ଦିବାନିଦ୍ରା କାରଣରୁ ଗ୍ଲୁକୋମା ବା କଳା ମୋତିଆବିନ୍ଦୁ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ଏହାର ସଠିକ୍ ଚିକିତ୍ସା ନହେଲେ ରୋଗୀର ଦୃଷ୍ଟିଶକ୍ତି ଚାଲିଯାଇଥାଏ। ଏହାଛଡ଼ା ବୃଦ୍ଧ ବ୍ୟକ୍ତି ଓ ଅତ୍ୟଧିକ ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ଏହି ରୋଗ ଦେଖାଯାଇପାରେ। ନିଜ ଅଧ୍ୟୟନକୁ ଅଧିକ ପ୍ରମାଣିତ କରିବା ପାଇଁ ବ୍ରିଟେନ୍ ଗବେଷକମାନେ ୪୦ରୁ ୬୯ ବର୍ଷ ବୟସର ୪୦ ହଜାର ଲୋକଙ୍କୁ ଗବେଷଣାରେ ସାମିଲ କରିଥିଲେ। ଏଥିରୁ କେତେଜଣ ଦିନ ସମୟରେ ଶୋଇବାକୁ ପସନ୍ଦ କରୁଥିଲାବେଳେ କେତେକ ରାତି ସମୟରେ ଶୋଉଥିଲେ। ଅଧ୍ୟୟନଟି ୨୦୧୦ରୁ ୨୦୨୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଗବେଷଣା ପରେ ୮,୬୯୦ ଜଣଙ୍କଠାରେ ଗ୍ଲୁକୋମା ହେବାର ଆଶଙ୍କା ବୃଦ୍ଧି ପାଇଥିଲା। ତେବେ ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୪୦ ବେଳକୁ ବିଶ୍ବର ୧୧.୨ ନିୟୁତ ଲୋକ ଗ୍ଲୁକୋମାରେ ପୀଡ଼ିତ ହେବେ। ଏ ରୋଗ ସିଧା ଆଖିର ଅପ୍ଟିକ୍ ସ୍ନାୟୁକୁ ପ୍ରଭାବିତ କରିଥାଏ। ଏହି ସ୍ନାୟୁ ଆଖିକୁ ମସ୍ତିଷ୍କ ସହିତ ସଂଯୋଗ କରେ। ଆଖିର ଆଲୋକ ଗ୍ରହଣ କରୁଥିବା ସମ୍ବେଦନଶୀଳ କୋଷଗୁଡ଼ିକର ଅବକ୍ଷୟ ହିଁ ଏ ରୋଗର କାରଣ।
ଏକାକ୍ଷର ଶବ୍ଦ ‘ହୋ’
ଆମେ କଥା କହିଲାବଳେ ବ୍ୟଞ୍ଜନାସୂଚକ ନାନା ଅଭିବ୍ୟକ୍ତି ପ୍ରକାଶ କରୁ। ତାହା ପୁଣି ଗୋଟିଏ ମାତ୍ର ଶବ୍ଦରେ। ଯେମିତି ‘ହ’, ‘ହା’, ‘ହି’ । ବ୍ୟବହାର ଅନୁଯାୟୀ ସ୍ଥଳ ବିଶେଷରେ ଏ ଅକ୍ଷରଗୁଡ଼ିକ ନାନା ଅର୍ଥର ପ୍ରତିନିଧିତ୍ବ କରନ୍ତି। ସେହି କ୍ରମରେ ବିଚାର କଲେ ହୋ ଏକ ସମ୍ବୋଧନସୂଚକ ଅବ୍ୟୟ ପଦ ରୂପେ ବ୍ୟବହୃତ ହୋଇଥାଏ। କେହି କେହି କାହାକୁ କଥା କହିଲାବେଳେ କହନ୍ତି- ‘‘କ’ଣ କରିବି ଭାଇ! ମତେ କ’ଣ ବେଳ ଜଣାପଡ଼ିଲା କି? ଗୋଟାଏ ‘ହୋ’ରେ ତ ପଳେଇଆସିଲି!’’ ଏଠାରେ ଗୋଟାଏ ହୋ ମାନେ ଗୋଟାଏ ଲୟ। ସେହିଭଳି ଦେଶଜ ବ୍ୟବହାରରେ ‘ହୋ’ କହିଲେ ଗୋଳମାଳ, ଯାହାକି ଏକ ବିଶେଷ୍ୟ ପଦ। ଆମେ କହୁ ସେ ଗୋଟେ ‘େହା’ ଲଗେଇଦେଲା। ପୁଣି ‘ହୋ’ ଏକ ଆଦିବାସୀ ସମ୍ପଦାୟର ଭାଷା-ନାମ ବୋଲି ଓଡ଼ିଶାରେ ପରିଚିତ।
କଥା-ଫରୁଆ - ‘‘ବରଷେ ଗଲେ ପୁରୁଷେ ଯାଏ’’
ପ୍ରକୃତରେ ପୃଥିବୀରେ ସବୁକଥା କ୍ଷଣସ୍ଥାୟୀ। ଆଜି ଯାହା ଅଛି ତାହା କାଲିକି ଆଉ ନ ଥାଏ। ସମୟ ଚିର ପ୍ରବହମାନ। ସେଇ ଅନୁସାରେ ପରିବର୍ତ୍ତନ ହିଁ ସଂସାରରେ ଏକମାତ୍ର ସତ୍ୟ ବୋଲି ଅନେକ ଟିପ୍ପଣୀ କରନ୍ତି। ବରେଷ କଥାଟି ଗୋଟିଏ ବର୍ଷ ବା ବାରମାସର ସମୟ ଅବଧିକୁ ବୁଝାଇଥାଏ। ଅନ୍ୟପକ୍ଷରେ ପୁରୁଷେ କହିଲେ ଜଣେ ବ୍ୟକ୍ତିର ଆୟୁଷକାଳ ଯାହାକୁ ଆମେ ଷାଠିଏବର୍ଷ ବୋଲି ଧରିପାରିବା। ମାତ୍ର ବରଷେ ଗଲେ ପୁରୁଷେ ଯାଏ କଥା କେମିତି ସମ୍ଭବ? ଏହା ଏକ ରୂଢ଼ି ପ୍ରୟୋଗ। ଅର୍ଥାତ୍ ବିଶେଷ ଭାଷାଗତ ବ୍ୟବହାର। ମଣିଷ ଅନେକ ସମୟରେ ବିପଦରେ ପଡ଼େ। ସେତେବେଳେ ମନରେ ଆସେ ସତେ ଯେମିତି ଏ ବିପଦ ଆଉ ଟଳିବ ନାହିଁ। ସେମିତି ବିଚାର କଲେ ଯେ କେହି ନୈରାଶ୍ୟରେ ବୁଡ଼ିଯିବ। ମାତ୍ର ଅସଲ କଥା ହେଲା ସୁଖ ହେଉ କି ଦୁଃଖ! ସବୁ କ୍ଷଣସ୍ଥାୟୀ। ବିପଦ ବି ସମୟକ୍ରମେ ଟଳେ। ତେଣୁ ସାନ୍ତ୍ବନା ଦେଇ କୁହାଯାଏ, ‘‘ଚିନ୍ତା କରନା, ବରଷେ ଗଲେ ପୁରୁଷେ ଯାଏ।’’ ଆଜି ସିନା ଅଛି ତାହା କାଲିକି ନ ଥିବ।