କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକାର ଜଙ୍ଗଲରେ ଦେଖାଯାଉଥିବା ଏହି ବେଙ୍ଗ ନିଜ ଜୀବନ ପ୍ରତି ବିପଦ ବିଷୟରେ ସୂଚନା ପାଇଲେ ହଠାତ୍‌ ଅଦୃଶ୍ୟ ହୋଇଯାଆନ୍ତି। ଏମାନେ ପାନାମା ଓ କୋଷ୍ଟରିକା ଜଙ୍ଗଲରେ ଅଧିକ ଦେଖାଯାଆନ୍ତି। ଏହି ବେଙ୍ଗର ନାମ ହେଉଛି ‘ଗ୍ଲାସ୍‌ ଫ୍ରଗ୍‌’। କେତେକ ସ୍ଥାନରେ ଏହି ବେଙ୍ଗକୁ ଟ୍ରାନ୍ସ୍‌ପାରେଣ୍ଟ୍‌ ଫ୍ରଗ୍‌ ବା ପାରଦର୍ଶୀ ବେଙ୍ଗ ବୋଲି କୁହାଯାଇଥାଏ। ଏମାନେ ଉଭୟଚର ପ୍ରାଣୀ ଅଟନ୍ତି। ଏହି ଜାତିର ବେଙ୍ଗ ବିଷାକ୍ତ ହୋଇଥିଲେ ମଧ୍ୟ ଏମାନେ ଦଂଶନ କରନ୍ତି ନାହିଁ। ଅନ୍ୟ କୌଣସି ଜୀବ ଆକ୍ରମଣ କଲେ ଏମାନେ ପିଠିରୁ ବିଷ ଛାଡ଼ି ଶତ୍ରୁଙ୍କୁ ମାରିଥାନ୍ତି। ଏମାନଙ୍କ ଶରୀରରୁ ଏକ ବିଶେଷ ତରଳ ପଦାର୍ଥ ନିର୍ଗତ ହୁଏ, ଯାହା ଶରୀରକୁ ଅଦୃଶ୍ୟ କରେ। ଏହି ଜାତିର ବେଙ୍ଗ ନିଜ ରକ୍ତକୁ ଲିଭର୍‌ ମଧ୍ୟରେ ଜମା କରିଥାନ୍ତି। ଆମେରିକାର ମ୍ୟୁଜିୟମ୍‌ ଅଫ୍‌ ନେଚର୍‌ ହିଷ୍ଟ୍ରିର ଜେସି ଡେଲିଆ ଅଧ୍ୟୟନ କରି କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ କଥା ହେଉଛି ସମସ୍ତ ରକ୍ତକୁ ଗୋଟିଏ ଅଙ୍ଗରେ ଜମା ହେବା ପରେ ବି ଏହା ଜମାଟ ବାନ୍ଧି ନଥାଏ। ବେଙ୍ଗ ଜାଗ୍ରତ ହେବା ବେଳକୁ ଶରୀରରେ ରକ୍ତ ପ୍ରବାହିତ ହେଉଥିବାବେଳେ ଶୋଇଲାବେଳେ ଏହା ସ୍ବଚ୍ଛ ହୋଇଯାଏ।

Advertisment

ଏକାକ୍ଷର ଶବ୍ଦ: ‘ନୃ’

‘ନ’ ଏକ ବ୍ୟଞ୍ଜନ ବର୍ଣ୍ଣ। ସେଥିରେ ‘‘ୃ’’ ଫଳା ଲାଗିଲେ ତାହା ‘ନୃ’ରେ ପରିଣତ ହୁଏ ଏବଂ ଆଉ ଗୋଟିଏ ଅକ୍ଷରର ସ୍ବରୂପ ଗ୍ରହଣ କରେ। ଯେମିତି ‘ନା’, ‘ନି’, ‘ନୌ’ ଇତ୍ୟାଦି। ସେ ସବୁ ଅକ୍ଷରର ଭିନ୍ନ ଭିନ୍ନ ଅର୍ଥ ରହିଛି। ‘ନୃ’ ଅକ୍ଷରଟି ଶବ୍ଦ ହିସାବରେ ଏକ ବିଶେଷ୍ୟ। ଏହାର ଗଠନ ମୂଳରେ ରହିଛି ଦୁଇଟି ଅକ୍ଷର, ଯଥା ‘ନୀ’ ଓ ‘ଈ’, ଏ ଦୁଇଟିର ମିଶ୍ରଣ। ‘ନୃ’ ଶବ୍ଦର ଅର୍ଥ ‘ନର’ ଓ ‘ମନୁଷ୍ୟ’। ଅତଏବ ଏହି ଏକାକ୍ଷର ଶବ୍ଦରୁ ସୃଷ୍ଟ ‘‘ନୃପତି’ ବା ‘‘ନୃତତ୍ତ୍ବ’’, ମଣିଷ ବା ନରମାନଙ୍କର ପତି ବା ସ୍ବାମୀକୁ ଓ ମଣିଷଙ୍କର ଜୀବନଧାରା ସମ୍ପର୍କିତ ନାନା ତତ୍ତ୍ବ ଓ ତଥ୍ୟକୁ ବୁଝାଏ। ‘ନୃ’ କହିଲେ ମଧ୍ୟ ସାରା ମାନବଜାତିକୁ ବୁଝାଇଥାଏ। ଏହି ‘ନୃ’ ଶବ୍ଦରୁ ପୁଣି ‘ନୃବାହନ’, ‘ନୃମଣି’, ‘ନୃମୁଣ୍ଡ’, ‘ନୃଲୋକ’, ‘ନୃଯଜ୍ଞ’ ଭଳି ଅନେକ ଶବ୍ଦ ସୃଷ୍ଟି ହୋଇଥାଏ। ମାତ୍ର ସବୁ ମୂଳରେ ସେଇ ନର ବା ମଣିଷ।

କଥା-ଫରୁଆ ‘‘ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା’’

publive-image Cleveland Clinic Health Essentials

ବିଛା ନାନା ପ୍ରକାରର। କଙ୍କଡ଼ା ବିଛା, ତେନ୍ତୁଳିଆ ବିଛା, ଡଗରା ବିଛା। ତେନ୍ତୁଳିଆ ବିଛାଟି ଚୋପା ଛଡ଼ା ‌େତନ୍ତୁଳି ବା କଇଁଆ ପରି ଦେଖାଯାଏ। ସେଥିପାଇଁ ତା’ର ନାମ ତେନ୍ତୁଳିଆ ବିଛା। ଏମାନେ ସାଧାରଣତଃ ଘରମାନଙ୍କରେ ଦେଖାଯାଆନ୍ତି। ବିଛା କହିଲେ ଏହା ଏକ ଦଂଶନକାରୀ କୀଟ ବିଶେଷ। ଏ ବିଛାଟିର ଅନେକ ଗୋଡ଼। କଙ୍କଡ଼ା ବିଛା ସବୁଠାରୁ ଅଧିକ ଭୟଙ୍କର ହେଲେ ମଧ୍ୟ ଉପମା ଦେଲାବେଳେ ତେନ୍ତୁଳିଆ ବିଛା କଥା ପଡ଼େ। ଯେହେତୁ ବିଛା ଦଂଶନ କଲେ ଭୀଷଣ ଜ୍ବାଳା ହୁଏ? ସେଥିପାଇଁ କେହି ମାନସିକ ଭାବରେ କଷ୍ଟ ବା ଜ୍ବାଳା ଅନୁଭବ କଲେ କୁହାଯାଏ- ‘‘ଓଃ ସେ କାମଟି ଏ ଯାଏ ସରିନାହିଁ? ମୋ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଲାଣି।’’ ସାଧାରଣ ଅର୍ଥରେ କହିଲେ ଏହାର ଗୂଢ଼ ଅର୍ଥ ମାନସିକ ଜ୍ବାଳା।