ପଦନା ଆଉ ମଦନା ଥିଲେ ଦୁଇସାଙ୍ଗ। ପଦନା ଭଲ ପାଠ ପଢ଼ୁଥିଲା। ମଦନା ଜମା ପାଠ ପଢ଼େନି। ସବୁବେଳେ ଦୁଷ୍ଟହୁଏ। ଆଉ ପଦାନକୁ କୁହେ ତା’ର ହୋମୱାର୍କ କରିବାକୁ। ପଦନା ଯେତେ ବୁଝେଇଲେ ବି ଜମା ଶୁଣେନି। ସ୍କୁଲରେ ସାଙ୍ଗ ଉପରେ ମାଡ଼ ହେବ ଭାବି ପଦନା ତା’ର ହୋମୱାର୍କ କରିଦିଏ। ମଦନା ହସଖୁସିରେ ସବୁ ସମୟତକ କଟେଇ ଦିଏ। ପରୀକ୍ଷା ସମୟ ଆସିଲେ ମଦନା କୁହେ ମୁଁ ତ କିଛି ଜାଣିନି, ତୁ କ’ଣ ଚାହୁଁଛୁ ତୋ’ ସାଙ୍ଗ ଫେଲ ହୋଇଯାଉ? ପଦନାକୁ ଦୟା ଲାଗେ। କପିକରିବା ବା କପିକୁ ସୁଯୋଗଦେବା ଦୁଇଟିଯାକ ଅନ୍ୟାୟ ଜାଣି ସୁଦ୍ଧା ପଦନା ଜାଣିଜାଣି ନିଜର ସାଙ୍ଗପାଇଁ ଅନ୍ୟାୟ କରି ବସେ। ବାରମ୍ବାର ମଦନାକୁ ବୁଝାଏ। କିନ୍ତୁ ସେ ଜମା ବୁଝେନି ଓଲଟି ତା’କୁ ପାଠ ନ ଦେଖେଇଲେ ତା’ ସହିତ ବନ୍ଧୁତା ରଖିବନି ବୋଲି ସଫାସଫା ମନା କରିଦିଏ।

Advertisment

ରେଜଲ୍ଟ ଆସିଲେବେଳେ ମଦନା ପଦନାଠାରୁ ଅଧିକ ମାର୍କ ଅଣୁଥାଏ। ମଦନା ଦୁଷ୍ଟହେଲେ ବି ତା’ର ଅକ୍ଷରଗୁଡିକ ବହୁତ ସୁନ୍ଦର। ନିଜର ଅକ୍ଷରପାଇଁ ସେ ବହୁତ ସମୟରେ ଅଧିକ ମାର୍କ ଆଣିଥାଏ। ନିଜ ସାଙ୍ଗର ସଫଳତାରେ ପଦନା ଖୁସିହୁଏ। କିନ୍ତୁ ମଦନା ବହୁତ ଗର୍ବ କରେ। ଚାରିଆଡ଼େ ବୁଲିବୁଲି କୁହେ ମୋତେ ପରା କୁହ ମୂର୍ଖ। ଦେଖ ମୁ କେତେ ମାର୍କ ରଖିଛି। ମଦନା କିନ୍ତୁ ପଦନା ସହିତ ସାଙ୍ଗ ହେଉଥାଏ ତା’ର ସ୍ୱାର୍ଥପାଇଁ। କାହିଁକି ନା ସେ ତା’ର ପାଠକରି ଦେଉଛି, ପରୀକ୍ଷାରେ ଖାତା ଦେଖାଉଛି ନ ହେଲେ ସିଏ ଫେଲ୍‌ ହୋଇଯିବ ସେଥିପାଇଁ।

ସେଦିନ ପଦନାର ଦେହ ଭଲ ନଥାଏ। ମଦନାକୁ କହିଲା ମୁ ଆଜି ତୋ’ର ହୋମୱାର୍କ କରିପାରିବିନି। ତୁ’ କରିଦେ। ପରଦିନ ସ୍କୁଲରେ ମଦନା ବହୁତ ମାଡ଼ ଖାଇଲା ଆଉ ରାଗିଯାଇ ପଦନା ସହିତ ସମ୍ପର୍କ କାଟିଦେଲା। କିଛିଦିନ ପରେ ତା’ର ପରୀକ୍ଷା ଥିଲା। ପଦନା ସହିତ କଥା ହେଉନଥିବାରୁ ତା ସହିତ ସମ୍ପର୍କ ରଖିନଥିବାରୁ ମୁହଁଖୋଲି ତା’କୁ ଆଉ ଖାତା ମାଗିବି ପାରିଲା ନାହିଁ। ସେଥର ମଦନା ଫେଲ ହୋଇଗଲା। ତା’ର ସାଙ୍ଗମାନେ ତା’ଠାରୁ ଉପର କ୍ଲାସକୁ ଚାଲିଗଲେ। ତାକୁ ବହୁତ ଖରାପ ଲାଗିଲା।

ଦିନେ ରାତିରେ ଶୋଇଥାଏ। ସ୍ୱପ୍ନରେ ପଦନା ତା ପାଖକୁ ଆସି କହିଲା ଆରେ ମଁୁ ତତେ କେତେ କହିଛି ପାଠପଢ଼। ଅନ୍ୟ ଉପରେ ଭରଷା କରିବା ଭଲକଥା ନୁହେଁ। ସମସ୍ତେ ନିଜନିଜର କର୍ମ ନେଇ ଫଳ ପାଇଥାନ୍ତି। ଏହି ସମୟରେ ମଦନାର ନିଦ ଭାଙ୍ଗିଗଲା। ଆଉ ସେ ଦେଖିଲା ତା’ର ଆଖିରେ ନିଜ ଅଜାଣତରେ କେଇ ବୁନ୍ଦା ଲୁହ ଜକେଇ ଆସିଥିଲା।

ପରଦିନ ସକାଳୁ ମଦନା ନିଜ ଭୁଲ ବୁଝିପାରି ପଦନା ପାଖକୁ ଗଲା ଆଉ ନିଜର କର୍ମ ପାଇଁ ଅନୁତାପ କଲା। ପୁଣି ଥରେ ତା’ ସହିତ ବନ୍ଧୁତା ସ୍ଥାପନା କରି ମନଦେଇ ପାଠ ପଢ଼ିଲା।
ସୁନ୍ଦରପୁର,ଯାଜପୁର