ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଜିକାଲି ଲୋକମାନେ ଏକାଗ୍ରତା ହରାଇବସୁଛନ୍ତି। ଯେ କୌଣସି କାମ ପ୍ରତି ଲୋକଙ୍କ ଧ୍ୟାନ ଦେବା ସମୟ କମ୍‌ ଦେଖାଯାଉଛି। ଏହାର ଅର୍ଥ ଟେକ୍ନୋଲୋଜି ଯୋଗଁୁ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ୁଛି। ବ୍ରିଟେନ୍‌ର ଏକ ରିସର୍ଚ୍ଚରୁ ଜଣାପଡ଼ିଛିି କୌଣସି କର୍ମଚାରୀଙ୍କୁ ଯଦି କିଛି କାର୍ଯ୍ୟଭାର ଦିଆଯାଉଛି, ତାହାହେଲେ ୩ ମିନିଟ୍‌ରୁ ଅଧିକ ସମୟ ସେହି କାମ ଉପରେ ଧ୍ୟାନ ଦେଇପାରୁନାହାନ୍ତି। କିନ୍ତୁ ପ୍ରତି ଦିନ ଦୁଇ ହଜାର ଥର ମୋବାଇଲ ଫୋନ୍‌ ଚେକ୍‌ କରୁଛନ୍ତି। ହାରାହାରି ଜଣେ ବ୍ୟକ୍ତି ମୋବାଇଲ ଫୋନ ଦେଖିବା ପାଇଁ ତିନି ଘଣ୍ଟାରୁ ଅଧିକ ସମୟ ବିତାଉଛି। ଏହାକୁ ଆଟେନସନ୍‌ କ୍ରାଇସିସ୍‌ ତଥା ଧ୍ୟାନ ସଙ୍କଟ କୁହାଯାଏ। ବଡ଼ ହାଇଟେକ୍‌ କମ୍ପାନିଗୁଡ଼ିକ ବ୍ୟବସାୟ ମଡେଲ୍‌ ଏପରି ଯେ ସେମାନେ କେବଳ ଧ୍ୟାନରୁ ବଡ଼ ଅର୍ଥ ଉପାର୍ଜନ କରନ୍ତି। ଲୋକଙ୍କ ଫୋକସ୍‌ରେ ଘଟୁଥିବା ହ୍ରାସର ପ୍ରମୁଖ କାରଣ ହେଉଛି କାର୍ବୋହାଇଡ୍ରେଟେଡ୍ ଫୁଡ୍‌ ଓ କମ୍ ନିଦ। ଏପରି କି ପରୀକ୍ଷାରୁ ଜଣାପଡ଼ିଛି ଯେ ଲୋକଙ୍କ ପଢ଼ିବା ଅଭ୍ୟାସ ବହୁତ କମ୍‌ ହେବାରେ ଲାଗିଛି। ମୋବାଇଲ୍‌ କିମ୍ବା କମ୍ପ୍ୟୁଟର୍‌ ସ୍କ୍ରିନ୍‌ରେ ପଢ଼ିବା ଦ୍ବାରା ଏକାଗ୍ରତା ବଢ଼େ ନାହିଁ। କିନ୍ତୁ ବହିପଢ଼ାରେ ଧ୍ୟାନ କେନ୍ଦ୍ରିତ ହୋଇଥାଏ।

Advertisment

କଥା-ଫରୁଆ: ଡେଙ୍ଗା ମୁଣ୍ଡରେ ଠେଙ୍ଗା

ମଣିଷକୁ ଆମେ ଡେଙ୍ଗା, ଗେଡ଼ା ଭେଦରେ ବିଚାର କରୁ। ପଦ ପଦବୀ ଓ ପ୍ରତିଷ୍ଠା ଭେଦରେ ଆମେ ସମାଜରେ କାହାକୁ ବଡ଼ କହୁ ତ କାହାକୁ କହୁ ସାନ। ଏଇ ବଡ଼ପଣିଆକୁ ଡେଙ୍ଗା ବୋଲି କହୁ। କାରଣ ସମାଜରେ ସେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇଥାଆନ୍ତି। ଏ ପରିକି ଘରର ମୁରବି ବା ସାମାଜିକ ଗୋଷ୍ଠୀରେ ପ୍ରଧାନ ସାଜିଥିବା ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ପ୍ରତିଷ୍ଠା ଦିଗରୁ ଡେଙ୍ଗା ବୋଲି କୁହାଯାଏ। ଘରେ ଯେମିତି ବାପା, ସ୍କୁଲ୍‌ରେ ଯେମିତି ପ୍ରଧାନ ଶିକ୍ଷକ, ଯେ କୌଣସି ଦଳରେ ଯେମିତି ଦଳପତି। କୌଣସି ସମସ୍ୟା ଘରେ, ସ୍କୁଲରେ ବା ଦଳ ଉପରେ ପଡ଼ିଲେ ଏହାର ଭାର ସାଧାରଣତଃ ସେଇ ମୁଖ୍ୟ ଲୋକଟି ଉପରେ ପଡ଼ିଥାଏ। ସମସ୍ୟା ଏଠାରେ ଠେଙ୍ଗା ଓ ମୁଖ୍ୟ ବ୍ୟକ୍ତିଜଣକ ହେଉଛି ଡେଙ୍ଗା ବ୍ୟକ୍ତି। ଅତଏବ ସେହି କଥାକୁ ବିଚାର କରି କୁହାଯାଏ ଯେ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ଅର୍ଥାତ୍‌ ସମସ୍ୟାର ଭାର ମୁଖ୍ୟଙ୍କ ଉପରେ ପଡ଼ିବାକୁ ବାଧ୍ୟ।

ଶବ୍ଦତୋଡ଼ା: ଶିଶୁସାହିତ୍ୟ

publive-image LibGuides at Truckee Meadows Community College

ଶିଶୁ ଗୋଟିଏ ଶବ୍ଦ ଯାହା ପିଲାଙ୍କୁ ବୁଝାଏ। ସାହିତ୍ୟ ସେମିତି ଆଉ ଏକ ଶବ୍ଦ ଯାହା ମଣିଷର ସ୍ବାଭାବିକ ଗଣହିତକାରୀ ରସାଳ ଅଭିବ୍ୟକ୍ତିକୁ ବୁଝାଇଥାଏ। ଏହା କେତେବେଳେ ମୌଖିକ ତ କେତେବେଳେ ଲିଖିତ। ସେମିତି ପିଲା କହିଲେ ଆମେ ଜନ୍ମିତ ଶିଶୁଠାରୁ ଆରମ୍ଭ କରି ଗୁରୁଣ୍ଡୁଥିବା ପିଲା, ବାଳକ, କିଶୋରଙ୍କୁ ମଧ୍ୟ ବୁଝୁ। ତେଣୁ ଶିଶୁସାହିତ୍ୟ କହିଲେ ତାହା ନା କେବଳ ଶିଶୁଙ୍କୁ ବୁଝାଏ ନା ସାହିତ୍ୟକୁ, କାରଣ ଶିଶୁସାହିତ୍ୟ ଏକ ଭିନ୍ନ ପ୍ରକାରର ସାହିତ୍ୟ। ଏହା ମୂଳତଃ ବଡ଼ମାନଙ୍କ ଦ୍ବାରା ପିଲାମାନଙ୍କ ସକାଶେ ଲିଖିତ ସାହିତ୍ୟକୁ ବୁଝାଇଥାଏ। ହେଲେ ବଡ଼ମାନଙ୍କ ସାହିତ୍ୟରେ ଯେପରି ସମ୍ପୂର୍ଣ୍ଣ ମୁକୁଳାଭାବ ଥାଏ, ଶିଶୁସାହିତ୍ୟରେ ପ୍ରାୟ ସେପରି ହୋଇ ନଥାଏ। ପିଲାମାନଙ୍କ ପାଇଁ ଲେଖିବା ନିମିତ୍ତ ସେଇ ସ୍ତରକୁ ଓହ୍ଲାଇବାକୁ ପଡ଼େ ଓ ଯେଉଁ ବୟସର ପିଲାଙ୍କ ପାଇଁ ସାହିତ୍ୟ ରଚନା କରାଯାଉଛି, ସେମାନଙ୍କର ମାନସିକତା ଓ ଶବ୍ଦଜ୍ଞାନର ସୀମାକୁ ବିଚାର କରିବାପାଇଁ ପଡ଼େ। ଶିଶୁ ସାହିତ୍ୟରେ ଘୃଣା, ଇର୍ଷା, ହିଂସା ଓ ବିଭତ୍ସତାର ସ୍ଥାନ ନ ଥାଏ। ଶିଶୁସାହିତ୍ୟକୁ ପିଲାମାନଙ୍କର ଜରୁରୀ ମାନସିକ ଖାଦ୍ୟ ଭାବରେ ଗ୍ରହଣ କରାଯାଏ।