ସାଇକେଲ୍ କଥା ଶୁଣିଲେ ମନରେ ଆସେ ଦୁଇଟି ଚକ ଓ ତାହା ସହ ଲାଗିଥିବା ପ୍ୟାଡେଲ୍। କିନ୍ତୁ ଏକ ଭିନ୍ନ ଧରଣର ସାଇକେଲ୍ ଅଛି ଯେଉଁଥିରେ ଦୁଇଟି ଚକ ଅଛି ସତ, ହେଲେ ପେଡାଲ୍ ନାହିଁ। ବସିବା ପାଇଁ ସିଟ୍ ବି ନାହିଁ। ସିଟ୍ ରହୁଥିବା ସ୍ଥାନରୁ ହ୍ୟାଣ୍ଡେଲ୍ ପର୍ଯ୍ୟନ୍ତ ଏକ ଧନୁ ଆକାରର ରଡ଼୍ ଲାଗିଛି। ଏହି ରଡ଼ର ତଳଭାଗକୁ ଝୁଲି ରହିଥିବା ବେଲ୍ଟ୍ରେ ବାନ୍ଧି ହୋଇ ଭୂମି ଆଡ଼କୁ ମୁହଁ କରି ଝୁଲନ୍ତା ଅବସ୍ଥାରେ ପାଦରେ ଦୌଡ଼ି ଦୌଡ଼ି ଏହି ସାଇକେଲ ଚଳାଇବାକୁ ହୁଏ। କିଛି ବାଟ ଦୌଡ଼ିବା ପରେ ପଛ ଚକର ଦୁଇ ପାର୍ଶ୍ବରେ ଥିବା ପାଦ ରଖା ସ୍ଥାନରେ ପାଦ ରଖି ବିଶ୍ରାମ ବି ନେଇହୁଏ। ତେବେ କିଛି ସମୟର ବିଶ୍ରାମ ପରେ ପୁଣିଥରେ ଦୌଡ଼ି ଏହି ସାଇକେଲରୁ ଚଳାଇବାକୁ ହୁଏ। ସାଇକେଲରେ ଥିବା ଧନୁ ଆକାରର ଫ୍ରେମ୍ଟି ଗ୍ଲାସ୍ ଓ କାର୍ବନ୍ ଫାଇବର୍ରେ ତିଆରି। ପ୍ରାୟ ୬ ଫୁଟ୍ ଉଚ୍ଚତାର ଲୋକଙ୍କ ପାଇଁ ଏହା ଡିଜାଇନ୍ ହୋଇଛି। ‘ଫ୍ଲିଜ୍’ ନାମକ ଏହି ସାଇକେଲ ଦ୍ବାରା ଜଣେ ଉଭୟ ରନିଂ ଓ ବାଇକିଂର ମଜା ଉଠାଇ ପାରିବ।
କଥା-ଫରୁଆ - ‘କାଦୁଅରେ ପଶି ଗୋଡ଼ ଧୋଇବା’
ମାଟି ଦହଲିଲେ ତାହା କାଦୁଅରେ ପରିଣତ ହୁଏ। ଅର୍ଥାତ୍ ଶୁଖିଲାମାଟିରେ ପାଣି ମିଶି ତାହା ଚକଟି ହୋଇଗଲେ କାଦୁଅ ସୃଷ୍ଟି ହୁଏ। ଏହାକୁ ସଂସ୍କୃତରେ କହନ୍ତି କର୍ଦ୍ଦମ। ଆଗରୁ ବାଟ ଘାଟ, ବିଶେଷ କରି ଆଷାଢ଼, ଶ୍ରାବଣ, ଭାଦ୍ରବରେ ବର୍ଷା କାରଣରୁ କାଦୁଅ ହୋଇଯାଉଥିଲା। ସେଥିପାଇଁ ଲୋକେ ଭାଦ୍ରବମାସକୁ ଭୋଦୁଅ କହି ପଦ ଯୋଡ଼ନ୍ତି- ‘‘ଭୋଦୁଅ, ବାଟଘାଟ ଖାଲି କାଦୁଅ’’। କାଦୁଅ ଯୋଗଁୁ ବାଟଚଲା ଲୋକଙ୍କର ଗୋଡ଼ କର୍ଦ୍ଦମାକ୍ତ ହେବା ସ୍ବାଭାବିକ। ତେଣୁ ତାକୁ ଧୋଇ ପରିଷ୍କାର କରିବାକୁ ପଡ଼େ। ଏଇ କଥାକୁ ନେଇ ତିଆରି ହୋଇଛି ଏକ ଓଡ଼ିଆ ପ୍ରେୟାଗ। ଯେମିତି କାଦୁଅ ହେଲେ ଧୋଇବାକୁ ପଡ଼େ ସେମିତି କୌଣସି ଗୋଳମାଳ ବା କଳିକଜିଅାରେ ପଶିଲେ ତାହା ମନକୁ ଅପରିଷ୍କାର କରିଦିଏ। କାଦୁଅ ଭଳି ତା’କୁ ମନରୁ ହଟେଇବା ଦରକାର। ସେଥିପାଇଁ କଷ୍ଟକରିବାକୁ ପଡ଼େ। ଅତଏବ କେହି ବ୍ୟକ୍ତି ଗୋଳମାଳରେ ପଶି ସେଥିରୁ ମୁକ୍ତ ହେବା ସକାଶେ ଚେଷ୍ଟା କରୁଥିଲେ କାଦୁଅରେ ପଶି ଗୋଡ଼ ଧୋଇବା କଥା କୁହାଯାଏ।
ଏକାକ୍ଷର ଶବ୍ଦ-‘ଘି’
/sambad/media/post_attachments/wp-content/uploads/2023/01/12-5.jpg)
ଏହା ଏକ ଦେଶଜ ଶବ୍ଦ ବୋଲି ଅନେକ ଜାଣନ୍ତି। ମାତ୍ର ଏହାର ମୂଳ ହେଉଛି ସଂସ୍କୃତ ଶବ୍ଦ ‘ଘୃତ’। ‘ଘୃତ’ରୁ ଘିଅ ଶବ୍ଦଟି ଆସିଛି। ସେଇ ଘିଅର ସଂକ୍ଷିପ୍ତ ଉଚ୍ଚାରଣ ହେଉଛି ‘ଘି’। ଏହା ଏକ ବିଶେଷ୍ୟ ପଦ। ଓଡ଼ିଆ ଚଳଣିରେ ଘିଅର ବ୍ୟବହାର ଅନେକ ସ୍ଥଳରେ ହୋଇଥାଏ। ସବୁଠାରୁ ମୂଲ୍ୟବାନ ଧାର୍ମିକ ବ୍ୟବହାର ହୋଇଥାଏ ହୋମ ଯଜ୍ଞରେ। ଏଠାରେ ମନେ ରଖିବା ଆବଶ୍ୟକ ଯେ ଗାଈଦୁଧରୁ ଳହୁଣି ପ୍ରସ୍ତୁତ କରି ସେଥିରୁ ହେଉଥିବା ଘିଅ ହିଁ ପ୍ରକୃତରେ ଘୃତ ପଦବାଚ୍ୟ। ଓଡ଼ିଆ ଭାଷାରେ ଆମେ ତା’କୁ କହୁ ‘ଗୁଆଘିଅ’। ଏ ଘିଅର ଗୁଆ ସହ କୌଣସି ସମ୍ପର୍କ ନାହିଁ। ‘ଗୁଆଘିଅ’ ପ୍ରକୃତରେ ‘ଗାଈଘିଅ’ର ଅପଭ୍ରଂଶ। ଏ ଘିଅର ଯେମିତି ପୁଷ୍ଟିକାରୀ ଗୁଣ ଅନେକ ସେମିତି ବି ଏହା ସଂରକ୍ଷଣରେ ଖୁବ୍ ସାହାଯ୍ୟ କରେ। ଏଥିରେ ଯାହା ବୁଡ଼ାଇ ରଖିଲେ ତାହା ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇରହେ। ପୂର୍ବକାଳରେ ଠାକୁରଙ୍କ ପାଖରେ ଦୀପ ଜାଳିବା ଲାଗି ଓ ହୋମାନଳ ସକାଶେ ଏହାର ବହୁଳ ପ୍ରୟୋଗ ହେଉଥିଲା।