ଜାପାନ୍ର ମିତୋୟୋ ସରହରସ୍ଥ ଚିଚିବୁଗାହାମା ବିଚ୍ ହେଉଛି ଏକ ଲୋକପ୍ରିୟ ସ୍ଥାନ। ଲୋକଲୋଚନଠାରୁ ଦୂରରେ ଥିବା ଏହି ସ୍ଥାନ ସୋସିଆଲ୍ ମିଡିଆ ପାଇଁ ଏକ ପର୍ଯ୍ୟଟନସ୍ଥଳୀ ହୋଇପାରିଛି। ୨୦୧୬ରେ ପର୍ଯ୍ୟଟନର ବିକାଶ ପାଇଁ ଏକ ଫଟୋସୁଟ୍ ହୋଇଥିଲା। ସେଥିରେ ଚିଚିବୁଗାହାମା ବେଳାଭୂମିର ଜଳରେ ଦୁଇଟି ପିଲାଙ୍କ ପ୍ରତିଛବିର ଫଟୋ ଏତେ ସୁନ୍ଦରଭାବେ ଉଠାଯାଇଥିଲା ଯେ, ଲାଗୁଥିଲା ଯେମିତି ବେଳାରେ ଏକ ଦର୍ପଣ ରଖାଯାଇଛି। ଆକାଶ ସହିତ ପିଲାର ଅବିକଳ ଛବି ସେଇ ପାଣିରେ ପଡ଼ୁଥିବାର ଦେଖିବାକୁ ମିଳିଥିଲା। ସେବେଠାରୁ ଏହି ବେଳାଭୂମିର ନାମ ମିରର୍ ବିଚ୍ ରଖାଗଲା। ଏହାପରେ ୱେବ୍ସାଇଟ୍ରେ ଚିଚିବୁଗାହାମା ବିଚ୍ରେ କି ଭଳି ସମାନ ପ୍ରତିଛବି ଫଟୋ ଉଠାଇ ହେବ ସେ ନେଇ ଟିପ୍ପଣୀ ଦିଆଗଲା। ତା’ ସହ ସେଠାକାର ଜୁଆର ଆସିବା ଓ ସୂର୍ଯ୍ୟାସ୍ତ ହେବା ସମୟର ବିବରଣୀ ବି ଦିଆଗଲା। ସୋସିଆଲ୍ ମିଡିଆରୁ ଏ ବିଷୟରେ ଜାଣି ହଜାର ହଜାର ପର୍ଯ୍ୟଟକ ଏହି ମିରର୍ ବିଚ୍କୁ ଆସିବାକୁ ଲାଗିଲେ।
ଏକାକ୍ଷର ଶବ୍ଦ: ‘ବି’
‘ବି’ ଏକ ବିଶେଷ୍ୟ ପଦ। (ବ+ଇ)ରୁ ଏହାର ସୃଷ୍ଟି। ମନରେ ପ୍ରଶ୍ନ ହୋଇପାରେ ଯେ, ଗୋଟିଏ ଇକାର ଯୁକ୍ତ ଶବ୍ଦ, ପଦ କେମିତି ହେବ? ‘ବି’ ଗୋଟିଏ ମାତ୍ର ଅକ୍ଷର ହେଲେ ମଧ୍ୟ ଏହା ଏକ ଶବ୍ଦ। ଓଡ଼ିଆ ଅଭିଧାନରେ ଏହାର ଅନେକ ଅର୍ଥ ରହିଛି। ଯଥା- ଆକାଶ, ସ୍ବର୍ଗ, ପକ୍ଷୀ, ଉପସର୍ଗ ବିଶେଷ, ସମ୍ୟକ୍, ବିପରୀତ, ବିରହିତ, ବିକୃତ, ଅଭାବ, ବିଗତ, ନିଷିଦ୍ଧ। ସଂସ୍କୃତରେ ମଧ୍ୟ ‘ବି’ର ଅର୍ଥ ଅପି। ଦେଶଜ ବ୍ୟବହାରରେ ‘ବି’କୁ ଆମେ ଏକ ଅବ୍ୟୟ ପଦଭାବରେ ବ୍ୟବହାର କରୁ, ଯଥା- ମଧ୍ୟ, ସୁଦ୍ଧା ଓ ଏବଂ। ଧରାଯାଉ ଜଣେ କହିଲେ, ‘‘ମଁୁ ବି ସେ କଥା ଜାଣେ’’। ଏଠାରେ ‘ବି’, ମଧ୍ୟ ଓ ସୁଦ୍ଧାକୁ ବୁଝାଏ। ପୁଣି ଯଦି କେହି କହନ୍ତି- ‘‘ମଁୁ ବି, ସେ ବି ସେଦିନ ଗୋଟିଏ ଯାଗାରେ ଥିଲୁ।’’ ଏଠାରେ ଅର୍ଥ ହେବ ‘‘ମଁୁ ଏବଂ ସେ ମଧ୍ୟ ସେ ଦିନ ଗୋଟିଏ ଯାଗାରେ ଥିଲୁ।
କଥା-ଫରୁଆ: ‘‘ହାତୀ ନେ, ଘୋଡ଼ା ନେ, ମୋ’ ପେଁକାଳି ବଜାଇ ଦେ।’’
ଆଜିର ଆଧୁନିକ ଯୁଗରେ ନାନା ଯାନ ବ୍ୟବହୃତ ହେଲାଣି। ଗାଡ଼ି, ମଟର, ଜାହାଜ, ବ୍ୟୋମଯାନ, ସାଇକେଲ୍, ଶଗଡ଼, ରିକ୍ସା ଭଳି ଯାନଗୁଡ଼ିକ ହିଁ ପ୍ରାୟତଃ ବ୍ୟବହୃତ। ଯିବା ଆସିବା ପାଇଁ ଆଉ କିଏ ହାତୀ, ଘୋଡ଼ା, ଗଧ ଭଳି ବାହନ ବ୍ୟବହାର କରୁଛି? ବରଫ ଅଞ୍ଚଳରେ ଚମରୀ ଗାଈ ଓ ବଲ୍ଗା ହରିଣ ଭଳି ପ୍ରାଣୀକୁ ବାହନ ଭାବରେ ବ୍ୟବହାର କରାଯିବାର ନଜର ରହିଛି। ବାହନ ସେଇ ଯେ ବହନ କରେ। ଦିନଥିଲା ଯେତେବେଳେ ହାତୀ ଓ ଘୋଡ଼ା ଥିଲେ ସବୁଠାରୁ ଅଧିକ ମୂଲ୍ୟବାନ ବାହନ। ଯେମିତି ଧନବାନ ନହେଲେ ହାତୀ ପୋଷିବା ଅସମ୍ଭବ ହୋଇପଡ଼େ। ସେମିତି ପ୍ରକାର ଭେଦରେ ଘୋଡ଼ାର ମୂଲ୍ୟ ମଧ୍ୟ ଅତ୍ୟନ୍ତ ଅଧିକ ହୋଇଥାଏ। ଅତଏବ ହାତୀ ଓ ଘୋଡ଼ା ଖୁବ୍ ମୂଲ୍ୟବାନ ବାହନ ଭାବେ ପରିଚିତ। ‘‘ହାତୀ ଓ ଘୋଡ଼ା’’ ଏଠାରେ ମୂଲ୍ୟବାନ ପୁରସ୍କାର। ‘‘ମୋ’ ପେଁକାଳି ହେଉଛି ଆପଣାର ସ୍ବାର୍ଥ। ତେଣୁ ଯେଉଁଠି ନିଜର ସ୍ବାର୍ଥ ବା ଉଦ୍ଦେଶ୍ୟ ହାସଲ ପାଇଁ କାହାକୁ ପୁରସ୍କାର ବା ପ୍ରୋତ୍ସାହନ ଦେଇ କାମ କରିବାର ଯୋଜନା ଥାଏ, ସେଠାରେ କୁହାଯାଏ- ‘‘ହାତୀ ନେ, ଘୋଡ଼ା ନେ, ମୋ’ ପେଁକାଳି ବଜାଇ ଦେ’’।