ଗୋଟିଏ ଗାଁରେ କୁମ୍ଭାରଟିଏ ଥିଲା। ନାଁ ଥିଲା ମେଘୁ ରଣା। ଦେଖିବାକୁ ହୃଷ୍ଟପୁଷ୍ଟ। ୬ଫୁଟ ଲମ୍ବା, ଚଉଡ଼ା ଛାତି। ମାଟିପାତ୍ର ନିର୍ମାଣ କରି ଚଳୁଥିଲା। ଦିନେ କାମ କରୁ କରୁ ଅଚାନକ ଝୁଂଟି ପଡ଼ିଲା। ମାଟିପାତ୍ର ଉପରେ କଚାଡ଼ି ହୋଇପଡ଼ିବାରୁ ଦେହ ଓ ମୁହଁରେ ଆଘାତ ଲାଗିଲା। ମେଘୁର ଏହି ଅବସ୍ଥା ଦେଖି ଗାଁ ଲୋକ ଠୋ-ଠୋ ହୋଇ ହସିଲେ। କିଛି ଦିନ ପରେ ଘା’ ଶୁଖିଗଲା। ହେଲେ ଆଘାତର ଚିହ୍ନ ସେମିତି ରହିଗଲା। ଗାଁ ଲୋକ ଯେତେବେଳେ ଦେଖିଲେ, ତାକୁ ଚିଡ଼ାଇଲେ। ରାଗି ଯାଇ ମେଘୁ ଦିନେ ନିଷ୍ପତ୍ତି କଲା, ସେ ଆଉ ଗାଁରେ ରହିବ ନାହିଁ।

Advertisment

ଅଚାନକ ଦିନେ ରାତି ଅଧରେ ବୁଜୁଳା ଧରି ବାହାରିଲା। ବେଶ୍‌ କିଛି ଦିନ ଚାଲିବା ପରେ ଏକ ଅଜଣା ରାଜ୍ୟରେ ପହଂଚିଲା। ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖି, ସେଠିକାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। କଥା ଯାଇ ରାଜାଙ୍କ କାନରେ ପଡ଼ିଲା। କଟୁଆଳମାନେ ଆସି ମେଘୁକୁ ରାଜାଙ୍କ ପାଖକୁ ନେଇଗଲେ। ରାଜା ପଚାରିଲେ, ତୁମେ କିଏ? ଆମ ରାଜ୍ୟରେ କ’ଣ କରୁଛ? କାଳେ ରାଜା ତାକୁ ଜେଲରେ ପୂରାଇଦେବେ, ସେଥିପାଇଁ ସେ ଏକ ବୁଦ୍ଧି ପାଂଚିଲା। କହିଲା, ମଣିମା ମୁଁ ମେଘୁ। ପଡ଼ୋଶୀ ରାଜ୍ୟର ଜଣେ ସୈନିକ। ଯୁଦ୍ଧ‌େର ଲଢ଼େଇ କରୁ କରୁ ମୁଁ ଆପଣଙ୍କ ରାଜ୍ୟକୁ ଚାଲି ଆସିଛି।
ମୁହଁରେ ଓ ଛାତିରେ ଥିବା ଦାଗ ଓ ବଳଶାଳୀ ଚେହେରା ଦେଖି ରାଜା ବି କଥାଟିକୁ ଗ୍ରହଣ କରିନେଲେ। ମେଘୁର କଥା ରାଜା ମାନିନେବା ପରେ ତା’ର ଦମ୍ଭ ଆହୁରି ବଢ଼ିଗଲା। ସେ କେତେ ବଡ଼ ବଡ଼ ଯୁଦ୍ଧ ଲଢ଼ିଛି ଏବଂ କେମିତି ଆଘାତ ଲାଗିଲା, ସେଠିକାର ସୈନିକମାନଙ୍କୁ ମିଛ କାହାଣୀ ଶୁଣାଇବାରେ ଲାଗିଲା। ଏହି ସବୁ କଥା ରାଜାଙ୍କ କାନକୁ ବି ଗଲା। ରାଜା ନିଷ୍ପତ୍ତି କଲେ ମେଘୁକୁ ସେନାର ଏକ ବଡ଼ ପଦବୀରେ ବସାଇବେ। ସେଇଆ ହେଲା। ଗାଁର କୁମ୍ଭାର ପିଲାଟି ପାଲଟିଗଲା ମୁଖ୍ୟ ସୈନିକ।

ସବୁ ଦିନ ସମାନ ଯାଏନି। ଦିନେ ପଡ଼ୋଶୀ ରାଜ୍ୟର ରାଜା, ଆକ୍ରମଣ କରିଦେଲେ। ଅପ୍ରସ୍ତୁତ ଥିବା ରାଜା ମେଘୁକୁ ଡାକି କହିଲେ, ତୁମେ ଯୁଦ୍ଧର ନେତୃତ୍ୱ ନିଅ। ପଡ଼ୋଶୀ ରାଜ୍ୟର ରଣକୌଶଳ ତୁମକୁ ଜଣାଥିବ। ଯୁଦ୍ଧରେ ଶତ୍ରୁ ସେନାକୁ ପରାଜିତ କରି ଆମ ରାଜ୍ୟକୁ ଉଦ୍ଧାର କର। ରାଜାଙ୍କ ମୁହଁରୁ ଅସଲ ଯୁଦ୍ଧ କଥା ଶୁଣି ମେଘୁର ଗୋଡ଼ହାତ ଥରିବାରେ ଲାଗିଲା। ଏବେ ମିଛ କହିଲେ ମରିବା ନିଶ୍ଚିତ। ଆଉ ଚାରା ନପାଇ ରାଜାଙ୍କୁ ସବୁ ସତ କଥା କହିଲା। ରାଜା ରାଗିଯାଇ, କୁମ୍ଭାର ଯୁବକକୁ ଗିରଫ କରିବା ପାଇଁ ଆଦେଶ ଦେଲେ। ଆଉ କାରାଗାରକୁ ପଠାଇ ଦେଲେ। ମିଛ କହିବା ମେଘୁକୁ ମହଙ୍ଗା ପଡ଼ିଲା।
ଗ୍ୟାରେଜ୍‌ ଛକ, ଭୁବନେଶ୍ବର