ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମିଚିଗାନ୍‌ର ପୋର୍ଟ‌୍ ଅଷ୍ଟିନ୍‌ରେ ଥିବା ହ୍ୟୁରନ୍‌ ହ୍ରଦ, ଅନେକ ପ୍ରକାରର ପ୍ରାକୃତିକ ସଂପଦରେ ଭରପୂର ଅଛି। ଅଧିକାଂଶ ସ୍ଥାନରେ ହ୍ରଦର ଜଳ ମଧ୍ୟ ଗଭୀର ଓ ସଫା। କିନ୍ତୁ, ହ୍ରଦର ଶଯ୍ୟା ପଥୁରିଆ। ଏଣୁ ପାଣିରେ ଚାଲିବା କଷ୍ଟକର ହୋଇଥାଏ। ଏଥିରେ କୌଣସି ବିପଜ୍ଜନକ ଜଳଚର ପ୍ରାଣୀ ରହୁ ନଥିବାରୁ ସନ୍ତରଣ ପାଇଁ ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକମାନେ ଏ ହ୍ରଦକୁ ବିଶେଷ ଭାବେ ପସନ୍ଦ କରିଥା’ନ୍ତି। ଶୀତ ଋତୁରେ ହ୍ରଦଟି ବରଫ ପାଲଟିଯାଏ। ହ୍ରଦ ଭିତରେ ଏକାଧିକ ଛୋଟ ଛୋଟ ଟାପୁ ରହିଛି ଏବଂ ବିଶାଳକାୟ ପ୍ରସ୍ତର ଖଣ୍ଡ ମଧ୍ୟ ଅଛି। ଦୂରରୁ ଶାଲଗମ୍‌ ଭଳି ଏବଂ ପାଣି ଉପରକୁ ମୁଣ୍ଡ ଟେକିଥିବା ଏହି ପଥରଗୁଡ଼ିକୁ ‘ଟରନିପ୍‌ ରକ୍‌ସ’ କୁହାଯାଏ। ଏଠାରେ କିଛି ସମୟ କଟାଇବା ପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିଥାଏ।

ହାଇଟେକ୍‌ ଟେଲିସ୍କୋପ୍‌

Advertisment

publive-image The Nine Planets

ବିଶ୍ବବ୍ରହ୍ମାଣ୍ଡ ବିଷୟରେ ନୂତନ ତଥ୍ୟ ଜାଣିବାକୁ ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି। ଏ ସମ୍ପର୍କରେ ନୂତନ କଥା ଜାଣିବାକୁ ଏକ ହାଇଟେକ୍‌ ଟେଲିସ୍କୋପ୍‌କୁ ମହାକାଶରେ ସଂଯୋଗ କରାଯାଇଛି। ଆମେରିକାର କାଲିଫର୍ନିଆସ୍ଥିତ ଲରେନ୍ସ୍‌ ବର୍କଲେ ନ୍ୟାସନାଲ୍‌ ଲାବରେଟୋରି ପକ୍ଷରୁ ଏପରି ଟେଲିସ୍କୋପ୍‌ ମିଶନ୍‌ କାମ କରିବ। ଏହାଦ୍ବାରା ସଂଗୃହୀତ ତଥ୍ୟକୁ ଆଧାର କରି ବିଶ୍ବବ୍ରହ୍ମାଣ୍ଡ ବିଷୟରେ ଅନେକ ରୋଚକ ତଥ୍ୟ ଜାଣିହେବ ବୋଲି ଉକ୍ତ ଲାବରେଟୋରିର ବୈଜ୍ଞାନିକ ଜୁଲିୟନ ଗେ’ ପ୍ରକାଶ କରିଛନ୍ତି। ଅନ୍ଧକାର ମଧ୍ୟରେ ଥିବା କଣିକାକୁ ଏହି ଟେଲିସ୍କୋପ୍‌ ତନ୍ନ ତନ୍ନ କରି ଅନୁଧ୍ୟାନ କରିବ। କେବଳ ସେତିକି ନୁହେଁ, ଗାଲାକ୍ସି ମଧ୍ୟରେ ଥିବା ଦୂରତା ବିଷୟରେ ମଧ୍ୟ ଏହି ଟେଲିସ୍କୋପ୍‌ରୁ ସୂଚନା ମିଳିପାରିବ।