ବିଶ୍ବରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠିକୁ ଯିବା ପାଇଁ ଲୋକମାନେ ଭୟ କରନ୍ତି। କିନ୍ତୁ କେବେ ଆପଣ ଏପରି ଏକ ସ୍ଥାନ ବିଷୟରେ ଶୁଣିଛନ୍ତି କି ଯେଉଁଠାରେ ପକ୍ଷୀମାନେ ଆତ୍ମହତ୍ୟା କରିବାକୁ ଆସନ୍ତି। ଆସାମର ଦିମା ହାସୋରେ ଏପରି ସ୍ଥାନ ଅଛି ଯାହା ପକ୍ଷୀ ଆତ୍ମହତ୍ୟା ପାଇଁ ପ୍ରସିଦ୍ଧ। ଦିମା ହାସୋ ଜିଲ୍ଲାର ଘାଟିରେ ସ୍ଥିତ ଜାତିଙ୍ଗା ଉପତ୍ୟକା ବର୍ଷକୁ ପ୍ରାୟ ୯ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଯାଏ। କିନ୍ତୁ ସେପ୍ଟେମ୍ବର ମାସ ଆରମ୍ଭ ହେଲେ ଏହି ଗାଁ ପୁଣି ଚର୍ଚ୍ଚାକୁ ଆସିଯାଇଥାଏ। କାରଣ ଏହି ମାସରେ ପକ୍ଷୀମାନେ ଏଠାକୁ ଆସି ଆତ୍ମହତ୍ୟା କରନ୍ତି। ସେତେବେଳେ ନାଇଟ୍ କର୍ଫ୍ୟୁ ପରି ପରିସ୍ଥିତି ସୃଷ୍ଟି ହୋଇଥାଏ। ଅକ୍ଟୋବରରୁ ନଭେମ୍ବର ପର୍ଯ୍ୟନ୍ତ କୃଷ୍ଣପକ୍ଷ ରାତିରେ ଏଠାରେ ଏକ ଅଦ୍ଭୁତ ଘଟଣା ଘଟିଥାଏ। ସଂଧ୍ୟା ୭ରୁ ୧୦ ଟା ମଧ୍ୟରେ ଯେତେବେଳେ କୁହୁଡ଼ି ହୋଇଯାଏ, ପବନର ଗତି ବଢ଼ିଯାଏ ଏବଂ ହଠାତ୍ ଆଲୋକର କିରଣ ପଡ଼େ। ସେତେବେଳେ କୀଟପତଙ୍ଗ ଓ ପକ୍ଷୀମାନେ ଆଲୋକ ଉତ୍ସରୁ ଖସିଯିବା ଆରମ୍ଭ କରନ୍ତି। ଜାତିଙ୍ଗା ଗାଁ ଆସାମର ବୋରେଇ ପାହାଡ଼ରେ ଅବସ୍ଥିତ। ଏହି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ ବର୍ଷା ଯୋଗୁ ପକ୍ଷୀ ଉଡ଼ିପାରନ୍ତି ନାହିଁ ଓ ଅତି କୁହୁଡ଼ି ଓ ପବନର ବେଗ ଯୋଗୁ ପରସ୍ପର ସହିତ ପିଟିହୋଇ ତଳେ ପଡ଼ି ମରିଯାଆନ୍ତି। ଏହି ଉପତ୍ୟକାରେ ରାତିରେ ପ୍ରବେଶ ଉପରେ ମଧ୍ୟ ନିଷେଧାଦେଶ ରହିଛି।
କଥା-ଫରୁଆ : ‘‘ମା’ କୋଟା କୁଟେ, ପୁଅ ମୁଣ୍ଡେ ଜାଇଫୁଲ ଫୁଟେ’’
ଗାଆଁ ଗହଳରେ ପୂର୍ବେ ଗରିବ ତଥା ଅସହାୟ ଲୋକେ ପରଘରେ ଧାନ କୁଟି ଚାଉଳ ତିଆରିରେ ସାହାଯ୍ୟ କରି ପେଟ ପୋଷୁଥିଲେ। ଏହି ଧାନକୁଟିବାକୁ କୁହାଯାଏ କୋଟା କୁଟିବା। ସାଧାରଣତଃ ସ୍ତ୍ରୀ ଲୋକମାନେ ଏ କାମ କରିଥାନ୍ତି। ଥିଲାବାଲାଙ୍କ ଘରେ ଧାନ ଥାଏ, ଢିଙ୍କିଶାଳ ଥାଏ। ତେଣୁ ଅଭାବୀ ସ୍ତ୍ରୀ ଲୋକଟିଏ ସେଇ ଥିଲାବାଲା ଘରେ ଧାନକୁଟି ସେଥିରୁ ସାମାନ୍ୟ ଖୁଦ ଚାଉଳ ମଜୁରି ଆକାରରେ ପାଇ ନିଜର ପରିବାର ପୋଷେ। ଏତିକି ଧାନ କୁଟିଲେ ଏତିକି ଚାଉଳ ଭାଗ ମିଳିବ ବୋଲି ଆଗରୁ କଥା ଛିଡ଼ିଥାଏ। ସେଇ ଭାଗମାପ ସହ କୋଟା ଶବ୍ଦ ସମ୍ପର୍କିତ। ମୋଟା ମୋଟି କୋଟା କୁଟୁଥିବା ସ୍ତ୍ରୀ ଲୋକଟି ଗରିବ ତଥା ଅସହାୟ। ସେ ଭଳି କ୍ଷେତ୍ରରେ ତା’ର ଯଦି ପୁଅଟିଏ ଥାଏ ଓ ସେ ବଡ଼ ବଡ଼ କଥା କହି ନିଜର ବାହାପିଆମି ଦେଖାଏ ସେଇକଥାକୁ ଉପଲକ୍ଷ୍ୟ କରି ମନ୍ତ୍ରବ୍ୟ ପ୍ରକାଶ ପାଏ ଯେ ‘‘ମା’ କୋଟା କୁଟେ, ପୁଅ ମୁଣ୍ଡେ ଜାଇଫୁଲ ଫୁଟେ’’।
ଶବ୍ଦତୋଡ଼ା : ରୀତିନୀତି
/sambad/media/post_attachments/wp-content/uploads/2022/11/7-5.jpg)
ରୀତିର ଅର୍ଥ ଚଳଣି। ଆମେ ଯେଉଁପରି ବଞ୍ଚୁ ଓ କାରବାର କରୁ ତାହା ଆମର ରୀତି ପାଲଟିଯାଏ। ମାତ୍ର ନୀତି କଥାଟି ମୂଲ୍ୟବୋଧଭିତ୍ତିକ। ଖରାପ ଚଳଣି ବା ଢଙ୍ଗକୁ କେହି କେବେ ନୀତିଭାବରେ ସ୍ବୀକାର କରନ୍ତି ନାହିଁ। ଜଣଙ୍କର ବା ଗୋଟିଏ ଜନଗୋଷ୍ଠୀର ନୀତି ହୁଏତ ଆଉ କାହାପାଇଁ ଅନୀତି ହୋଇପାରେ ମାତ୍ର ସେହି ଲୋକସମୂହ ଲାଗି ତାହା ଏକ ମୂଲ୍ୟବୋଧ ହୋଇ ରହିଯାଏ। ନାନା ନୀତି, ନିୟମ ସେଥିଲାଗି ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। ସେହି ଭଳି ରୀତି ବା ଢଙ୍ଗ। ନଈକେ ବାଙ୍କ ଦେଶକେ ଫାଙ୍କ ଭଳି ବିଭିନ୍ନ ଜନପଦରେ ବିଭିନ୍ନ ପ୍ରକାରର ରୀତି ଓ ନୀତି। ଅନେକ ସ୍ଥଳରେ ଆମେ କୌଣସି ଅଞ୍ଚଳର ଅଧିବାସୀଙ୍କ ଜୀବନଯାପନ କଥା ଆଲୋଚନା କଲାବେଳେ ସେମାନଙ୍କ ରୀତିନୀତିର କଥା କହୁ। ରୀତି ଓ ନୀତିକୁ ମିଶାଇ ଦେଉ। ଅର୍ଥାତ ଚଳଣି ଓ ନିୟମକୁ ଏକତ୍ର କରି ସେମାନଙ୍କର ଆକଳନ କରୁ।