ବାବୁଲାର ସ୍ବପ୍ନ

ତୁମ କାହାଣୀ - ରିନୁ ନାୟକ

ବାବୁଲା ଭାରି ଚାଲାକ୍‌। ଅଷ୍ଟମ ଶ୍ରେଣୀରେ ପାଠ ପଢ଼େ। ପାଠରେ ଯେମିତି ଖେଳରେ ମଧ୍ୟ ସେମିତି, ହେଲେ କ’ଣ ହେବ ତା’ର ଗଣିତ ପାଠ ଜମା ହୁଏ ନାହିଁ। ଗଣିତ ପିରିୟଡ୍‌ରେ ତାକୁ ଯେମିତି ଜର ମାଡ଼ିବସେ। ପାଟି ଶୁଖିଯାଏ। ଦିନେ ଗଣିତ ପଢ଼ାଉଥିବା କାହ୍ନୁ ଗୁରୁଜୀ ସ୍କୁଲ୍‌କୁ ଆସି ନ ଥିଲେ। ବାବୁଲାର ଖୁସି କହିଲେ ନ ସରେ। ଗଣିତ ପିରିୟଡ୍‌ରେ ଇତିହାସ ଦିଦି ଆସି ଆଲ୍ଲାଉଦ୍ଦିନ୍‌ର କୁହୁକ ଦୀପ ଗପ କହିଲେ। ସ୍କୁଲ୍‌କୁ ଆସିବା ପରେ ବାବୁଲାର ଗୋଟିଏ ନିଶା, ମତେ କୁହୁକ ଦୀପ ମିଳନ୍ତା କି? ତା’ ହେଲେ ଏହି ଗଣିତ ପାଠରୁ ମୁକ୍ତି ମିଳିଯାଆନ୍ତା ।

କିନ୍ତୁ ସେ ଭାଗ୍ୟ କାହିଁ? କାହ୍ନୁ ଗୁରୁଜୀ ନିହାତି ଆସିବେ। ଦେଇଥିବା ଗଣିତ ପାଠ ମାଗିବେ। ଏହା ଭାବି ଭାବି ବାବୁଲା ଶୋଇପଡ଼ିଲା। ଗଭୀର ନିଦରେ ଶୋଇଗଲା ପରେ ସେ ସ୍ବପ୍ନ ଦେଖିଲା। ପରଦିନ ସକାଳୁ ଉଠି ବାରିପଟେ ଥିବା ପୁରୁଣାଘର ଯେଉଁଠି ପୁରୁଣା ଆସବାବ ପତ୍ର ରଖାଯାଇଥିଲା ସେଠାରେ ଯାଇ ପହଞ୍ଚିଲା। ସେଠାରୁ ତାକୁ ଗୋଟିଏ ଦୀପ ମିଳିଗଲା। ଠିକ୍‌ ଆଲ୍ଲାଉଦିନ୍‌ର କୁହୁକ ଦୀପ ଭଳି। ବାବୁଲାର ଖୁସି କହିଲେ ନସରେ! ସଙ୍ଗେ ସ‌େଙ୍ଗ ସେ ତ‌ା’ ପିନ୍ଧିଥିବା ଜାମାରେ ଦୀପଟିକୁ ଘଷିବାକୁ ଲାଗିଲା। ଦେଖୁ ଦେଖୁ ସେଥିରୁ ଗୋଟିଏ ଜିନ୍‌ ବାହାରି ବାବୁଲା ଆଗରେ ହାତ ଯୋଡ଼ି କହିଲା, ପ୍ରଭୁ ଆଦେଶ ଦିଅନ୍ତୁ। ବାବୁଲା କାଳ ବିଳମ୍ବ ନ କରି ଆଦେଶ ଦେଲା ଆଜି ବହୁତ ଜୋର୍‌ରେ ବର୍ଷା କରାଅ ଯେମିତି କେହି ଘରୁ ବାହାରି ପାରିବେ ନାହିଁ। ଆଉ ସ୍କୁଲ ଛୁଟି ହୋଇଯିବ।

ସ‌େଙ୍ଗ ସଙ୍ଗେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ଆରମ୍ଭ ହୋଇଗଲା। ବାବୁଲା ଖୁସିରେ ନାଚିବାକୁ ଲାଗିଲା। ସେତେବେଳେ ହଠାତ୍‌ ଜୋରରେ ଘଡ଼ଘଡ଼ି ହେଲା ଓ ବାବୁଲାର ନିଦ ଭାଙ୍ଗିଗଲା। ସେ ଦେଖିଲା ସତରେ ବାହାରେ ବର୍ଷା ହେଉଛି। ବାବୁଲାର ସ୍ବପ୍ନ କଥା ମନେପଡ଼ିଲା। ବର୍ଷାକୁ ଦେଖି ବାବୁଲା ମନ ଦୁଃଖରେ ଭାଙ୍ଗି ପଡ଼ିଲା।

ସେ ଭାବିଲା, ମଁୁ କେତେ ବଡ଼ ଭୁଲ କଲି? ବର୍ଷା ବଦଳରେ ଯଦି କହିଥାଆନ୍ତି ଗଣିତ ଭଲ ହେଉ ତା’ ହେଲେ ମୋର ଗଣିତ ପାଠ ଭଲ ହୋଇଥାଆନ୍ତା ଓ କ୍ଲାସ୍‌ରେ କାହ୍ନୁ ଗୁରୁଜୀଙ୍କୁ ଭୟ କରିବାକୁ ପଡ଼ି ନଥାନ୍ତା।
ସପ୍ତମ ଶ୍ରେଣୀ
ଶ୍ରୀ ରାମ ପଣ୍ଡା ପ୍ରାଇମେରି ସ୍କୁଲ୍‌
ଜି ଉଦୟଗିରି

ସମ୍ବନ୍ଧିତ ଖବର