ବିଶ୍ବର ପ୍ରଥମ ଉଦ୍ଯାନ ଚାଳିତ ଉଡ଼ନ୍ତା ବୋଟ୍ ଜଳ ପୃଷ୍ଠର ୩ଫୁଟ୍ ଉପରେ ଉଡ଼ାଣ କରିବ। ଆସନ୍ତା ବର୍ଷ ଦୁବାଇରେ ଏହାର ନିର୍ମାଣ ହେବ ବୋଲି ଅଧିକାରୀମାନେ େଘାଷଣା କରିଛନ୍ତି। ବୋଟ୍ର ନାଁ ଦିଆଯାଇଛି ‘ଦ ଜେଟ୍’। ଏହି ଉଡ଼ନ୍ତା ବୋଟ୍ ଦୁଇଟି ଉଦ୍ଯାନ ଇନ୍ଧନ କୋଷଦ୍ବାରା ପରିଚାଳିତ ହେବ, ଯାହା କୌଣସି ଗ୍ୟାସ୍ ନିର୍ଗମନ କରିବ ନାହିଁ। ପାଣିର ଢେଉ ଉପରେ ଆରାମରେ ଗତି କରିବ। ଏହାର ସ୍ବତନ୍ତ୍ର ପ୍ଲେଟ୍ରେ ଉଦ୍ଯାନ ଓ ଅମ୍ଳଜାନ ମିଶ୍ରଣ ଦ୍ବାରା ଉଦ୍ଯାନ ଇନ୍ଧନ କୋଷ ବିଦ୍ୟୁତ୍ ଉତ୍ପନ୍ନ କରେ, ଯାହା ଅପେକ୍ଷାକୃତ ବଡ଼ ଇନ୍ଦନ କୋଷ ‘ଷ୍ଟାକ୍’ ସୃଷ୍ଟି ପାଇଁ ମିଶିଥାଆନ୍ତି। ଏହି ଜେଟ୍ ‘ହାଇଡ୍ରୋଫଏଲ୍ସ’ ମଧ୍ୟ ବ୍ୟବହାର କରେ। ଜେଟ୍ର ଲମ୍ବ ୩୨ ଫୁଟ ଓ ଓଜନ ୬ ଟନ୍ ହେବ। ପାଇଲଟ୍ ଓ ୧୨ ଯାତ୍ରୀଙ୍କୁ ନେବାରେ ଏହା ସକ୍ଷମ। ପାଣି ଉପରେ ଏହାର ବେଗ ପ୍ରତି ଘଣ୍ଟାରେ ୪୬ ମାଇଲ୍ ହେବ। ଯାନ ନିର୍ମାଣ ପାଇଁ ଜେଟ୍ର ଡିଜାଇନ୍ର ସ୍ବିଜରଲ୍ୟାଣ୍ଡ୍ସ୍ଥିତ ଷ୍ଟାର୍ଟ-ଅପ୍ ‘ଦ ଜେଟ୍ ଜିରୋଏମିସନ୍’ ୟୁଏଇର ଜେନିଥ ମେରାଇନ୍ ସର୍ଭିସେସ୍ ସହିତ ଚୁକ୍ତି କରିଛି। ଆସନ୍ତା ବର୍ଷ ନଭେମ୍ବରକୁ ଏହାର ପ୍ରଥମ ପରୀକ୍ଷଣ ହେବ।
କଥା-ଫରୁଆ- ଢୋଲ ଭିତରେ ମୂଷା
ଢୋଲ ଏକ ବାଦ୍ୟଯନ୍ତ୍ର। ଧୀରେ ଧୀରେ ଆଧୁନିକ ସମୟ ସହ କେତେ କେତେ ନୂଆ ବାଦ୍ୟଯନ୍ତ୍ର ଉଦ୍ଭାବିତ ହୋଇ ଆମ ନଜରକୁ ଅସୁଛି। ହେଲେ ‘ଢୋଲ’ ଭଳି ଯନ୍ତ୍ରଟି ଏବେ ବି ଗାଆଁଠାରୁ ସହର ଯାଏ ସମସ୍ତଙ୍କର ଏକ ପ୍ରିୟ ପରିଚିତ ବାଜା ହୋଇ ରହିଛି। ତା’କୁ ନେଇ ଓଡ଼ିଆ ଭାଷାରେ ଗଢ଼ିଉଠିଛି କେତେ କେତେ ପ୍ରେୟାଗ। ଢୋଲ, କାଠରେ ତିଆରି ଏକ ପେଟୁଆ ଘୁମ। ଏହାର ଦୁଇପଟ ଚମଡ଼ା ଦିଆଯାଇ ବନ୍ଦ କରାଯାଇଥାଏ। ଏହି ଚମଡ଼ାକୁ ବାଡ଼େଇଲେ ଶବ୍ଦ ବାହାରେ। ହେଲେ ‘‘ଢୋଲ ଭିତରେ ମୂଷା’’ କ’ଣ? ଢୋଲ ଭିତରକୁ ମୂଷା ଯିବ କେମିତି? ଢୋଲ ଯେ େହତୁ ଚମଡ଼ାରେ ତିଆରି ତା’କୁ କାଟି ସେ ଢୋଲ ଭିତରେ ପଶେ। ତେଣୁ ଢୋଲ ତା’ର ଗୁଣ ବା ମହନତା ହରେଇ ଦିଏ। ଆଉ ଭଲ ଶବ୍ଦ କରେ ନାହିଁ। ସେଇଭଳି ମଣିଷ ମେଳ ଭିତରେ ପରିବାରରେ, ଗୋଷ୍ଠୀ ଭିତରେ ଏମିତି ଲୋକ ଥାଆନ୍ତି ଯିଏ ସେ ମେଳର ମହତ୍ତ୍ବ ନଷ୍ଟ କରିଥାଆନ୍ତି। ସେଭଳି କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କୁ କୁହାଯାଏ ‘‘ଢୋଲ ଭିତରେ ମୂଷା’’।
ଏକାକ୍ଷର ଶବ୍ଦ - ‘ଛି’
/sambad/media/post_attachments/wp-content/uploads/2022/12/9-20.jpg)
‘ଶବ୍ଦ’ ବୋଲି କହିଲେ ଯେଉଁ ଉଚ୍ଚାରଣ ତାହା କିଛି ନା କିଛି ଅର୍ଥବୋଧକ ହୋଇଥାଏ। ସବୁଭାଷାରେ ମୂଳକଥା ହେଉଛି ଶବ୍ଦ। ଶବ୍ଦ ନଥିଲେ ଭାଷା ଜଣାପଡ଼ିବ କେମିତି? ସେଇଥିପାଇଁ ଶବ୍ଦକୁ ଯେ କୌଣସି ଭାଷାର ମାଧ୍ୟମ ରୂପେ ଅଭିହିତ କରାଯାଇଛି। ଯେଉଁ ଭାଷାରେ ଶବ୍ଦସଂଖ୍ୟା ଯେତେ ଅଧିକ ସେ ଭାଷା ସେତେ ସମୃଦ୍ଧ ବୋଲି ଗ୍ରହଣ କରାଯାଏ। ମନେ ରଖିବା କଥା ଯେ ଏ ଶବ୍ଦ କେତେବେଳେ ମୌଖିକ ତ କେତେବେଳେ ଲିଖିତ। ପ୍ରାଚୀନ କାଳରେ ଶବ୍ଦ ମୁଖ୍ୟତଃ ମୁହଁର କଥା ହୋଇଥିଲା। ଶବ୍ଦ ଥିଲା ମୁହଁର କଥା ଓ ସ୍ମୃତି ଥିଲା ତା’କୁ ସାଇତି ରଖିବାର ବାଟ। ‘ବେଦ’ ଯାହାକୁ ଆମେ ସାରା ପୃଥିବୀର ପ୍ରଥମ ଜ୍ଞାନଗ୍ରନ୍ଥ କହି ଗର୍ବ କରୁଛୁ ତାହା ଥିଲା ଶୁଣି ମନେରଖିଥିବା ଜ୍ଞାନ। ତେଣୁ ତା’ର ଅନ୍ୟନାମ ‘ଶ୍ରୁତି’’। ଏଠାରେ ‘ଛି’ ଶବ୍ଦଟି ପ୍ରଣିଧାନଯୋଗ୍ୟ। ଏହାର ମୂଳ ସଂସ୍କୃତ। ଏହା ଘୃଣା, ନିନ୍ଦା, ଧିକ୍, ଅସୁନ୍ଦର ପୁଣି ଲଜ୍ଜାସୂଚକ ଅବ୍ୟୟ ଭାବରେ ବ୍ୟବହୃତ ହୋଇଥାଏ। ଆମ ଓଡ଼ିଆ ଭାଷାରେ ଏ ଭଳି ଶବ୍ଦ ଭରପୂର ହୋଇ ରହିଛି।