ନେ ପ୍ରଭାତ ବେଳାରେ ପରମହଂସ ଦେବ ନିଜ ଶିଷ୍ୟଙ୍କ ସହିତ ବୁଲୁଥିେଲ। ସେତିକିବେଳେ ସେ ଦେଖିଲେ ନିକଟରେ ଥିବା ଜଳାଶୟରେ କିଛି କେଉଟ ଜାଲ ପକେଇ ମାଛ ଧରୁଥିଲେ। ସେ ଅଚାନକ କେଉଟ ପାଖରେ ଯାଇ ଛିଡ଼ା ହୋଇଗଲେ ଆଉ ନିଜ ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ଏହି ଜାଲରେ ପଡ଼ିଥିବା ମାଛମାନଙ୍କର ଗତି ବିଧିକୁ ଧ୍ୟାନର ସହିତ ନିରୀକ୍ଷଣ କର। ଶିଷ୍ୟମାନେ ଧ୍ୟାନର ସହିତ ଜାଲକୁ ଦେଖିଲେ।
ଜାଲ ଭିତରେ ଥିବା ମାଛମାନଙ୍କ ମଧ୍ୟରୁ କିଛି ମାଛ ନିଶ୍ଚଳ ହୋଇ ପଡ଼ିଥିଲେ। ନିଜର ଏପରି ଅବସ୍ଥାକୁ ସେହି ମାଛମାନେ ଭାଗ୍ୟର ଲିଖନ ଭାବି ମୁକୁଳିବାକୁ ଚେଷ୍ଟା ମଧ୍ୟ କରୁନଥିଲେ। ହେଲେ ଜାଲ ଭିତରେ ପଡ଼ିଥିବା କିଛି ମାଛ ମୁକୁଳିବା ପାଇଁ ଅନବରତ ଚେଷ୍ଟା କରୁଥିଲେ। ତାଙ୍କୁ ସେଥିରେ କିଛି ସଫଳତା ମିଳୁ ନଥିଲା।
ସେହି ଜାଲରେ ଏମିତି କିଛି ମାଛ ଥିଲେ ଯେଉଁମାନଙ୍କୁ ଜାଲରୁ ମୁକୁଳିବା ପ୍ରୟାସରେ ସଫଳତା ମିଳିଲା, ଆଉ ସେମାନେ ଜାଲରୁ ମୁକ୍ତ ହୋଇ ପୁଣି ଥରେ ଜଳରେ ଖେଳିବାରେ ମଗ୍ନ ହୋଇଗଲେ।
ପରମହଂସ ଯେତେବେଳେ ଦେଖିଲେ କି ଶିଷ୍ୟମାନେ ମାଛମାନଙ୍କୁ ଦେଖିବାରେ ମଗ୍ନ ହୋଇ ଦୂରକୁ ଚାଲି ଗଲେଣି ସେତେବେଳେ ସେ ସେମାନଙ୍କୁ ପାଖକୁ ଡାକିଲେ। ଶିଷ୍ୟମାନେ ଆସିଯିବାରୁ ସେ କହିଲେ, ଯେମିତି ମାଛମାନଙ୍କର ମୁଖ୍ୟତଃ ତିନି ପ୍ରକାରର ଶ୍ରେଣୀ ଥାଏ, ସେମିତି ଅଧିକାଂଶ ମଣିଷ ମଧ୍ୟ ତିନି ପ୍ରକାରର ହେଇଥାନ୍ତି।
ପ୍ରଥମ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯେଉଁମାନେ ଆତ୍ମାର ବନ୍ଧନକୁ ସ୍ବୀକାର କରି ନେଇଛନ୍ତି। ତେଣୁ ସେମାନେ ଏହି ଭବ-ଜାଲରୁ ବାହାରିବା ବିଷୟରେ ତିଳେ ମାତ୍ର ଭାବୁ ନାହାନ୍ତି। ଦ୍ବିତୀୟ ଶ୍ରେଣୀର ବ୍ୟକ୍ତି ହେଉଛନ୍ତି ସେହିମାନେ, ଯିଏ ବୀରଙ୍କ ପରି ପ୍ରଚେଷ୍ଟା କରୁଛନ୍ତି ସତ, କିନ୍ତୁ ମୁକ୍ତିରୁ ବଞ୍ଚିତ ରହୁଛନ୍ତି। ତୃତୀୟ ଶ୍ରେଣୀର ବ୍ୟକ୍ତି ହେଉଛନ୍ତି ସେମାନେ ଯିଏ ନିଜର ପ୍ରଚେଷ୍ଟା ଦ୍ବାରା ଶେଷରେ ମୁକ୍ତି ପାଇଯାନ୍ତି।
ଆଉ ଗୋଟିଏ ଶ୍ରେଣୀର ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ସବୁବେଳେ ସବୁ ବିପଦରୁ ବଞ୍ଚେଇ ରଖନ୍ତି। ସେହି ଶ୍ରେଣୀ ହେଉଛି ବହୁତ ମହତ୍ତ୍ବପୂର୍ଣ୍ଣ ଶ୍ରେଣୀ। ସେ ଟିକିଏ ହସି ଦେଇ କହିଲେ, ଏହି ଶ୍ରେଣୀର ମନୁଷ୍ୟ ସେହି ମାଛଙ୍କ ସହିତ ସମାନ, ଯିଏ ଜାଲ ପାଖକୁ କେବେ ବି ଆସନ୍ତି ନାହିଁ। ଆଉ ଯେହେତୁ ସେମାନେ ଜାଲ ପାଖକୁ ଆସନ୍ତିନି, ତେଣୁ ତାଙ୍କର ଜାଲରେ ଫସିବାର ପ୍ରଶ୍ନ ହିଁ ଉଠେ ନାହିଁ।
ୟୁନିଟ-୯, ବାୟାବାବା ମଠ ଲେନ୍
ଭୁବନେଶ୍ବର