ଗଛରେ ଏପଟେ କାଉର ବସା, ସେପଟେ କପୋତର ବସା। ଦୁହେଁ ଛୁଆ ଦେଇଥାନ୍ତି। କପୋତ ପିଲା ଟିକେ ବଢ଼ିଗଲା ପରେ କାଉର ପିଲାମାନେ କେତେ ପ୍ରକାର ମିଠା, ପିଠା ଖାଉଥିବାର ଦେଖି ତାଙ୍କ ବାପା, ମା’ଙ୍କୁ କହିଲେ ‘‘ଆମ ପାଇଁ ସେମିତି ମିଠା ଓ ପିଠା ଆଣି ଦଉନ? ଖାଲି ଖୁଦଗୁଣ୍ଡି ଓ ଦାନା ଆମେ ସବୁଦିନ ଖାଇବୁ? କାଉର ପିଲାଏ ତ ଆମ ଆଗରେ ଦେଖେଇ ହଲେଇ କେତେ ଜିନିଷ ଖାଉଛନ୍ତି।
ପିଲାମାନଙ୍କ କଥା ଶୁଣି କପୋତ କହିଲା, ଆରେ ପିଲେ ଆମେ ଯାହା ଦେଉଛୁ ଖାଇଦିଅ। କାରଣ ଆମେ ଖୋଜି ଖୋଜି ମେହେନତ କରି ଆଣୁଛୁ। ଆଉ ସେ କାଉ ଚୋରି କରି ଆଣୁଛି। ସେ ଖାଇବାରେ ସୁଆଦ ନଥାଏ। କପୋତ ପାଟିରୁ ଏତିକି କଥା ସରିଛି, କାଉ ଉହୁଁକି ଆସିଲା। ରାଉରାଉ ହୋଇ କପୋତକୁ ଖୁମ୍ପିଲା। କାଉ କହୁଥାଏ, କ’ଣ କହିଲୁ ମୁଁ ଚୋର! ଆରେ ତୋ’ର ତ ଭାରି ବହପ। ମୋ ପାଖରେ ବସା କରିବୁ, ପୁଣି ମୋତେ ଚୋର କହିବୁ। ଉଠ୍ ଚାଲ ଏଠୁ। ଅନ୍ୟ କେଉଁଠି ବସା ବାନ୍ଧିବୁ ଯା’।

Advertisment

କପୋତ ତ ବଲ୍ ବଲ୍ କରି ଚାହିଁଛି। ଯା ଇଚ୍ଛା ତା’ କହି ଯାଉଛି କାଉ। ତହୁଁ ସେ କହିଲା, ଆରେ କ’ଣଟା ଏମିତି ମିଛ କହି ଦେଲି ଯେ ଏମିତି ରବେଇ ଖବେଇ ହେଉଛୁ? କହିଲୁ ତୁ ଯେ ଏଇ ମିଠା,ପିଠା, ଶୁଖୁଆ କି ଅନ୍ୟ ଦରବ ସବୁ ବସାକୁ ଆଣୁଛୁ, ତୋତେ କ’ଣ କେହି ଯାଚିକି ଦେଇଛି? ତୁ ପରା ଚାଳରେ, ବାଡ଼ରେ ବସିଥିବୁ; ପିଲାଏ ପିଣ୍ଡା,ଅଗଣାରେ ମିଠା କି ପିଠାଟେ ଧରି ଖାଉଥିଲେ, ଝାମ୍ପ ମାରି ଛଡ଼େଇ ଆଣୁ। ପିଲାଙ୍କ ଆହାର ମାରିବା କ’ଣ ଧର୍ମ ? ଆଉ ଯିଏ ଧାନ କି ଚାଉଳ କିମ୍ବା ମାଛ କି ଶୁଖୁଆ ଶୁଖେଇଥିବେ ତୁ ଝାମ୍ପ ମାରି ଥଣ୍ଟେ ଥଣ୍ଟେ ବହି ଆଣୁଛୁ। ମୁଁ କ’ଣ ଦେଖି ନାହିଁ ନା’ ଅନ୍ୟ କିଏ ଦେଖୁନାହାନ୍ତି! ରହ ଦିନେ ଏହି ଛାଟିଖିଆର ଫଳ ପାଇବୁ।
କପୋତ କଥାକୁ କାଉ ଫାଙ୍କି ଦେଲା ସିନା ବାସ୍ତବ ବିଷୟ ଉପରକୁ ଆସିଲା ନାହିଁ।

ଦିନକର କଥା। ବୁଢ଼ୀଟିଏ ତା’ ଭାଡ଼ିତଳେ ମୂଷା ମାରିବ ବୋଲି ଅଟାରେ ମୂଷାମରା ବିଷ ଗୋଳେଇ ଗୋଲି ଗୋଲି କରି ଶୁଖେଇଥିଲା। ଶୁଖିଗଲେ ମୂଷା ଗାତରେ ଗଳେଇ ପକେଇବ। କାଉର ଝାମ୍ପ ମାରିବାର ଅଭ୍ୟାସ ଅଛି। ସେଠି ଚାଳ ଉପରେ ଛକି ବସି ବୁଢ଼ୀ ଅଟା ଗୋଳେଇବାର ଦେଖିଛି ମାତ୍ର ସେଥିରେ ବିଷ ଗୋଳେଇବା ଦେଖି ନାହିଁ। ଏଣୁ ବୁଢ଼ୀ ଟିକେ ଦେଢ଼େଇଛି କି ନାହିଁ, କାଉ ମାରିଲା ଝାମ୍ପ। କପୋତ କିନ୍ତୁ ସଜନାଗଛ ଡାଳରେ ବସି ଏ ଘଟଣା ଦେଖୁଥିଲା। ସେ ଜାଣିଲା, ଚ଼ଣ୍ଡାଳ କାଉ ଏ ବିଷମିଶା ଗୋଲି ନେଇ ତା’ ଛୁଆଗୁଡ଼ିକୁ ଦେବ। ମରିଯିବେ ବିଚରା ପିଲା ଦୁଇଟା। ଦ୍ରୁତଗତିରେ ବସା ଆଡ଼େ ଉଡ଼ିଗଲା। କାଉ ବସାରେ ପହଞ୍ଚୁ ନ ପହଞ୍ଚୁଣୁ କପୋତ ଯାଇ ହାଜର। କପୋତ କହିଲା, ‘‘ରହ, ରହ ସେ ଗୋଲି ଛୁଆଙ୍କୁ ଖୁଆନାରେ, ସେଥିରେ ବିଷ ମିଶିଛି’’। ତା’ପରେ କପୋତ ସମସ୍ତ କଥା କହିଗଲା। କାଉ ସେ ଅଟାଗୋଲି ଫିଙ୍ଗିଦେଲା। ଥଣ୍ଟରେ ବିଷଗୋଲି ଧରିଥିବାରୁ ତା’ ଥଣ୍ଟ ଜଳୁଥାଏ।

ତହୁଁ କାଉ ମୁଣ୍ଡ ନୁଆଁଇ କହିଲା, ‘‘ମୁଁ ତୋତେ ଏତେ ଗାଳି ଦେଇଥିଲି, ତଥାପି ତୁ ମୋ ପିଲାଙ୍କ ଜୀବନ ରକ୍ଷା କରିଦେଲୁ। ମୋତେ ଋଣୀ କରିଦେଲୁ, କିପରି ବାକ୍ୟରେ ତୋତେ ଧନ୍ୟବାଦ ଦେବି ଜାଣିପାରୁନି”।
ବାସୁଦେବପୁର, ଭଦ୍ରକ