ଅନେକ ରେକର୍ଡ ତାଲିକାରେ ଦୁବାଇ ଶୀର୍ଷ ସ୍ଥାନରେ ରହିଛି। ଏବେ ଆଉ ଏକ କୃତିତ୍ବକୁ ସାମିଲ କରିବାକୁ ଯାଉଛି। ଅନନ୍ୟ ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରୁଛି ଦୁବା‌ଇ। ଏହାକୁ ଇଞ୍ଜିନିୟରିଂ ଜଗତର ରତ୍ନ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ, ଏହି ଅଭିନବ ପ୍ରୋଜେକ୍ଟ୍‌ରେ ୫ ବିଲିଅନ୍‌ ଡଲାର ଖର୍ଚ୍ଚ ହେବ। କାନାଡାର ସ୍ଥାପତ୍ୟ କମ୍ପାନି ‘ମୁନ୍‌ ୱାର୍ଲଡ ରିସର୍ଟ ଆଇଏନ୍‌ସି.’ ଏହାର ନିର୍ମାଣ ଦାୟିତ୍ବ ହାତକୁ ନେଇଛି। ଏହି ପ୍ରୋଜେକ୍ଟ୍‌କୁ ‘ମୁନ୍‌ ଦୁବାଇ’ ନାମରେ ସମ୍ବୋଧନ କରାଯାଉଛି। ଏହି ଅବଧାରଣା ପଛରେ ଥିବା ଦୁଇ ଉଦ୍ୟମୀଙ୍କ ମଧ୍ୟରେ ଅନ୍ୟତମ ମ‌ାଇକେଲ ହେଣ୍ଡରସନ୍‌ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ଏଇଟି ଏକ ବିଶାଳ ଓ ଅନନ୍ୟ ଅଟ୍ଟାଳିକା ହେବାକୁ ଯାଉଛି। ଏହାର ଉଚ୍ଚତା ୨୨୪ ମିଟର ଏବଂ ପରିଧି ହେବ ୧୮୯ ମିଟର। ପ୍ରୋଜେକ୍ଟ୍‌ ଶେଷ ହେବା ପରେ ଏଥିରେ ୪ ହଜାର ବିଳାସପୂର୍ଣ୍ଣ ସୁଟ୍ ରହିବ। ରିସର୍ଟର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ବିଳାସପୂର୍ଣ୍ଣ ବ୍ୟକ୍ତିଗତ ବାସସ୍ଥଳୀ ‘ସ୍କାଇ ଭିଲ୍ଲା’। ସେଠାରେ ସ୍ପା, ସ୍ବାସ୍ଥ୍ୟ ୟୁନିଟ୍‌, ଇଭେଣ୍ଟ୍‌ ସ୍ପେସ୍‌, ନାଇଟ୍‌ କ୍ଲବ୍‌, ବୈଠକସ୍ଥଳୀ ରହିବ। କାର୍ବନ୍‌ ଫାଇବର୍‌ କମ୍ପୋଜିଟ୍‌ ଉପକରଣ ପ୍ର‌େୟାଗ ମାଧ୍ୟମରେ ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରାଯିବ ବୋଲି ହେଣ୍ଡରସନ୍‌ କହିଛନ୍ତି।

Advertisment

କଥା-ଫରୁଆ - ‘‘ଯେଡ଼େ ବାଉଁଶ ସେଡ଼େ ପୋଲ’’

ବାଉଁଶ ଘାସ ଜାତିର ମାତ୍ର ଏହା କାଠ ଭଳି ସବୁଆଡ଼େ କାମରେ ଲାଗେ। ବାଉଁଶ ପୁଣି କେତେ କେତେ ଜାତିର। କେଉଁଠି କଣ୍ଟା-ବାଉଁଶ ତ କେଉଁଠି ସୁନ୍ଦରୀ-ବାଉଁଶ। ଏହା କେଉଁଠାରେ ବୁଦା ବୁଦା ଝାଡ଼ ତ କେଉଁଠି ଗୋଟି ଗୋଟିକିଆ। କିଛି କିଛି ବାଉଁଶ ବି ତାଳଗଛ ଭଳି ଲମ୍ବ। ହେଲେ ଗୋଟିଏ କଥା ସତ ଯେ ଅଧିକାଂଶ ବାଉଁଶର ଭିତରଟା ପୋଲା। ନିଦା-ବାଉଁଶ ଯେ ନାହିଁ ସେ କଥା ନୁହେଁ। ନିଦା ବାଉଁଶରୁ ହିଁ ଠେଙ୍ଗା ପ୍ରସ୍ତୁତ ହୁଏ। ମାତ୍ର ବାଉଁଶର ବ୍ୟାପକ ପ୍ରୟୋଗ ଏହି ପୋଲା ବାଉଁଶରୁ ହୋଇଥାଏ। ଏଠାରେ ‘‘ଯେଡ଼େ ବାଉଁଶ ସେଡ଼େ ପୋଲ’’ କହିବାର ଅର୍ଥ କିନ୍ତୁ ଏକ ପ୍ରତୀକ ଭାବରେ ଦର୍ଶାଯାଇଛି। ସାଧାରଣତଃ ମଣିଷ ଯେତିକି ରୋଜଗାର କରେ ସେଇ ଅନୁସାରେ ତା’ର ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଯାଏ। କୃପଣ ଲୋକଙ୍କ କ୍ଷେତ୍ରରେ ଏ କଥା ହୁଏ ତ ଭିନ୍ନ ହୋଇପାରେ ମାତ୍ର ଆମର ସାଧାରଣ ବିଶ୍ବାସ ଯେ ଯାହାର ଆୟ ବେଶି, ତା’ର ବ୍ୟୟ ମଧ୍ୟ ଅଧିକ। ସେଇଥିପାଇଁ କଥାରେ ଅଛି ‘‘ଯେଡ଼େ ବାଉଁଶ ସେଡ଼େ ପୋଲ’’।

ଏକାକ୍ଷର ଶବ୍ଦ ‘ଜ୍ଞ’

publive-image
Myths and Folklore Wiki - Fandom

‘ଜ୍ଞ’ ଅକ୍ଷରଟି ଏକ ଯୁକ୍ତାକ୍ଷର। ଜ+ଞର ମିଶ୍ରଣରେ ଏଇ ଅକ୍ଷରଟିର ସୃଷ୍ଟି। ଓଡ଼ିଆ ଭାଷାରେ ଏହାର ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟବହାର ରହିଛି। ବିଶେଷଣ ଭାବରେ ଓ ବିଶେଷ୍ୟ ଭାବରେ ଏହି ଏକାକ୍ଷର ଶବ୍ଦ ବ୍ୟବହୃତ। ‘ଜ୍ଞ’ ଶବ୍ଦରୁ ଜ୍ଞାନ ଓ ଜ୍ଞାନୀ ଶବ୍ଦ ସୃଷ୍ଟି। ଜ୍ଞାନୀ ଶବ୍ଦଟିକୁ ଆମେ ପଣ୍ଡିତ ଅର୍ଥରେ ବ୍ୟବହାର କରୁ। ହେଲେ ବିଶେଷ୍ୟ ପଦ ଭାବରେ ଏହାର ପ୍ର‌େୟାଗ ବ୍ୟାପକ। ଗୋଟିଏ ମାତ୍ର ଅକ୍ଷର ହେଲେ ମଧ୍ୟ ଏହା ଅନେକ ଅର୍ଥର ପ୍ରତିନିଧିତ୍ବ କରେ। ଉଦାହରଣ ସ୍ବରୂପ ‘ଜ୍ଞ’ କହିଲେ ଏହା ହିନ୍ଦୁ ଧର୍ମର ପ୍ରଥମ ଦେବ-ତ୍ରିମୂର୍ତ୍ତିଙ୍କ ଭିତରୁ ବ୍ରହ୍ମାଙ୍କୁ ବୁଝାଇଥାଏ। ବ୍ରହ୍ମା, ସର୍ବପୂଜ୍ୟ ଏବଂ ଏଇ ଗୋଟିଏ ଅକ୍ଷର ତାଙ୍କର ପ୍ରତିନିଧି ଭଳି କାର୍ଯ୍ୟ କରେ। ଠିକ୍‌ ସେମିତି ‘ଜ୍ଞ’ କହିଲେ ତାହା ‘ଚନ୍ଦ୍ର’, ‘ମଙ୍ଗଳ ଗ୍ରହ’ ଓ ‘ବୁଧଗ୍ରହ’କୁ ମଧ୍ୟ ବୁଝାଇଥାଏ। ଆଧୁନିକ ସମୟର ସାହିତ୍ୟରେ ଏ ଭଳି ଏକାକ୍ଷର ଶବ୍ଦଗୁଡ଼ିକ ବହୁଳ ଭାବରେ ବ୍ୟବହୃତ ନ ହେଉଥିଲେ ମଧ୍ୟ ଆମର ପୋଥି ପୁରାଣରେ ସେ ଭଳି ପ୍ରୟୋଗର ଉଦାହରଣ ବ୍ୟାପକ। ‘ଜ୍ଞ’ ଗୋଟିଏ ମାତ୍ର ଯୁକ୍ତାକ୍ଷର ମାତ୍ର ତା’ର ଅର୍ଥ ଅନେକ।