ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ରହିଛି। ସେଥିମଧ୍ୟରୁ ଏକ ଅଜବ ପରମ୍ପରା ରହିଛି ଇଣ୍ଡୋନେସିଆରେ। ଏଠାରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ନିଜ ସାଥିରେ ରଖିଥାଆନ୍ତି। କେବଳ ସେତିକି ନୁହେଁ, ମୃତ ଶରୀରକୁ ପ୍ରତିଦିନ ଖାଦ୍ୟ ମଧ୍ୟ ପରଷିଥାଆନ୍ତି। ‘ତୋରାଜା’ ନାମକ ଏହି ପରମ୍ପରା ଇଣ୍ଡୋନେସିଆରେ ବହୁଳ ପ୍ରଚଳିତ। ପରିବାର ସଦସ୍ୟମାନେ ମଧ୍ୟ ମୃତଦେହର ସେବା କରିଥାଆନ୍ତି। ଏଠାରେ ବିଶ୍ବାସ ରହିଛି ଯେ କେହି ମରନ୍ତି ନାହିଁ। କେବଳ ଅସୁସ୍ଥ ହୁଅନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ସେବା କରାଯିବା ଉଚିତ। ମୃତଦେହକୁ ଘରର ଏକ କଠୋରିରେ ରଖାଯାଇଥାଏ। ଶବଟି ସତେଜ ଦେଖାଯାଉଥାଏ, ଯେମିତି ଜଣେ ଜୀବିତାବସ୍ଥାରେ ଦେଖାଯାଆନ୍ତି। ମୃତଦେହଟି ନଷ୍ଟ ନ ହେବା ପାଇଁ ପରିବାର ଲୋକେ ଏହା ଉପରେ ଏକ ବିଶେଷ ପ୍ରକାରର ପତ୍ର ଓ ଔଷଧ ବ୍ୟବହାର କରିଥାନ୍ତି। ବିଶ୍ବାସ କରାଯାଏ ଯେ ଯେପର୍ଯ୍ୟନ୍ତ ଲୋକଟିର ଅନ୍ତିମ ସମୟ ନ ଆସିଛି ସେପର୍ଯ୍ୟନ୍ତ ତା’କୁ ରଖାଯାଏ। ଶେଷ ସମୟ ଆସିଗଲେ ଧୁମ୍ଧାମ୍ରେ ନିକଟରେ ଥିବା ଗାଁ ପାହାଡ଼ରେ ପଥର କାଟି କଫିନ୍ରେ ରଖାଯାଇଥାଏ।
କଥା-ଫରୁଆ - ‘‘ଗଙ୍ଗା କହିଲେ ଥିବି, ଗାଙ୍ଗୀ ବୋଇଲେ ଯିବି’’
ଅନେକ ସମୟରେ କେହି କେହି ଏ କଥାଟି କହୁଥିବାର ଆମେ ଶୁଣିବାକୁ ପାଉ। କ’ଣ ଏ କଥାର ତାତ୍ପର୍ଯ୍ୟ? ଗଙ୍ଗା କହୁଥିବା ଯାଏ ଥିବ, ଗାଙ୍ଗୀ କହିଲେ ପଳେଇବ। କ’ଣ ଏ କଥା? ଧରାଯାଉ ଜଣକର ନାମ ସୁଦର୍ଶନ। ତା’କୁ ଅାମେ ସୁଦିଆ ଡାକିବା ଅର୍ଥ ତା’କୁ ଅପମାନିତ କରିବା। ଘର ଲୋକେ ଯଦି ସୁଦିଆକୁ ପିଲାଦିନୁ ଡାକନାମ କରିଥିବେ ତେବେ କଥା ଅଲଗା। ହେଲେ କାହାର ନାମକୁ ବିକୃତ କରି କହିଲେ ତାହା ଅପମାନସୂଚକ ବୋଲି ବୁଝାଇଥାଏ। ଏ ନେଇ ମହାଭାରତରେ ଗୋଟିଏ କାହାଣୀ ଅଛି। ରାଜା ଶାନ୍ତନୁ ଥରେ ଗଙ୍ଗାଙ୍କୁ ଦେଖି ତାଙ୍କୁ ବିବାହ କରିବା ପାଇଁ ଇଛା ପ୍ରକଟ କଲେ। ଗଙ୍ଗା ରାଜି ହେେଲ, ମାତ୍ର ଗୋଟିଏ ସର୍ତ୍ତ ରଖିଲେ। କହିଲେ, ‘‘ମଁୁ ତୁମକୁ ବିବାହ କରି ସେତେଦିନ ଯାଏ ପାଖରେ ରହିବି ଯେ ପର୍ଯ୍ୟନ୍ତ ତୁମେ ହତାଦର ନ କରିଛ। ଅର୍ଥାତ୍ ମତେ ଗାଙ୍ଗୀ ବୋଲି କହି ଅନାଦର କଲେ ବା ମୋ କାର୍ଯ୍ୟରେ ବିରୋଧ କଲେ ମଁୁ ତୁମକୁ ଛାଡ଼ି ଚାଲିଯିବି।’‘ ‘‘ଗଙ୍ଗା କହିଲେ ଥିବି ଗାଙ୍ଗୀ ବୋଇଲେ ଯିବି।’’
ଶବ୍ଦତୋଡ଼ା - ସୁଖଦୁଃଖ
/sambad/media/post_attachments/wp-content/uploads/2022/12/12-10.jpg)
ସୁଖ କହିଲେ ଯାହା ଆମକୁ ଆନନ୍ଦ ଦିଏ। ଯେମିତି ଆମକୁ ମିଠା ଖାଇବାକୁ, ଖେଳିବାକୁ, ବୁଲିବାକୁ, ସାଙ୍ଗ ହେବାକୁ ଭଲ ଲାଗେ। ସେଥିରୁ ଆନନ୍ଦ ମିଳେ। ତେଣୁ ଆମେ କହୁ, ‘‘ମଁୁ ବୁଲିବାକୁ ସୁଖ ପାଏ।’’ ସେମିତି ଯେଉଁ କଥା ଆମକୁ କଷ୍ଟ ଦିଏ ତାହା ଦୁଃଖର କାରଣ ବୋଲି ସମସ୍ତେ ଜାଣନ୍ତି। ଯେମିତି ଖଣ୍ଡିଆ ଖାବରା ହୋଇଯିବା, ଅସଫଳ ହେବା, ଗାଳି ଶୁଣିବା। ହେଲେ ସୁଖଦୁଃଖ ମିଶିଗଲେ ଆମକୁ ତାହା ଆଉ ଏକ ଅର୍ଥର ସୂଚନା ଦିଏ। ଧରାଯାଉ ଜଣେ କହିଲେ, ‘‘ସୁରେଶ ଓ ମଁୁ ଉଭୟ ଭଲ ବନ୍ଧୁ। ଆମେ ଅନେକ ସମୟରେ ଏକାଠି ବସି ସୁଖଦୁଃଖ ହେଉ। ଏଠାରେ ସୁଖଦୁଃଖର ଅର୍ଥ ବାର୍ତ୍ତାଳପ ବା ଗପସପ। ମନରେ ପ୍ରଶ୍ନ ଉଠିପାରେ ଗପସପର ସୁଖ ବା ଦୁଃଖ ସହ ସମ୍ପର୍କ କ’ଣ? ସମ୍ପର୍କ ଅଛି। କାରଣ ଜୀବନ ମାତ୍ରେ ତାହା ସୁଖ ଦୁଃଖର ସମାହାର। ଏମିତି କେହି ନାହିଁ ଯାହାର ଜୀବନରେ କିଛି ସୁଖ ନାହିଁ କି କିଛି ଦୁଃଖ ନାହିଁ। ତେଣୁ ଯେ କୌଣସି ବାର୍ତ୍ତାଳାପ ବା ଗପସପରେ ଏ ଦୁଇଟି କଥା ରହିବାକୁ ବାଧ୍ୟ। ତେଣୁ କୁହାଯାଏ ‘‘ଆମେ ଦୁହେଁ ତ ସୁଖଦୁଃଖ ହେଉଥିଲୁ।’’