ଝଡ଼ର ଇଗଲ

ତୁମ ଗପ - ତସନିମ୍ ସୁଲତାନା

ସେଦିନ କାଉର ତିନି ଛୁଆ ମାଆକୁ ନିଜ ପିତାଙ୍କ ବିଷୟରେ ପଚାରି ବସିଲେ। ମାଆ କହିଲା – ମୁଁ ଆଣିଥିବା ଖାଦ୍ୟ ଆଗେ ଖାଇ ସାର। ତାପରେ କଥା ହେବା। ହେଲେ ପିଲାମାନେ ନଛୋଡବନ୍ଧା। ବାପା କାଉ ବିଷୟରେ ଛୁଆମାନଙ୍କ ଜାଣିବାର ଆଗ୍ରହ ଦେଖି ମାଆ କାଉ କହିଲା – ହଉ ଶୁଣ।

ଜଙ୍ଗଲରେ ରହୁଥିବା ଅନେକ କାଉ ମଧ୍ୟରୁ ତୁମ ବାପାଙ୍କ ସ୍ୱତନ୍ତ୍ର ଗୁଣ ରହିଥିଲା। ସେଇଟା ଥିଲା ତାଙ୍କର ସମସ୍ତଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର। ମାଆ କଥା ଛୁଆମାନେ ମନ ଦେଇ ଶୁଣୁଥାନ୍ତି। ସାନ ଛୁଆ କହିଲା – କ’ଣ ଶତ୍ରୁମାନଙ୍କ ସହ ଆମେ ଭଲ ବ୍ୟବହାର କରିବା? ମାଆ କାଉ କହିଲା – ନିଶ୍ଚୟ ,ଶତ୍ରୁ ହେଉ କି ମିତ୍ର, ସମସ୍ତଙ୍କ ସହ ଭଲ ବ୍ୟବହାର କରିବ ଯେମିତି ତୁମ ବାପା ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିଲେ। ତୁମେସବୁ ତାଙ୍କରି ଛୁଆ ହିସାବରେ ତାଙ୍କ ପଦାଙ୍କ ଅନୁସରଣ କରିବା ଉଚିତ।
ହଉ,ଶୁଣ-

ଥରେ ଏଇ ଅଂଚଳରେ ଭୀଷଣ ଝଡ଼ ବର୍ଷା ହେଲା। ସମସ୍ତ ପକ୍ଷୀ ନିଜ ବସା ଛାଡ଼ି ଜୀବନ ବିକଳରେ ପାଖ ମନ୍ଦିର, ମସଜିଦ୍‌ ଭଳି ସୁରକ୍ଷିତ ସ୍ଥାନକୁ ଚାଲିଗଲେ। ତୁମ ବାପା ମୋତେ ସେମାନଙ୍କ ସହ ଯିବାକୁ କହିଲେ। ହେଲେ ସେ ନିଜେ ମୋର ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ବସାରେ ଅଣ୍ଡା ଉପରେ ସେମିତି ବସି ରହିଲେ। ତାଙ୍କର ବିଶ୍ବସ୍ତ ବନ୍ଧୁଥିଲା ଇଗଲ ପକ୍ଷୀ। ସେ ତୁମ ବାପାଙ୍କୁ ବିଭିନ୍ନ ଧର୍ମାନୁଷ୍ଠାନରେ ଖୋଜି ଖୋଜି ଥକିଗଲା। ଶେଷରେ ସେଇ ବସା ପାଖକୁ ଆସିଲା। ସେତେବେଳେ ତୁମ ବାପା ଝଡ଼ ବର୍ଷା ମାଡ଼ ସହି ସହି ଥକି ପଡ଼ିଥାନ୍ତି।

ଛୁଆ ମାନେ ଦୁଃଖରେ କହିଲେ- କହ ମାଆ, ତାପରେ କଣ ହେଲା? ମାଆ କାଉ କହିଲା – ଇଗଲ ତୁମ ବାପାଙ୍କ ଜୀବନ ବଞ୍ଚେଇବା ପାଇଁ ଆଗେଇ ଆସିଲା। ହେଲେ, ତୁମ ବାପା ତା ସାଥିରେ ଯିବାକୁ ରାଜି ହେଲେ ନାହିଁ। ତୁମ ବାପା ସେଇ ତିନୋଟି ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଇ ଝଡ଼ର ଇଗଲକୁ ଅନୁରୋଧ କଲେ। ବଡ଼ ଛୁଆଟି ବ୍ୟସ୍ତ ହୋଇ କହିଲା – ମାଆ, ତାପରେ ବାପା କୁଆଡେ ଗଲେ? ସାନ ଛୁଆଟି ଆଖି ବଲବଲ କରି ତା ମାଆକୁ ସେମିତି ଚାହିଁ ରହିଥାଏ। ସମସ୍ତେ ପଚାରି ବସିଲେ ମାଆ – ସେ ଅଣ୍ଡା ସବୁ କ’ଣ ହେଲା !

ମାଆ ଆଖିରୁ ଲୁହ ଝରି ପଡ଼ୁଥିଲା। ଛୁଆମାନେ ସେମାନଙ୍କ କୁନି କୁନି ପରରେ ମାଆର ଆଖିରୁ ଲୁହ ପୋଛିବାକୁ ଚେଷ୍ଟା କରୁଥିଲେ।
ମାଆ କହିଲା – ଇଗଲ ସାମନାରେ ତୁମ ବାପା ଅଣ୍ଡାକୁ ସୁରକ୍ଷା ଦେଉ ଦେଉ ଆରପାରି କି ଚାଲିଗଲେ। ଆଉ ଇଗଲ ଅଣ୍ଡା ସବୁ ତା’ ପଞ୍ଝାରେ ଧରି ଆକାଶକୁ ଉଡ଼ିଗଲା। ସାନଛୁଆ ପଚାରିଲା- କେତେ ଉପରକୁ ଉଡ଼ିଗଲା ମାଆ? ମାଆ କହିଲା – ଏମିତି ଏକ ଆକାଶ ଯେଉଁଠି ଝଡ଼ ବର୍ଷା କି ବାତ୍ୟାର ଭୟ ନଥାଏ। ସେଇଟି ହେଉଛି ମେଘମାଳା ଉପରର ଆକାଶ। ସେତିକି ଉଚ୍ଚକୁ କେବଳ ଇଗଲମାନେ ହିଁ ଉଡ଼ିପାରନ୍ତି। ପରବର୍ତ୍ତୀ ସମୟରେ ସେଇ ଅଣ୍ଡାରୁ ତୁମ୍ଭେମାନେ ସୃଷ୍ଟି ହେଲ।

ମାଆ କାଉ ତା’ ଛୁଆଙ୍କୁ ଆଦରରେ ଖୋଇ ଦେଉ ଦେଉ କହୁଥାଏ – ସାଧାରଣତଃ ଇଗଲମାନେ ଅନ୍ୟ ପକ୍ଷୀମାନଙ୍କ ଶତ୍ରୁ ହୋଇଥାନ୍ତି, କିନ୍ତୁ ଭଲ ବ୍ୟବହାର ପାଇ ସେମାନେ ମିତ୍ର ପାଲଟି ଯାଆନ୍ତି। ଏଭଳି ଏକ ଝଡ଼ର ଇଗଲ ଯୋଗୁଁ ମୋ ସୁନାର ସଂସାରରେ ଖୁସି ଖେଳି ଯାଇଛି ।
ଦଶମ ଶ୍ରେଣୀ, କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର, ପୁରୀ

ସମ୍ବନ୍ଧିତ ଖବର