ଏକତାର ବଳ

ତୁମ ଗପ - ରାମଚନ୍ଦ୍ର ବେହେରା

ଗାଆଁରୁ ଅଳ୍ପ ଦୂରରେ ବିଲ ମଝିରେ ଗୋଟିଏ କୃଷକ ପରିବାର ରହୁଥିଲା। କୃଷକର ପରିବାରରେ ତା’ର ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ। ଜମିବାଡ଼ି ଅଧିକ ନଥିଲେ ବି ଚାଷବାସରୁ ଯାହା ମିଳେ ସେଥିରେ ଚାରି ପ୍ରାଣୀ ଖୁସିରେ ଚଳନ୍ତି। ବିଲ ମଝିରେ ରହୁଥିବାରୁ ଗାଈଗୋରୁଙ୍କ ପାଇଁ ଘାସର ଅଭାବ ନଥାଏ। ସେଥିପାଇଁ କୃଷକଟି ଦୁଇଟି ଗାଈ ଓ ଦୁଇଟି ବଳଦ ପାଳି ରଖିଥାଏ। ତା’ଛଡ଼ା ତିନି ଚାରିଟି କୁକୁଡ଼ା, ଗୋଟିଏ କୁକୁର ଓ ଗୋଟିଏ ବିଲେଇ ପରିବାରର ଅଂଶ ହୋଇ ରହି ଆସୁଥାନ୍ତି। କୁକୁର,ବିଲେଇ ଓ କୁକୁଡ଼ା ପରସ୍ପରର ବିରୋଧୀ ହୋଇଥିଲେ ମଧ୍ୟ ସେମାନ ମିଳିମିଶି ହସଖୁସିରେ ଦିନ କାଟୁଥାନ୍ତି।

ଶୀତଦିନ ହେଇଥାଏ। ଗୋଟିଏ ମାଆ କୁକୁଡ଼ା ସାତ ଆଠଟି ଛୁଆ ଦେଇଥାଏ। ଛୁଆଗୁଡ଼ିକ ତିନି ସପ୍ତାହର ହୋଇ ଯାଇଥିବାରୁ କୃଷକଟି ମାଆ ସହିତ ଛୁଆଗୁଡ଼ିକୁ ଖୋଲାରେ ବୁଲିବା ତିନି ସପ୍ତାହର ହୋଇ ଯାଇଥିବାରୁ କୃଷକଟି ମାଆ ସହିତ ଛୁଆଗୁଡ଼ିକୁ ଖୋଲାରେ ବୁଲିବା ପାଇଁ ଛାଡ଼ି ଦେଇଥାଏ। ଶୀତଦିନିଆ ଫସଲ ବିଲରେ ଲାଗିଥିବାରୁ କୃଷକ ଓ ତା’ର ପୁଅ ପାଖ ବିଲରେ ପାଣି ମଡ଼ାଇବା କାମରେ ଲାଗିଥାନ୍ତି। କୃଷକର ସ୍ତ୍ରୀ ରୋଷେଇ ଘରେ ଦ୍ୱି-ପ୍ରହରର ଖାଦ୍ୟ ତିଆରି କରିବା ପାଇଁ ପରିବା କଟାକଟିରେ ବ୍ୟସ୍ତଥାଏ।

ହଠାତ୍ ଏକ ବଡ଼ ଛଂଚାଣ ଛୁଆ କୁକୁଡ଼ାଙ୍କୁ ଖାଇବା ଆଶାରେ ସେଠାରେ ପହଞ୍ଚିଲା ଓ ଛୁଆଙ୍କୁ ଗୋଡ଼ ପଂଝାରେ ଧରିବା ପାଇଁ ଆକ୍ରମଣ କଲା। ଏହା ଦେଖି ମାଆକୁକୁଡ଼ା ଆଖିପିଛୁଳାକେ ଛୁଆମାନଙ୍କୁ ବଞ୍ଚା‌ଇବାକୁ ଯାଇ ଉଚ୍ଚସ୍ୱରରେ ଶବ୍ଦକରି ଛଂଚାଣ ଉପରକୁ କୁଦି ପଡ଼ିଲା। ମାଆ କୁକୁଡ଼ାର ଶବ୍ଦରେ ପାଖରେ ଶୋଇଥିବା କୁକୁର ଓ ବିଲେଇ ଧଡ଼ପଡ଼ ହୋଇ ଉଠିଗଲେ ଏବଂ ଛଂଚାଣକୁ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଛଂଚାଣଟି ତିନି ତିନିଟି ପଶୁପକ୍ଷୀଂକ ମିଳିତ ଆକ୍ରମଣରେ ଭୟଭୀତ ହୋଇ ନିଜର ଜୀବନ ବଂଚାଇବା ପାଇଁ ସେ ସ୍ଥାନ ଛାଡ଼ି ପଳାଇ ଗଲା।

ପଶୁପକ୍ଷୀଙ୍କ ଅସାଧାରଣ ଶବ୍ଦ ଶୁଣି କୃଷକର ସ୍ତ୍ରୀ ରୋଷେଇ ଘରୁ ଦୌଡ଼ି ଆସିଲା ଓ ଦେଖିଲା ଛଂଚାଣଟି ଭୟଭୀତ ହୋଇ ଉଡ଼ି ଯାଉଛି ଓ ସମସ୍ତ କୁକୁଡ଼ା ଛୁଆ ସୁରକ୍ଷିତ ଅଛନ୍ତି। କୃଷକ ବିଲରୁ ଫେରିବା ପରେ, ସ୍ତ୍ରୀ ପାଖରୁ ସମସ୍ତ କଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ହେଲା ସେତିକି ଖୁସି ମଧ୍ୟ ହେଲା। ପିଲାମାନଙ୍କୁ ପାଖକୁ ଡାକି କହିଲା,ଏହାଥିଲା ଏକତାର ବଳ। ମାଆ କୁକୁଡ଼ା,ବିଲେଇ ଓ କୁକୁରଙ୍କ ଏକତା ସାମ୍ନାରେ ଛଂଚାଣ ହାର ମାନିଲା।
ତେନ୍ତୁଳିପଦା,
ଜଗତସିଂହପୁର

ସମ୍ବନ୍ଧିତ ଖବର