ଗୋଟିଏ କୃଷକ ପରିବାରରେ ଅନେକ ପୋଷା ଜୀବ ରହୁଥିଲେ। ପୋଷାଜୀବଙ୍କ ମଧ୍ୟରେ ଗୋଟିଏ ଗାଈ ଓ ଗୋଟିଏ କୁକୁର ବି ସ୍ଥାନ ପାଇଥିଲେ। ଗାଈ ଓ କୁକୁର ପରସ୍ପରକୁ ଖୁବ୍ ସ୍ନେହ କରୁଥିଲେ। ଦିନ ସମୟରେ କୁକୁରଟି ଯେଉଁଠି ବନ୍ଧାହୁଏ, ତା’ର ଅଳ୍ପ ଦୂରରେ ଗାଈଟିକୁ ବନ୍ଧା ଯାଇଥାଏ। ଦାଣ୍ଡରେ କୌଣସି ଅପରିଚିତ ବ୍ୟକ୍ତି ଯା’ଆସ କଲେ,କୁକୁରଟି ତାଙ୍କୁ ଦେଖି ଭୋ ଭୋ କରି ଭୁକେ। ସେଥିପାଇଁ ସମସ୍ତେ ତାକୁ ନକଲ କରନ୍ତି ଓ କେହି କେହି ତା’ ଉପରକୁ ଛୋଟ ଛୋଟ ପଥର ବି ଫିଙ୍ଗନ୍ତି। କିନ୍ତୁ ଗାଈ ଶାନ୍ତ ସ୍ୱଭାବର ହୋଇଥିବାରୁ ସମସ୍ତେ ତା’ ମୁହଁକୁ ଧରି ଗେହ୍ଲା କରନ୍ତି ଓ ଶ୍ରଦ୍ଧାରେ ତାକୁ ଆଉଁସି ଦିଅନ୍ତି। ଲୋକଙ୍କର ଏପରି ବ୍ୟବହାର କୁକୁରକୁ ଖୁବ୍ ବାଧେ। ଦିନେ ସେ ଗାଈକୁ କହିଲା ଦେଖ ଭଉଣୀ,ମୁଁ ମାଲିକକୁ ନିରାପଦରେ ରଖିବା ପାଇଁ ଅପରିଚିତ ଲୋକଙ୍କୁ ଦେଖି ଭୁକିବାରୁ ସମସ୍ତେ ମୋ ଉପରେ ବିରକ୍ତ ହୋଇ ମୋତେ ପଥର ଫିଙ୍ଗୁଛନ୍ତି। କିନ୍ତୁ ତୁମକୁ ସମସ୍ତେ ଆଦର କରି ଆଉଁସି ଦେଉଛନ୍ତି।
କୁକୁରର କଥା ଶୁଣି ଗାଈ ଟିକିଏ ହସିଦେଲା ଓ କହିଲା,ଦାଣ୍ଡରେ ଯାଉଥିବା ସମସ୍ତ ଲୋକ ଆମ ମାଲିକର ଶତ୍ରୁ ନୁହନ୍ତି। ତେଣୁ ସମସ୍ତଂକୁ ଏକ ପ୍ରକାର ବ୍ୟବହାର ଦେଖାଇବା ଉଚିତ ନୁହେଁ। ରାତିରେ ଅପରିଚିତ ଲୋକଙ୍କୁ ଦେଖି ଭୁକିବା ଓ ସତର୍କତା ଅବଲମ୍ବନ କରିବା ତୁମର ମୁଖ୍ୟ କାମ। ଦିନରେ ଦାଣ୍ଡରେ ଯା’ଆସ କରୁଥିବା ଲୋକଙ୍କୁ ଦେଖି ଭୁକିବା ତୁମର ବୋକାମି। ତୁମେ ତୁମର ସ୍ୱଭାବ ପରିବର୍ତ୍ତନ କର ଦେଖିବ,ତୁମକୁ ସମସ୍ତେ ମୋ ପରି ଶ୍ରଦ୍ଧା ନିଶ୍ଚୟ କରିବେ। ଗାଈର କଥାଟି କୁକୁରର ମନକୁ ଛୁଇଁଲା ଓ ସେ ନିଜ ସ୍ୱଭାବକୁ ବଦଳାଇବାକୁ ଚେଷ୍ଟା କଲା।
ଦିନ କେଇଟାରେ କୁକୁରର ଶାନ୍ତ ସ୍ୱଭାବ ଦେଖି ,ଲୋକମାନେ ଗାଈ ସହିତ କୁକୁରକୁ ଶ୍ରଦ୍ଧା ଓ ଆଦର କରିବା ଆରମ୍ଭ କରିଦେଲେ। ଏହା ଦେଖି ଗାଈଟି ହସି ହସି କୁକୁରକୁ କହିଲା,ସ୍ୱଭାବର ମୂଲ୍ୟ ବୁଝି ପାରିଲ ତ ଭାଇ! କୁକୁରଟି ଲାଞ୍ଜ ହଲେଇ ସହମତି ପ୍ରଦାନ କଲା ଓ ଗାଈକୁ ଆନ୍ତରିକ ଧନ୍ୟବାଦ ଜଣାଇଲା। ସେହି ଦିନଠୁ ଦୁହେଁ ସମସ୍ତଙ୍କର ସ୍ନେହ ଓ ଶ୍ରଦ୍ଧାରେ ହସଖୁସିରେ ଦିନ କାଟିଲେ।
ତେନ୍ତୁଳିପଦା,
ଜଗତସିଂହପୁର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/12-2.jpg)