ଖୋଲା ଝରକା : ୧୫ ସେ‌କେଣ୍ଡ୍‌ରେ ଖାଦ୍ୟ ପରଷାଯାଏ

ଲୋକେ ହୋଟେଲ କିମ୍ବା‌ ରେସ୍ତୋରାଁକୁ ଖାଇବାକୁ ଗଲାବେଳେ ଅର୍ଡର ଦେବାର କିଛି ସମୟ ପରେ ସେମାନଙ୍କୁ ଖାଦ୍ୟ ମିଳିଥାଏ। ଏମିତି ଅନେକ ରେସ୍ତୋରାଁ ରହିଛି ଯେଉଁଠି ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ। ମାତ୍ର ବିଶ୍ବରେ ଏପରି ରେସ୍ତୋରାଁ ଅଛି ଯାହାକି ଗ୍ରାହକଙ୍କ ମୁହଁରୁ ଅର୍ଡର ଶୁଣିବା ପରେ ପରେ ଯନ୍ତ୍ର ଭଳି ଟେବୁଲ୍‌ରେ ଖାଦ୍ୟ ପହଞ୍ଚାଇ ଦିଏ। ସ୍ପେନ୍‌ର ‘କାର୍ନେ ଗରିବାଲ୍‌ଡି’ ନାମକ ରୋ‌ସ୍ତୋରାଁ ଅର୍ଡର ପାଇବାର ମାତ୍ର ୧୩ରୁ ୧୪ ସେକେଣ୍ଡ ଭିତରେ ଗ୍ରାହକଙ୍କୁ ଖାଦ୍ୟ ପରଷି ଦେଇଥାଏ। ଖାସ୍‌ ଏଥିପାଇଁ ରୋସ୍ତୋରାଁଟି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ରେସ୍ତୋରାଁର ସବୁଠୁ ଲୋକପ୍ରିୟ ବ୍ୟଞ୍ଜନ ‘କର୍ଣ୍ଣ ଏନ୍‌ ସୁ ଜୁଗୋ’, ସବୁଠୁ କମ୍‌ ସମୟରେ ରେସ୍ତୋରାଁରେ ପରଷାଯାଏ। ମେକସିକାନ୍‌ ବ୍ୟଞ୍ଜନକୁ ନିଆଁ ଆଞ୍ଚରେ ପକାଯାଉଥିବାରୁ ହୋଟେଲ୍‌ଟି ଖୋଲିବା ମାତ୍ରେ ଏଗୁଡ଼ିକୁ ପ୍ରସ୍ତୁତ କରାଯାଇଥାଏ। ଗ୍ରାହକଙ୍କ ଅର୍ଡର ଦେବାର ୧୫ ସେକେଣ୍ଡ୍‌ରେ ଖାଦ୍ୟକୁ ପ୍ଲେଟ୍‌ରେ ପରଷା ଯାଇଥାଏ।

କଥା-ଫରୁଆ – ଅଜାଗା ଘା’

ପୂରା ଢଗଟି ହେଲା ‘‘ଅଜାଗା ଘା’ ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ’’। ଦେହରେ ଘାଆ ହେଲେ ସେଥିପାଇଁ ଚିକିତ୍ସା ଲୋଡ଼ା। ପ୍ରଥମେ ଘା’ଟିର ତଦାରଖ ନିଜେ କରିବା ଦରକାର। ତା’ପରେ ଚିକିତ୍ସକଙ୍କ ପାଖକୁ ଯାଇ ସେ ସକାଶେ ପଥି ଓ ଔଷଧ ସମ୍ପର୍କରେ ଆଲୋଚନା କରାଯାଏ। ମାତ୍ର ଶରୀରର ଏମିତି କିଛି ଅଂଶ ଅଛି ଯାହାକୁ ନା ଦେଖି ହୁଏ ନା ଶାଳୀନତା କାରଣରୁ ଅନ୍ୟକୁ ଦେଖେଇ ହୁଏ। ଏହି ଅନୁଭବକୁ ଉଦ୍ଧାର କରି ଏ ଢଗଟି କେଉଁ ପ୍ରାଚୀନ କାଳରୁ ଚଳି ଆସିଛି। ଜୀବନ ଥିଲେ ଜଂଜାଳ ଅଛି, ସମସ୍ୟା ଅଛି। ହେଲେ ଏମିତି କିଛି କିଛି ସମସ୍ୟା ଉପୁଜେ ଯାହା ଏକାନ୍ତ ଭାବରେ ବ୍ୟକ୍ତିଗତ। ସେ ଭଳି ଅସୁବିଧାର ନିରାକରଣ ସକାଶେ ନା ନିଜେ କିଛି କରି ହୁଏ ନା ଅନ୍ୟ କାହାର ସାହାଯ୍ୟ ନେଇ ତା’ର ସମାଧାନ କରାଯାଇପାରେ। ବିଶେଷ କରି ଯେଉଁ ସମସ୍ୟା ପରିବାର ଭିତରେ ଅତି ନିକଟ ସମ୍ପର୍କୀୟଙ୍କୁ ନେଇ ଉପୁଜିଥାଏ ସେ କ୍ଷେତ୍ରରେ ଏ ଭଳି ପରିସ୍ଥିତି ଉତ୍ପନ୍ନ ହୁଏ। ସେତିକିବେଳେ ଉପଲକ୍ଷ୍ୟ ଦେଇ କୁହାଯାଏ, କ’ଣ କରାଯିବ, ତାହା ତ ‘‘ଅଜାଗା ଘା’’, ନା ଦେଖି ହେଉଛି, ନା ଦେଖେଇ ହେଉଛି।

ଶବ୍ଦତୋଡ଼ା – ହରିକାଠ

Pinterest

ହିନ୍ଦୁଧର୍ମାବଲମ୍ବୀମାନେ ହରି ଶବ୍ଦ ସହ ଅଧିକ ପରିଚିତ। ବିଷ୍ଣୁଙ୍କର ଅନ୍ୟନାମ ହରି। କେତେକ କ୍ଷେତ୍ରରେ ମଧ୍ୟ ଶ୍ରୀହରି ବୋଲି ବିଷ୍ଣୁ ବା ନାରାୟଣଙ୍କୁ ଅର୍ଚ୍ଚନା କରାଯାଏ। ହେଲେ ହରିକାଠ କ’ଣ? ବିଷ୍ଣୁଙ୍କର ଚନ୍ଦନକାଠ ପ୍ରିୟ। ଆମ ଓଡ଼ିଅାରେ ଗୋଟିଏ ସୁନ୍ଦର ଭଜନ ଅଛି- ‘‘ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣିଙ୍କି’’। ହରି ଚନ୍ଦନକାଠ ପ୍ରିୟ ହେଲେ ମଧ୍ୟ ହରିକାଠ କହିଲେ ଚନ୍ଦନକାଠକୁ ବୁଝାଏ ନାହିଁ। ‘ହରିକାଠ’ ଏକ ଭୟଙ୍କର କାଠଯନ୍ତ୍ର-ବିଶେଷ ଯାହାଦ୍ବାରା ଅପରାଧୀକୁ ମରଣାନ୍ତକ ଦଣ୍ଡରେ ଦଣ୍ଡିତ କରାଯାଏ। ପୁରାତନକାଳରେ ଏ ଭଳି ଅର୍ଗଳଯୁକ୍ତ ବେଡ଼ିଯାତୀୟ କାଠର ଯନ୍ତ୍ର ବ୍ୟବହାର କରି ଦୋଷୀକୁ କଷ୍ଟ ଦିଆଯାଉଥିଲା। ବିଭିନ୍ନ ଦେଶରେ ମଧ୍ୟ ଏହାର ବହୁଳ ବ୍ୟବହାର ହୋଇଥିବା ଆମେ ଇତିହାସରୁ ପଢ଼ିବାକୁ ପାଉ। ଏବେ ବିଭିନ୍ନ ଐତିହାସିକ ସିନେମାରେ ଏ ଯନ୍ତ୍ରଟି ଅଭିନୟରେ ବ୍ୟବହୃତ ହୋଇଥାଏ। ଏହାର ଅନ୍ୟନାମ ଧର୍ମଦଣ୍ଡିକା। ବିଭିନ୍ନ ଭାଷାରେ ହୁଏତ ଏହାର ନାମ ଭିନ୍ନ ଭିନ୍ନ ହୋଇପାରେ। ଏହାର ନାମ କାହିଁକି ହରିକାଠ ହୋଇଛି ସେ କଥା ବୁଝାଇ କହିବା କଷ୍ଟ।

ସମ୍ବନ୍ଧିତ ଖବର