ସବୁଆଡ଼େ ଆପାର୍ଟମେଣ୍ଟ୍‌। ଜନସଂଖ୍ୟା ବଢ଼ିବା ସହ ଆପାର୍ଟମେଣ୍ଟ୍‌ ବଢ଼ିବାରେ ଲାଗିଛି। ସେଥିପାଇଁ ଗଛସଂଖ୍ୟା କମିଯିବାରୁ କୁନି କୁନି ଚଢ଼େଇ ବେସାହାରା ହୋଇପଡ଼ୁଛନ୍ତି। ଏ ସବୁକୁ ନଜରରେ ରଖି ରାଜସ୍ଥାନରେ ରାଜଧାନୀ ଜୟପୁରରେ ଖାସ୍‌ ଚଢ଼େଇଙ୍କ ପାଇଁ ସାତ ମହଲାବିଶିଷ୍ଟ ୮୦ ଫୁଟ୍‌ ଉଚ୍ଚତାର ଏକ ସୁନ୍ଦର ଆପାର୍ଟମେଣ୍ଟ୍‌ ତିଆରି କରାଯାଇଛି। ଦୂରରୁ ଏହା ଲିନିଂଗ୍‌ ଟାୱାର୍‌ ଅଫ୍‌ ପିସା ଭଳି ଦେଖାଯାଏ। ଏହି ଆପାର୍ଟମେଣ୍ଟ୍‌ରେ ପକ୍ଷୀ ରହିବା ଲାଗି ୧୩୦୦ଟି ଖୋପ ବା କଣା ଅଛି। ପ୍ରତି ଖୋପରେ ଗୋଟିଏରୁ ଦୁଇଟି ପକ୍ଷୀ ଅ‌ାରାମରେ ରହିପାରିବେ। ଏହି ଆପାର୍ଟମେଣ୍ଟ୍‌କୁ ତିଆରି କରିବା ଲାଗି ଦୁଇ ମାସ ସମୟ ଲାଗିଥିଲା। ଏଠାରେ ଦାନା ଓ ପାଣି ଦେବାରେ ବି ବ୍ୟବସ୍ଥା ରହିଛି। ଏହି ଆପାର୍ଟମେଣ୍ଟ୍‌କୁ ଜୟପୁରର ପିଞ୍ଜରାପୋଲ ଗୌଶାଳା ନିର୍ମାଣ କରିଛନ୍ତି।

Advertisment

ଏକାକ୍ଷର ଶବ୍ଦ ‘ଖ’

ଆମ ଓଡ଼ିଆ ବର୍ଣ୍ଣମାଳାରେ ପାରମ୍ପରିକ ଭାବେ ୪୯ ଗୋଟି ବର୍ଣ୍ଣ ବା ଅକ୍ଷର ରହିଛି ବୋଲି ଅନେକ ଦାବି କରନ୍ତି। ସେଥିରୁ ୧୩ଗୋଟି ସ୍ବରବର୍ଣ୍ଣ ଓ ୩୬ ଗୋଟି ବ୍ୟଞ୍ଜନ ବର୍ଣ୍ଣ। ଏହି ବ୍ୟଞ୍ଜନ ବର୍ଣ୍ଣ ଭିତରୁ ‘ଖ’ ବର୍ଣ୍ଣର ସ୍ଥାନ ଦ୍ବିତୀୟ। (ଖନ୍‌+ଅ)ରୁ ଯେଉଁ ‘ଖ’ ଉତ୍ପନ୍ନ ହୁଏ ତା’ର ଅନେକ ଅର୍ଥ ଅଛି। ଯଥା ‘ଖ’ କହିଲେ ତାହା ସୂର୍ଯ୍ୟ, ସ୍ବର୍ଗ, ସୁଖ, ଶରୀର ଓ ନଗରକୁ ବୁଝାଇଥାଏ। ସେହିଭଳି (ଖଚ୍‌+ଅ)ରୁ ସୃଷ୍ଟ ‘ଖ’ର ଅର୍ଥ ବ୍ରହ୍ମ, ଜ୍ଞାନ, ଶୂନ୍ୟସଂଖ୍ୟା, ଅଭ୍ର ଓ ମୋକ୍ଷକୁ ବୁଝାଇଥାଏ। ଆମେ ଶବ୍ଦ ତିଆରି କଲାବେଳେ ଅକ୍ଷରମାନଙ୍କ ଆଧାରରେ ତାହାକୁ ଲେଖାରେ ପ୍ରକାଶ କରିଥାଉ। ମାତ୍ର ଯେତେବେଳେ କଥା କହୁ ସେତେବେଳେ ଆମ ପାଟିରୁ ଯେଉଁ ଧ୍ବନି ଉତ୍ପନ୍ନ ହୁଏ ତାହା ହିଁ ଶବ୍ଦର ପ୍ରାଣ ଭଳି କାର୍ଯ୍ୟ କରିଥାଏ। ପୃଥିବୀରେ ଅନେକ ବା ଅଧିକାଂଶ ଶବ୍ଦ ଏକାଧିକ ଅକ୍ଷରକୁ ନେଇ ଗଢ଼ା। ମାତ୍ର ଓଡ଼ିଆ ଭାଷାରେ ଗୋଟିଏ ଗୋଟିଏ ଅକ୍ଷର ବି ଅନେକ ଶବ୍ଦର ପ୍ରତିନିଧିତ୍ବ କରନ୍ତି।

କଥା-ଫରୁଆ: ‘‘ଚକେ ଗଲେ ବାରହାତ’’

ଚକେ କହିଲେ କେଉଁଠି କେଉଁଠି ଗୋଟିଏ ଚକର ନିର୍ଦ୍ଦିଷ୍ଟ ବିନ୍ଦୁରୁ ତା’ର ସମ୍ପୂର୍ଣ୍ଣ ଗୋଲେଇକୁ ବୁଝାଇଥାଏ। ତେଣୁ ଚକେ କହିଲେ ସେ ଚକର ବାହ୍ୟ ଗୋଲେଇର ଲମ୍ବ। ମାତ୍ର ଗ୍ରାମୀଣ ବ୍ୟବହାର ଅନୁସାରେ ଚକେ କହିଲେ ଚାରିଆଙ୍ଗୁଳ ପରିମିତ ଦୀର୍ଘତାକୁ ବୁଝାଏ। ଅନେକ ସମୟରେ କୌଣସି କାମ ଆରମ୍ଭ କରିବା ବେଶ୍‌ କଠିନ ହୋଇପଡ଼େ। ମାତ୍ର ଥରେ କାମଟି ଆରମ୍ଭ ହୋଇଗଲେ ଯେତେ କମ୍‌ ସଫଳତା ହାସଲ ହୋଇଥିଲେ ମଧ୍ୟ ଆଗକୁ ତାହା ସହଜ ଜଣାପଡ଼େ। ଚକେ କହିଲେ ଖୁବ୍‌ କମ୍‌ ପ୍ରଗତି। ବାରହାତ କହିଲେ ବେଶ ଅଧିକ। ତେଣୁ ଚକେ ଗଲେ ବାରହାତ ବୋଲି ଯେ କୁହାଯାଇଛି ତାହା ଏଇ ଅର୍ଥରେ ଯେ କୌଣସି କାର୍ଯ୍ୟ ଥରେ ଆରମ୍ଭ ହୋଇଗଲେ ପ୍ରଥମେ ପ୍ରଥମେ ଯେତେ ମନ୍ଥର ହେଲେ ମଧ୍ୟ ଆଗକୁ ଆଗେଇବାର ବାଟ ଫିଟେ। ପ୍ରଥମେ ଚକେ ହାସଲ ହୁଏ, ତେଣିକି ତାହା ବାରହାତର ଅନୁଭବ ଦିଏ। ସେଥିପାଇଁ କହନ୍ତି, ‘‘ଚକେ ଗଲେ ବାରହାତ’’।