ଗୋଟିଏ ବିଷଧର ସାପ ଆହାର ପାଇଁ ଏଣେ ତେଣେ ବୁଲୁଥିଲା। ସଂଜ ନଇଁ ରାତି ହେଲା,ତଥାପି ସେ କିଛି ଖାଇବା ପାଇଁ ପାଇଲା ନାହିଁ। ପାଖରେ ଗୋଟିଏ ବଢ଼େଇ ଦୋକାନ ଥିଲା। ସେଠାରେ ଅନେକ ମୂଷା ରହୁଥିଲେ। ମୂଷାଙ୍କୁ ଖାଇ ଭୋକ ମେଣ୍ଟାଇବା ଆଶାରେ ସାପଟି ଚାଳଦେଇ ଦୋକାନ ଭିତରକୁ ପଶିଗଲା।

Advertisment

ରାତି ସମୟ,ତେଣୁ ଦେକାନ ବନ୍ଦ ଥାଏ। ଦୋକାନର ସମସ୍ତ ଯନ୍ତ୍ରପାତି ଏଣେତେଣେ ପଡ଼ିଥାଏ।ସାପଟି ଯାଉ ଯାଉ କାନ୍ଥ କଡ଼ରେ ଥୁଆ ହୋଇଥିବା ଏକ କରତ ଉପରେ ଚଢ଼ିଗଲା। କରତ ହଲି ଯିବାରୁ ତାର ମୁନିଆଁ ଦାନ୍ତ ସାପର ଲାଞ୍ଜ ଭାଗକୁ ସାମାନ୍ୟ ଆଂଚୁଡି ଦେଲା। ସାପଟି ମନେ ମନେ ଭାବିଲା,କେହି ତାକୁ ଅନ୍ଧାରରେ ମାରିବାକୁ ଚେଷ୍ଟା କରୁଛି। ସେ ପ୍ରତିଶୋଧ ନେବା ପାଇଁ ଚିନ୍ତା କଲା ଓ ବିଳମ୍ବ ନକରି କରତର ଧାରୁଆ ଦାନ୍ତକୁ ଦଂଶନ କଲା।

ଏହା କରିବା ଦ୍ୱାରା ସାପଟିର ଫଣାର କିଛି ଅଂଶ କରତର ଧାରୁଆ ଦାନ୍ତରେ କଟିଗଲା ଏବଂ ରକ୍ତ ବୋହିବାକୁ ଲାଗିଲା। ଦେହକୁ ଯନ୍ତ୍ରଣା ଲାଗିବାରୁ ସେ ଭୟଙ୍କର ରାଗିଯାଇ କରତକୁ ନିଜର ଲମ୍ବା ଶରୀରରେ ଗୁଡ଼େଇଦେଲା ଏବଂ କରତକୁ ଅଣନିଶ୍ୱାସୀ କରି ମାରିଦେବା ପାଇଁ ଶରୀରକୁ ଜୋରରେ ଭିଡ଼ିବାରେ ଲାଗିଲା। ଏହା କରିବା ଦ୍ୱାରା କରତର ମୁନିଆଁ ଦାନ୍ତ ସାପଟିର ସମଗ୍ର ଶରୀରକୁ ଖଣ୍ଡିଆ କରି ରକ୍ତାକ୍ତ କରିଦେଲା। ଆହତ ସାପଟି ଚଳନ ଶକ୍ତି ହରାଇ ବସିଲା ଓ କିଛି ସମୟ ପରେ ତା’ର ମୃତ୍ୟୁ ହେଲା।

ରାତିପାହି ସକାଳ ହେଲା। ଦୋକାନ ଖୋଲିବା ପରେ ଆଖପାଖର ସମସ୍ତ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। କେହି କେହି କହୁଥିଲେ ଅତ୍ୟଧିକ କ୍ରୋଧ ହିଁ ସାପଟିର ଜୀବନ ନେଲା।

ତାଙ୍କ ମଧ୍ୟରୁ ଜଣେ ବାହାରି କହିଲା ସାମାନ୍ୟ ଝଗଡା କିମ୍ବା ଅନ୍ୟ କାହାର ଛୋଟ ଆଘାତରେ ବିବ୍ରତ ନ ହୋଇ ନିଜକୁ ଶାନ୍ତ ରଖିବା ନିହାତି ଆବଶ୍ୟକ। କ୍ରୋଧବଶ ହୋଇ ଝଗଡ଼ା କରିବା କିମ୍ବା ପ୍ରତିଶୋଧ ପରାୟଣ ହୋଇ ଅନ୍ୟକୁ ଆଘାତ ଦେବାକୁ ଚେଷ୍ଟାକଲେ ନିଜର କ୍ଷତି ବେଶି ହୋଇଥାଏ ଏବଂ ନିଜକୁ ପରାଜୟର ସାମ୍ନା କରିବାକୁ ପଡ଼ିଥାଏ।ତେଣୁ ଭାବିଚିନ୍ତି ଛୋଟ ଛୋଟ ସମସ୍ୟାକୁ ଶାନ୍ତ ସୁଲଭ ସ୍ୱଭାବରେ ସାମ୍ନା କଲେ,ଆମେ ଦୁଃଖକୁ ଦୂରେଇ ନିଶ୍ଚୟ ଖୁସିରେ ରହିବା।
ତେନ୍ତୁଳିପଦା, ଜଗତସିଂହପୁର