ଖୋଲା ଝରକା: ଡେଙ୍ଗୁ ଜର

ସାରା ବିଶ୍ବରେ ଦେଖାଯାଉଥିବା ବିଭିନ୍ନ ରୋଗଗୁଡ଼ିକ ମଧରୁ ଡେଙ୍ଗୁ ଜର ଭୂତାଣୁ ଦ୍ବାରା ସୃଷ୍ଟି ହୋଇଥାଏ। ଡେଙ୍ଗୁ ପ୍ରଥମେ ୧୭୮୦ରେ ଚେନ୍ନାଇ ସହରରେ ଚିହ୍ନଟ କରାଯାଇଥିଲା। ଏହା ଏପରି ଏକ ରୋଗ ଯାହାକୁ ଠିକ୍‌ରେ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ମାଈ ଏଡିସ୍‌ ମଶା କାମୁଡ଼ିବା ଦ୍ବାରା ସୁସ୍ଥ ମନୁଷ୍ୟଟି ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥାଏ। ଏଡିସ୍‌ ମଶା ହିଁ ଡେଙ୍ଗୁ ରୋଗର ବାହକ ଅଟେ। ଏହି ମଶା ଦିନବେଳା ଆଣ୍ଠୁ ତଳକୁ କାମୁଡ଼ିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୂଚନା ଅନୁଯାୟୀ ପ୍ରତିବର୍ଷ ବିଶ୍ବରେ ପ୍ରାୟ ୫ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥାଆନ୍ତି। ସାଧାରଣତଃ ଏହା ବର୍ଷା ଋତୁରେ ଦେଖାଯାଇଥାଏ। ଏମାନେ ପଚାପାଣିରେ ହିଁ ତାଙ୍କର ବଂଶ ବିସ୍ତାର କରିଥାଆନ୍ତି। ଏହା ଏକ ସଂକ୍ରାମକ ରୋଗ ଯାହାକି ଏକ ସୁସ୍ଥ ଲୋକକୁ ମଧ୍ୟ ସଂକ୍ରମଣ କରିଥାଏ। ପ୍ରତିକାର ପାଇଁ ନିୟମିତ ମସାରି ଟାଙ୍ଗି ଶୋଇବା, ଚାରିପଟ ସଫା ରଖିବା, ପାଣିକୁ ଢାଙ୍କି ରଖିବା, ଖାଦ୍ୟ ଘୋଡ଼ାଇ ରଖିବା, ପାଣିଟାଙ୍କି ସଫା ରଖିବା ଇତ୍ୟାଦି କରିବା ଦ୍ବାରା ଆମେ ଏଥିରୁ ମୁକ୍ତି ପାଇପାରିବା। ଡାକ୍ତରୀ ଚିକିତ୍ସା ସହିତ ଆୟୁର୍ବେଦିକ ଚିକିତ୍ସା ଯଥା ତୁଳସୀ ପତ୍ର, ଜଷ୍ଟିମହୁ, କଞ୍ଚା କଦଳୀ ଆଦି ସେବନ କରିବା ଦ୍ବାରା ବି ଆମେ ଭୂତାଣୁକୁ ପ୍ରତିରୋଧ କରିପାରିବା। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

କଥା-ଫରୁଆ: ‘କଚେ ପୁଅ ବାର’

କାହାର କିଛି ହଠାତ୍‌ ଉନ୍ନତି ଘଟିଲେ ଓଡ଼ିଆରେ କହନ୍ତି- ତାଙ୍କର ଏଇଲେ କଚେ ପୁଅ ବାର। କ’ଣ ଏ କଥାର ହେତୁ? କାହିଁକି ଏମିତି କୁହାଯାଏ? ତା’ର କାରଣ ହେଲା ଏ କଥାଟି ପଶାଖେଳ ସହ ଯୋଡ଼ା ଓ ପଶାଖେଳରେ ବାର ସଂଖ୍ୟାଟି ସବୁଠାରୁ ଅଧିକ ଲାଭ ଦେଇଥାଏ। ଯେମିତି କ୍ରିକେଟ୍‌ ଖେଳରେ ଛକ୍କା। ତେଣୁ ଲୋକେ କ୍ରିକେଟ୍‌ ଖେଳରୁ ନେଇ କାହାର ହଠାତ୍‌ କିଛି ବଡ଼ ଲାଭ ହେଲେ ଟିପ୍‌ପଣୀ କରନ୍ତି-ଯାଃ! ସେ ଗୋଟେ ଛକ୍କା ମାରିଦେଲେ। ପଶା ଖେଳ ପ୍ରାଚୀନ ଭାରତରୁ ଚଳି ଆସିଥିବା ଏକ ଘର ଭିତରର ଖେଳ। ପ୍ରାୟ ଆଧୁନିକ ସମୟର ଲୁଡ଼ୁ ପରି। ଲୁଡ଼ୁଖେଳରେ ଦାନ ପକାଇବା ପରି ପଶାଖେଳରେ ପଶାକାଠି ପକେଇ ଅଭିଳଷିତ ସଂଖ୍ୟାଟି ପାଟିକରି ଡକାଯାଏ। ଲୁଡ଼ୁଖେଳରେ ବଡ଼ ସଂଖ୍ୟା ହେଲା ଛଅ। ମହାଭାରତ ବା ନଳଚରିତ ଯେଉଁମାନେ ପଢ଼ିଥିବେ ସେମାନେ ପଶାଖେଳ ବିଷୟରେ ଜାଣିଥିବେ। ଏହାକୁ ମଧ୍ୟ ‘ଦ୍ୟୁତ କ୍ରୀଡ଼ା’ କୁହାଯାଇଥାଏ। କଚେ ଅର୍ଥ କଚାଡ଼ିବା। ପଶାକାଠି ପକାଇଲା ବେଳେ ତାହାକୁ ପଶାପାଲି ପଡ଼ିଥିବା ସ୍ଥାନରେ କଚଡ଼ା ଯାଏ। ତେଣୁ ପଶାକାଠି ପକେଇ ଦାନ ବା ସଂଖ୍ୟା କାମନା କରି ବାର ସଂଖ୍ୟା ପାଇବା ଏକ ସଫଳତା ଭାବେ ବିବେଚନା କରାଯାଏ। ଅତଏବ ‘‘କଚେ ପୁଅ ବାର’’ କହିଲେ ବ୍ୟକ୍ତିର ଏକ ବଡ଼ ସଫଳତାକୁ ବୁଝାଏ।

ଶବ୍ଦତୋଡ଼ା: ପେଟପାଟଣା

YouTube

କଥାରେ ଅଛି ପେଟ ପାଇଁ ନାଟ। ଆମେ ଯାହା ଯେତେ କାମ କରୁ ସବୁର ମୂଳ ହେଉଛି ପେଟ। ଅର୍ଥାତ୍‌ ଖାଦ୍ୟ ହିଁ ମଣିଷ, ପ୍ରାଣୀ ସମସ୍ତଙ୍କର ପ୍ରଧାନ ଅନ୍ବେଷଣର ହେତୁ। ପେଟରେ ଖାଦ୍ୟ ନ ଥିଲେ ମୁଣ୍ଡ ବି କାମ କରେ ନାହିଁ। ମଣିଷ ଯେହେତୁ ବୁଦ୍ଧିମାନ ପ୍ରାଣୀ, ସେ ଖାଦ୍ୟ ସାଇତିବା ଶିଖିଛି। ତା’ ସହିତ କ’ଣ କଲେ ସେ ସବୁଦିନ ସହଜରେ ଖାଦ୍ୟ ପାଇପାରିବ ସେ ବ୍ୟବସ୍ଥା କରିଥାଏ। ଏଇ ମନୋଭାବ ହିଁ ଜଙ୍ଗଲରେ ବାସ କରୁଥିବା ମନୁଷ୍ୟକୁ ନଦୀକୂଳରେ ରହି ବା ଉର୍ବର ମାଟି ଦେଖି ଚାଷ କରିବା ସଙ୍ଗକୁ ସ୍ଥାୟୀ ବସବାସ କରିବା ଲାଗି ପ୍ରୋତ୍ସାହିତ କରିଥିଲା। ଅତଏବ ପେଟ ବା ଖାଦ୍ୟର ଆବଶ୍ୟକତା ପାଇଁ ଆୟ ବା ରୋଜଗାରର ପନ୍ଥା ମଣିଷ ବାହାର କରିବାକୁ ‌େଚଷ୍ଟା କଲା। ହେଲେ ପେଟ ସହ ବସ୍ତ୍ର ଓ ବାସସ୍ଥାନ ଉଭୟ ଯେ ଅନ୍ତରଙ୍ଗ ଭାବେ ଯୋଡ଼ା ସେ କଥା ଆମେ ଗ୍ରହଣ କରିବା ଉଚିତ୍‌। ପେଟପାଟଣା କହିଲେ ଖାଦ୍ୟ ସହ ଅନ୍ୟାନ୍ୟ ଆବଶ୍ୟକତାକୁ ମଧ୍ୟ ସୂଚାଇଥାଏ। ସେଇଥିପାଇଁ ଅନେକ କହନ୍ତି, ଆଜ୍ଞା! ପ୍ରଥମେ ପେଟପାଟଣା, ତା’ ପରେ ଆଉ ଯାହା। ତା’ର ଅର୍ଥ ଜୀବନ ସହ ଯୋଡ଼ା ମୌଳିକ ଆବଶ୍ୟକତା ପୂରଣ କରିବା ମୂଳକଥା।

ସମ୍ବନ୍ଧିତ ଖବର