ଟେ ଗାଁରେ ଜଣେ ମୂର୍ତ୍ତିକାର ରହୁଥାଆନ୍ତି। ସେ ଏମିତି ମୂର୍ତ୍ତି ନିର୍ମାଣ କରନ୍ତି ଯାହାକୁ ଦେଖିଲେ ଜୀବନ୍ତ ବୋଲି ଜଣାଯାଏ। ଆଖ ପାଖ ସମସ୍ତ ଗାଁରେ ତାଙ୍କର ଚର୍ଚ୍ଚା ହୁଏ। ଲୋକମାନେ ତା’ଙ୍କ ମୂର୍ତ୍ତିକଳା ଦେଖି ପ୍ରଶଂସା ନ କରି ରହିପାରନ୍ତି ନାହିଁ। ମୂର୍ତ୍ତିକାର ଲୋକଙ୍କ ପ୍ରଶଂସା ଶୁଣି ନିଜକୁ ବଡ଼ ଗର୍ବିତ ଅନୁଭବ କରନ୍ତି।

Advertisment

ସମୟ ଗଡ଼ି ଚାଲିଲା। ମୂର୍ତ୍ତିକାରଙ୍କ ବୟସ ବି ବଢ଼ିଲା। ଦିନେ ତାଙ୍କୁ ଜଣାଗଲା ଆଉ ବେଶି ଦିନ ବଞ୍ଚି‌େବ ନାହିଁ। କିନ୍ତୁ ଆଉ କିଛି ଦିନ ବଞ୍ଚି ରହିବାକୁ ମନରେ ପ୍ରବଳ ଆଶା। ସେଥିପାଇଁ ସେ ଯମଦୂତଙ୍କୁ ଭ୍ରମିତ କରିବାକୁ ମନରେ ଏକ ଯୋଜନା ପ୍ରସ୍ତୁତ କଲେ। ଯୋଜନା ଅନୁଯାୟୀ ନିଜ ପ୍ରତିକୃତିର ୧୦ଟି ମୂର୍ତ୍ତି ତିଆରି କଲେ ଏବଂ ସ୍ୱୟଂ ସେଇ ମୂର୍ତ୍ତିମାନଙ୍କ ମଧ୍ୟରେ ରାତି ଦିନ ବିସି ରହିଲେ। ଯେତେବେଳେ ଯମଦୂତ ନେବାପାଇଁ ଆସିଲେ ଏକାପରି ୧୧ଟି ଦେଖି ଆଶ୍ଚର୍ଯ୍ୟ ଚକିତ ହେଲେ। ଏକାପରି ମୂର୍ତ୍ତିମାନଙ୍କ ମଧ୍ୟରେ ପ୍ରକୃତ ମନୁଷ୍ୟ କିଏ ସେମାନେ ଚିହ୍ନିପାରୁ ନଥାନ୍ତି।

ଯମଦୂତ ଚିନ୍ତାରେ ପଡ଼ିଲେ। ଯଦି ମୂର୍ତ୍ତିକାରଙ୍କର ପ୍ରାଣ ନେବେନାହିଁ ସଂସାରରେ ସୃଷ୍ଟିର ନିୟମ ବିଗିଡ଼ି ଯିବ। ସତ୍ୟ ଜାଣିବାପାଇଁ ଯଦି ମୂର୍ତ୍ତିଗୁଡ଼ିକୁ ଭଙ୍ଗାଯାଏ ତେବେ କଳାର ଅପମାନ ହେବ। କ’ଣ କରିବେ ନ କରିବେ ସେମାନେ କିଛି ବାଟ ଖୋଜି ପାଉ ନଥାନ୍ତି।

ହଠାତ ଜଣେ ଯମଦୂତ ମାନବ ସ୍ୱଭାବର ଦୁର୍ଗୁଣ ପରଖିବା ଲାଗି ମୂର୍ତ୍ତିଗୁଡ଼ିକୁ ଲକ୍ଷ୍ୟ କରି କହିଲେ- କେଡ଼େ ସୁନ୍ଦର ସୁନ୍ଦର ମୂର୍ତ୍ତି ସବୁ ନିର୍ମିତ ହୋଇଛି। କିନ୍ତୁ ସବୁ ମୂର୍ତ୍ତିରେ ଗୋଟେ ଗୋଟେ ତ୍ରୁଟି ରହିଛି। ଯଦି ଏହିକ୍ଷଣି ମୂର୍ତ୍ତିକାର ମିଳି ଯାଆନ୍ତେ ତାଙ୍କୁ ଜଣେଇ ଦିଅନ୍ତି ତ୍ରୁଟି କୋଉଠି ଅଛି।

ଯମଦୂତଙ୍କର ବାର୍ତ୍ତା ଶୁଣି ଛପି ରହିଥିବା ମୂର୍ତ୍ତିକାର ମୂର୍ତ୍ତି ମଧ୍ୟରୁ ବାହାରି ଆସି ଗର୍ବରେ କହିଲେ-କାହିଁ କୋଉଠି ଆଛି ମୋ’ ତ୍ରୁଟି? ସଙ୍ଗେ ସଙ୍ଗେ ଯମଦୂତମାନେ ତାଙ୍କୁ ଚାରିପଟରୁ ଘେରିଯାଇ କହିଲେ-

ଏହା ହିଁ ତୁମର ବଡ଼ ତ୍ରୁଟି;ତୁମେ ଆମ ହାତରେ ଧରା ପଡ଼ିଲ।
ସଲଟ୍‌ ଲେକ,କଲକାତା