ପ୍ଲାଷ୍ଟିକ୍, ମାଇକ୍ରୋପ୍ଲାଷ୍ଟିକ୍ର କୁପ୍ରଭାବରୁ ଜୀବଗଜତକୁ ମୁକ୍ତ ରଖିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ୍ର ସୁଚୁଆନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସମୁଦ୍ରରେ ମାଇକ୍ରୋପ୍ଲାଷ୍ଟିକ୍ ସଫା କରିବା ପାଇଁ ଏକ ରୋବୋ ମାଛ ତିଆରି କରିଛନ୍ତି। ଏହା ମାତ୍ର ୧୩ ମିଲିମିଟର ଲମ୍ବା ଅଟେ। ଏହାର ଲାଞ୍ଜରେ ଏକ ଲେଜର ଲାଇଟ୍ ସିଷ୍ଟମ ଅଛି, ଯାହା ସାହାଯ୍ୟରେ ଏହା ପହଁରି ପାରିବ ଏବଂ ମାତ୍ର ଏକ ସେକେଣ୍ଡ୍ରେ ପ୍ରାୟ ୩୦ ମିଲିମିଟର ଗତି କରିପାରିବ। ରୋବୋ ମାଛ ଏକ ସମୟରେ ୫ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ଉଠାଇପାରିବ। ସାଧାରଣତଃ ସାମୁଦ୍ରିକ ପରିବେଶରେ ରୋବୋଗୁଡ଼ିକ ନଷ୍ଟ ହୋଇଯାଏ। କିନ୍ତୁ ଏହାକୁ ଏପରି ତିଆରି କରାଯାଇଛି ଯାହାଦ୍ବାରା ରୋବୋ ଫିସ୍ ୮୯ ପ୍ରତିଶତ ନିଜକୁ ନିଜେ ସଜାଡ଼ି ପାରିବ। ବୈଜ୍ଞାନିକମାନଙ୍କ କହିବାନୁସାରେ ଅକ୍ଟୋବର ୨୦୨୧ ସୁଦ୍ଧା ସମୁଦ୍ରରେ ପ୍ରାୟ ୨.୪ ଟ୍ରିଲିୟନ୍ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍ ଅଛି। ତେଣୁ ଏହାକୁ ସଫା କରିବାରେ ଏହି ମାଛ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଅାଶା ରଖିଛନ୍ତି।
ହାଇଟେକ୍ ମହାକାଶଯାନ
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଏକ ମହାକାଶଯାନ ପ୍ରସ୍ତୁତ କରିଛି। ଏହି ଯାନରୁ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଖାସ୍ କଥା ହେଲା ଏହି ମହାକାଶଯାନ ଯୋଗଁୁ ବାୟୁମଣ୍ଡଳରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ଏକ ସୁଇଚ୍ ଦ୍ବାରା ଏହାର ବାହ୍ୟ ଆବରଣକୁ ନିୟନ୍ତ୍ରଣ କରିହେବ। ଅର୍ଥାତ୍, ପରିସ୍ଥିତିକୁ ଅନୁଧ୍ୟାନ କରି ଏହାର ଆକାରକୁ ସଙ୍କୋଚନ କରାଯାଇପାରିବ ଏବଂ ପରବର୍ତ୍ତୀ ସମୟରେ ତାହାକୁ ବୃଦ୍ଧି କରାଯାଇ ଏହାର ପ୍ରକୃତ ଆକାରକୁ ଅଣାଯାଇପାରିବ। ଉକ୍ତ ନୂଆ ମହାକାଶଯାନକୁ ‘ହାଇପର୍ସୋନିକ୍ ଏରୋଡାଇନାମିକ୍ ଡିସିଲିଟର’ ନାମରେ ନାମିତ କରାଯାଇଛି।