ମମତାର ମୂଲ

ତୁମ ଗପ - ମନସା ବେହେରା

ଏକ ଚିଡ଼ିଆଖାନାରେ ସିଂହଯନ୍ତା ଭିତରକୁ ଗୋଟିଏ କୁକୁର ପଶିଗଲା। ସିଂହ ଧଡ଼ପଡ଼ ହୋଇ ଉଠିଲା। ନିକଟରେ ଖାଦ୍ୟକୁ ପାଇ ସିଂହ ମାଡ଼ି ଆସିଲା। ମାତ୍ର କୁକୁରଟି ଡରିଯାଇ ଲାଙ୍ଗୁଡ଼ ଜାକିଜୁକି ପଡ଼ି ରହିଲା। ସିଂହ ତାକୁ ଶୁଙ୍ଘିଲା। ପଞ୍ଝାରେ ଏପଟ ସେପଟ କରି ଗଡ଼େଇଲା। ମାତ୍ର କାହିଁକି କେଜାଣି ତାକୁ ମାରିଲାନି। ବୋଧହୁଏ କୃତଜ୍ଞତା ଫଳ ସ୍ବରୂପ କୁକୁର ଜୀବନ ପାଇଲା। କୁକୁରଟି ନୀରବରେ ପଡ଼ିଥାଏ ଓ କୌଣସି ପ୍ରତିକ୍ରିୟା ଦେଖାଉ ନ ଥାଏ। ତା’କୁ ଛାଡ଼ି ଦେଇ ସିଂହ ଆରାମ କଲା। ଖୁଆଡ଼ ଦାୟିତ୍ବରେ ଥିବା କର୍ମଚାରୀ ଜଣକ କୁକୁର ଦେଖି ଘଉଡ଼େଇବାକୁ ଚେଷ୍ଟା କଲା। ମାତ୍ର ସିଂହ ପ୍ରତିବାଦ କଲା ଓ ନିଜ ପଞ୍ଝାରେ ତାରବାଡ଼କୁ ଭିଡ଼ି ରଡ଼ି ଛାଡ଼ିଲା। ତେଣୁ କର୍ମଚାରୀ ଜଣକ ନୀରବ ରହିଲେ। ଖାଇବା ସମୟ ହେଲା, ସିଂହ ପାଇଁ ମାଂସ ଆସିଲା। ସେଥିରୁ ଖଣ୍ଡେ ଚିରି ସେ କୁକୁରକୁ ଦେଲା। କୁକୁର ବି ଭୋକିଲା ଥିଲା, ସେଥିପାଇଁ ସେ ମାଂସଖଣ୍ଡଟିକୁ ଆରମରେ ଖାଇଲା।

ଏହିପରି କିଛି ଦିନ ଗଲା। ଆସ୍ତେ ଆସ୍ତେ କୁକୁରଟି ସିଂହର ନିକଟତର ହେଲା। ଧୀରେ ଧୀରେ ସିଂହ ପାଖରେ ଶୋଇବା ଆରମ୍ଭ କଲା। ତା’ପରେ ଦେଖାଗଲା ଶୋଇବା ପାଇଁ ସିଂହ କୁକୁରକୁ ଅପେକ୍ଷା କରିଥାଏ। ଭଭୟ ସାଥୀ ହୋଇ ଶୁଅନ୍ତି। ସିଂହ କୁକୁର ବିନା ନିଜ ଜୀବନକୁ ଅସାର ମନେ କରୁଥାଏ। ଏମିତି ହିଁ ଦୁଇଜଣଙ୍କର ଭଲପାଇବା ବଢ଼ିବାରେ ଲାଗିଲା। ଭଲରେ ଦିନଗୁଡ଼ିକ କଟିଗଲା।

ହଠାତ୍‌ ଦିନେ କୁକୁର ଦେହ ଖରାପରେ ପଡ଼ିଲା। ଡାକ୍ତର ଚିକିତ୍ସା କଲେ ମଧ୍ୟ ସେ ଭଲ ହେଲାନି। ଶେ‌ଷରେ ସେ ଆଖି ବୁଜିଲା। ଏହି କଥା ସିଂହ ସହ୍ୟ କରିପାରିଲାନି। ବାରମ୍ବାର ତାରବାଡ଼କୁ ପଞ୍ଝାରେ ଆଘାତ କଲା। ଗଜର୍ନ ପରେ ଗର୍ଜନ ଛାଡ଼ିଲା। କର୍ମଚାରୀମାନେ ସତଚେଷ୍ଟା କଲେ ମଧ୍ୟ ସିଂହକୁ ଆୟତ୍ତ କରିପାରିଲେନି କି କୁକୁରର ଶବକୁ ନେଇ ପାରିଲେନି। ଶେ‌ଷରେ ଅନ୍ୟ ଉପାୟ ନ ପାଇ ଆଉ ଗୋଟିଏ କୁକୁର ଆଣି ଶବଟିକୁ ନେବାପାଇଁ ଚେଷ୍ଟା କଲେ। କର୍ମଚାରୀମାନେ ଭାବିଲେ ସିଂହଟି ଆଉଗୋଟିଏ କୁକୁର ପାଇ ଆଉ କାନ୍ଦିବନି। କିନ୍ତୁ ଯେମିତି ଅନ୍ୟ କୁକୁରଟିକୁ ପାଇଛି ସାଙ୍ଗେ ସାଙ୍ଗେ ରାଗରେ କାମୁଡ଼ି ମାରିଦେଲା। କର୍ମଚାରୀମାନେ କୁକୁରକୁ ତା’ଠାରୁ ନେଇପାରିଲେନି।

ଦୁଃଖରେ ସିଂହ ଖାଇବା‌ ପିିଇବା ଛାଡ଼ିଦେଲା। ଦଶଦିନ ପରେ ସିଂହଟି ମଧ୍ୟ ଆଖି ବୁଜିଲା। କର୍ମଚାରୀମାନେ ସିଂହର ଏହି ବନ୍ଧୁ ସ୍ନେହ ଦେଖି କାନ୍ଦି ପକାଇଲେ।
ଲୟଲା ସ୍କୁଲ, ଭୁବନେଶ୍ବର

ସମ୍ବନ୍ଧିତ ଖବର