ମଣିଷଙ୍କ ଭିତରେ ୮ ପ୍ରକାରର ବ୍ଲଡ୍ ଗ୍ରୁପ୍ ଦେଖିବାକୁ ମିଳେ। ଏହା ଛଡ଼ା ଆଉ ଏକ ବିରଳ ବ୍ଲଡ୍ ଗ୍ରୁପ୍ ରହିଛି ଯାହାକୁ ଗୋଲ୍ଡେନ୍ ବ୍ଳଡ୍ କୁହାଯାଉଛି। ସାରା ପୃଥିବୀରେ ଏହି ଗ୍ରୁପ୍ର ମାତ୍ର ୪୫ ଜଣ ଲୋକ ଥିବା ସୂଚନା ରହିଛି। ତେବେ ଗୋଲ୍ଡେନ୍ ବ୍ଲଡ୍ ଗ୍ରୁପ୍ କହିଲେ ଆର୍ଏଚ୍ ନିଲ୍ ଗ୍ରୁପ୍। ଏହା ଏକ ୟୁନିଭର୍ସାଲ୍ ଡୋନର୍ ବ୍ଲଡ୍ ଗ୍ରୁପ୍ ଅଟେ। ୪୫ ଜଣଙ୍କ ମଧ୍ୟରୁ ୯ ଜଣ ଡୋନର୍ ଭାବେ ନିଜ ବ୍ଲଡ୍ ଦେଇପାରିବେ। ଏହି ବ୍ଲ୍ଡ୍ର ଦାମ୍ ମଧ୍ୟ ଅଧିକ। ଗୋଟାଏ ବୁନ୍ଦାର ମୂଲ୍ୟ ଏକ ଗ୍ରାମ୍ ସୁନାଠାରୁ ବି ଅଧିକ। ଏହାର ଆର୍ଏଚ ନିଲ୍ କୁହାଯିବା ପଛର ଅର୍ଥ ଏଥିରେ ଆର୍ଏଚ୍ ଫ୍ୟାକ୍ଟର ଶୂନ୍ୟ ଥାଏ। ଆମ ଶରୀରରେ ରକ୍ତ ତିନୋଟି ଉପାୟରେ ପ୍ରସ୍ତୁତ ହୋଇଥାଏ ଯଥା ରେଡ୍ ବ୍ଳଡ୍ ସେଲ୍, ହ୍ବାଇଟ୍ ବ୍ଳଡ୍ ସେଲ୍ ଓ ପ୍ଲାଟିଲେଟସ୍। ଗୋଲ୍ଡେନ୍ ବ୍ଳଡ୍ଗ୍ରୁପ୍ ଥିବା ଲୋକଙ୍କର ଆର୍ଏଚ୍ ଫ୍ୟାକ୍ଟର୍ ହିଁ ନଥାଏ। ଏହି ବିରଳ ବ୍ଲଡ୍ଗ୍ରୁପ୍ ଜେନେଟିକ୍ ମ୍ୟୁଟେସନ୍ କାରଣରୁ ହୋଇଥାଏ। ୧୯୬୧ରେ ଏହି ବ୍ଲଡ୍ଗ୍ରୁପ୍ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା।
ଏକାକ୍ଷର ଶବ୍ଦ ‘ନି’
ଗୋଟିଏ ମାତ୍ର ଅକ୍ଷର ହେଲେ ମଧ୍ୟ ଏହା ଏକ ଶବ୍ଦ। ବ୍ୟାକରଣର ପଦ ଅନୁସାରେ ଏହା ଏକ ଅବ୍ୟୟ ପଦ। ‘ନି’ ଉପସର୍ଗ ବିଶେଷ। ‘ନି’କୁ ଅଧିକତର ଭାବେ ‘ନାହିଁ’ ଅର୍ଥରେ ବ୍ୟବହାର କରାଯାଇଥାଏ। ଯଥା-କର, କରନାହିଁ। ଆଣ, ଆଣନାହିଁ ବା ଆସ, ଆସନାହିଁ। ସେ କ୍ଷେତ୍ରରେ ଆମେ ଲୌକିକ ଭାବେ କରନି, ଆଣନି, ଆସନି ଆଦି କରିଥାଉ। ତେବେ ଏହା ନିେଷଧ, ଅଭାବ, ସମୀପ୍ୟ, ନିଶ୍ଚୟ, ଉକର୍ଷ, ନିମ୍ନତା ପ୍ରଭୃତି ଆହୁରି କେତେ କେତେ ଅର୍ଥ ମଧ୍ୟ ସୂଚାଇଥାଏ। ଆଉ ଗୋଟିଏ କଥା। ଆମର ସଙ୍ଗୀତରେ ଥିବା ସାତଗୋଟି ସ୍ବର ଯଥା ସାରେଗାମାପାଧାନି ଭିତରୁ ‘ନି’ ମଧ୍ୟ ଏକ ସ୍ବର। ଏହା ହସ୍ତୀ ବା ନିଷାଦର ସ୍ବର ଭାବରେ ସଙ୍ଗୀତ ଧାରାରେ ସ୍ଥାନ ପାଇଛି। ତଏବ ସଙ୍ଗୀତର ସପ୍ତ ସ୍ବର ଶ୍ରେଣୀ ଭିତରୁ ‘ନି’ ସପ୍ତମ ସ୍ବର ଭାବେ ପରିଚିତ।
କଥା-ଫରୁଆ: ‘ବାପାରାଣ, ଢିଙ୍କି ଗିଳ୍’
ରାଣ ପକେଇବା ଅର୍ଥ ଶପଥ କରିବା। ଆମ ସାଧାରଣ ଜୀବନରେ ଅନ୍ୟର ବିଶ୍ବାସ ଜନ୍ମାଇବା ସକାଶେ ସତ୍ୟ ବା ଶପଥ କରିବାକୁ ପଡ଼ିଥାଏ। ଏହାକୁ କେହି କେହି ‘ରାଣ ପକାଇବା’ ବୋଲି କହିଥାନ୍ତି। ସାଧାରଣତଃ ପିଲାମାନେ ପାଠପଢ଼ୁଥିବାବେଳେ ବିଦ୍ୟାକୁ ସାକ୍ଷୀ କରି ବିଦ୍ୟାରାଣ ପକାଇଥାନ୍ତି। ତା’ର ଅର୍ଥ ସେ ଶପଥରୁ ହୁଡ଼ିଲେ ଯେଉଁ ନାଆଁ ନେଇ ରାଣ ପଡ଼ିଥାଏ ସେଥିରେ କ୍ଷତି ହୁଏ। ସେଇଭଳି ଆମ ଜୀବନଧାରାରେ କେହି କେହି ବାପାରାଣ, ମାଆରାଣ ଓ ବିଦ୍ୟାରାଣ ପକାଇଥାନ୍ତି। ବୟସ୍କ ଲୋକମାନେ ବି ପୁଅ ଝିଅଙ୍କ ନାମରେ ଓ ଠାକୁରଙ୍କ ନାଁ ନେଇ ରାଣ ପକେଇବାର ଅନେକ ନଜିର ଅଛି। ଏଠାରେ ବାପାରାଣ ସହିତ ଢିଙ୍କି ଗିଳିବା କଥାଟି ଯୋଡ଼ାଯାଇଛି। କେହି ଢିଙ୍କି ଗିଳିବା ଏକ ଅସମ୍ଭବ କଥା। ଅତଏବ କାହାକୁ ତା’ର ବାପର ରାଣ ପକାଇ ଗୋଟାଏ ଅସମ୍ଭବ କଥା କରିବା ଲାଗି ପ୍ରବର୍ତ୍ତାଇବା କ୍ଷେତ୍ରରେ ଏପରି ବିଶେଷ କଥାଟି ପ୍ରୟୋଗ କରାଯାଇଥାଏ। ଅନ୍ୟ ଅର୍ଥରେ କହିଲେ, ଯାହା ପକ୍ଷରେ କଥାଟି ଅସାଧ୍ୟ ତା’କୁ ସେ ଭଳି କରିବାକୁ ବାଧ୍ୟ କରିବା ହିଁ ‘‘ବାପାରାଣ ଢିଙ୍କି ଗିଳ୍’’କୁ ବୁଝାଇଥାଏ।