଏମାନଙ୍କୁ ଧରି ପିଞ୍ଜରାରେ ରଖାଯାଏ,ଏମାନେ ମରିଯିବାକୁ ପସନ୍ଦ କରିବେ ପଛେ, କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ।
୯ମ, କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର