ପପୁଆ ନିଉଗିନିରେ ଦେଖିବାକୁ ମିଳନ୍ତି କଳା ଓ ବାଦାମୀ ରଙ୍ଗର ଏକ ସୁନ୍ଦର ଛୋଟିଆ ଚଢ଼େଇ। ଯାହାର ନାଁ ହୁଡେଡ୍ ପିତୋହୋଇ। ଦେଖିବାକୁ ସୁନ୍ଦର ହେଲେ ବି ଏହା ପୃଥିବୀର ପ୍ରଥମ ଓ ଏକମାତ୍ର ବିଷାକ୍ତ ଚଢ଼େଇଭାବେ ପରିଚିତ। ପପୁଆ ନିଉଗିନିର ଲୋକେ ବହୁ ପୂର୍ବରୁ ଜାଣନ୍ତି ଏହା ଏକ ବିଷାକ୍ତ ଚଢ଼େଇ। କିନ୍ତୁ ପାଶ୍ଚାତ୍ୟ ଦେଶର ଲୋକେ ବହୁପରେ ଜାଣିଲେ। ୧୯୯୦ରେ ଅର୍ନିଥୋଲୋଜିଷ୍ଟ୍ ଜ୍ୟାକ୍ ଡମ୍ବାଚର୍ ଏହି ଚଢ଼େଇ ଦେଖିବାକୁ ଆସିଥାନ୍ତି। ଆଉ ଚଢ଼େଇକୁ ଧରିବା ପାଇଁ ଜାଲ ବିଛାଇଥାନ୍ତି। ଜାଲରେ ପଡ଼ିବାପରେ ସେ ଯେତେବେଳେ ଧରିବା ପାଇଁ ଗଲେ ଚଢ଼େଇଟି ତାଙ୍କୁ ଖୁମ୍ପି ଦେଇଥିଲା। ଆଉ ସେ ସଙ୍ଗେ ସଙ୍ଗେ ନିଜ ଆଙ୍ଗୁଳିକୁ ପାଟି ଭିତରକୁ ନେଇଯାଇଥିଲେ। ଫଳରେ ତାଙ୍କ ଓଠ ଓ ଜିଭ ବଧିରା ହୋଇଯିବା ସହ ସେ ଖୁବ୍ ଜଳାପୋଡ଼ା ଅନୁଭବ କଲେ। କିଛି ଘଣ୍ଟାପରେ ଜ୍ବାଳା କମିବାପରେ ଚିନ୍ତା କଲେ ଏଭଳି କାହିଁକି ହେଲା। ପରେ ସେ ଏହି ଚଢ଼େଇର ଏକ ପର ଆଣି ପାଟିରେ ଲଗାଇଲେ। ପୁଣିଥରେ ସେହି ଯନ୍ତ୍ରଣା ଅନୁଭବ କଲେ। ଏହାପରେ ସେ ପୃଥିବୀର ପ୍ରଥମ ଓ ଏକମାତ୍ର ବିଷାକ୍ତ ଚଢ଼େଇ ସମ୍ପର୍କରେ ଜାଣିଥିଲେ। ଏହି ଚଢ଼େଇକୁ ପରୀକ୍ଷାରୁ ଜାଣିଲେ ଯେ, ଚଢ଼େଇଟିର ପର, ଚର୍ମ ଓ ହାଡ଼ରେ ବିଷାକ୍ତ ପଦାର୍ଥ ରହିଛି। ସେ ଏକ ବିଷାକ୍ତ ପୋକ ଖାଇଥାଏ ଯାହାଦ୍ବାରା ଶରୀରରେ ବିଷାକ୍ତ ପଦାର୍ଥ ତିଆରି େହାଇଥାଏ।
ଏକାକ୍ଷର ଶବ୍ଦ- ‘ଜ୍ୟା’
‘ଜ୍ୟା’ ସିନା ‘ୟ’ ଫଳା ଓ ଆକାରଯୁକ୍ତ ଏକ ଅକ୍ଷର ହେଲେ ଏହା ଗୋଟିଏ ଖୁବ୍ ଗୁରୁତ୍ବପୂର୍ଣ୍ଣ ଶବ୍ଦ। ଓଡ଼ିଆ ଭାଷାରେ ଏହାର ବ୍ୟବହାର କେଉଁ ପ୍ରାଚୀନକାଳରୁ ଚାଲି ଆସିଛି। ଶବ୍ଦ ବା ଭାଷାର ଆୟୁଷ ତଥା ସମ୍ମାନ ତା’ର ବ୍ୟବହାର ଉପରେ ନିର୍ଭର କରେ। ବ୍ୟବହାର କହିଲେ- କହିବା, ପଢ଼ିବା, ଲେଖିବା, ଶୁଣିବା ପୁଣି ଛାପିବା। ଦେଖିବାକୁ ମିଳେ ଯେ ଏ ‘ଜ୍ୟା’ ରୂପକ ଏକାକ୍ଷର ଶବ୍ଦଟିର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି। ତା’ର ମୂଳକାରଣ ଏହାର ଅର୍ଥ ଅନେକ ଜାଣି ନଥାନ୍ତି। ‘ଜ୍ୟା’ ଯେ ଏକ ଶବ୍ଦ ତାହା ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କର ଧାରଣା ବାହାରେ। ‘ଜ୍ୟା’ କହିଲେ ଏହା ଧନୁର ଗୁଣ, ପୃଥିବୀ, ମାତା, ପୁଣି ବୃତ୍ତଚାପର ପ୍ରାନ୍ତ ଦ୍ବୟକୁ ଯୋଡ଼ୁଥିବା ସରଳରେଖାକୁ ବୁଝାଇଥାଏ। ଏହି ଗାଣିତିକ ବିଚାରରୁ ହିଁ ଧନୁର ଗୁଣକୁ ‘ଜ୍ୟା’ ଭାବରେ ଗ୍ରହଣ କରାଯାଇଛି। ଶବ୍ଦଜ୍ଞାନ ହିଁ ଜଣେ ଜଣେ ବ୍ୟକ୍ତିଙ୍କର ଭାଷାଜ୍ଞାନକୁ ବଳିଷ୍ଠ କରିଥାଏ। ତେଣୁ ‘ଜ୍ୟା’ ଭଳି ଶବ୍ଦର ବ୍ୟବହାର ଆମପାଇଁ ଜରୁରି।
କଥା-ଫରୁଆ - ପ୍ରହାରେଣ ଧନଞ୍ଜୟ
ଏ କଥାଟି ଗୋଟିଏ ପୁରୁଣା ମଜା କାହାଣୀରୁ ଆସିଛି। ଏହା ଏକ ସଂସ୍କୃତ କାହାଣୀ। ଅବଶ୍ୟ ଏଥିରେ ହିଂସାକୁ ପ୍ରାଧାନ୍ୟ ଦିଆଯାଇଛି। ହେଲେ କାହାଣୀ ତ କାହାଣୀ। ଥରେ ଜଣେ ଗୃହସ୍ଥଙ୍କ ଘରକୁ ତା’ଙ୍କର ଚାରି ଜୋଇଁ ଆସିଥିଲେ। ବିଚରା ଗୃହସ୍ଥ ଗରିବ। ଜୋଇଁମାନେ ଆଦର ଅଭ୍ୟର୍ଥନା ପାଇବା ଫଳରେ ଘରଛାଡ଼ି ଗଲେ ନାହିଁ। ଗରିବ ଶ୍ବଶୁର। କ’ଣ କହିବେ? ବଡ଼ ଜୋଇଁ ହରିଙ୍କୁ ଦିନେ ବସିବାକୁ ପିଢ଼ା ନ ଦିଆଯିବାରୁ ସେ ଇଜ୍ଜତକୁ ଜଗି ଚାଲିଗଲେ। ସେମିତି ବାକି ଥିବା ତିନିଜୋଇଁଙ୍କୁ ଆଉ ଘିଅପକା ଭଲ ଅନ୍ନ ଦେଲେ ନାହିଁ। ଫଳରେ ଦୁଇଜୋଇଁ ମାଧବ ଓ ପୁଣ୍ଡରୀକାକ୍ଷ ଅପମାନ ମନେକରି ପଳେଇଗଲେ। ମାତ୍ର ସାନ ଜୋଇଁ ଧନଞ୍ଜୟ ଯେତେ ଯାହା କଲେ ବି ଗଲେ ନାହିଁ। ଶେଷକୁ ଗରିବ ଶ୍ବଶୁର ଧନଞ୍ଜୟଙ୍କର କ’ଣ ଟିକେ ଭୁଲ ଦେଖି ବାଡ଼େଇବାକୁ ବାହାରିଲେ। ସାନଜୋଇଁ କି ଆଉ ରହନ୍ତି? ଦେ’ ଭାଗ୍। ସଂସ୍କୃତରେ ଲେଖାହୋଇଛି- ‘‘କଦନ୍ନେ ପୁଣ୍ଣୁରୀକାକ୍ଷଃ ପ୍ରହାରେଣ ଧନଞ୍ଜୟଃ। ଅତଏବ କାର୍ଯ୍ୟସିଦ୍ଧି ପାଇଁ ସବୁକିଛି ଫେଲ୍ ମାରିଲେ େଶଷକୁ ପ୍ରହାର କରିବା ଦରକାର ପଡ଼େ।