ଆଜିକାଲି ସମସ୍ତେ ଚିପ୍ସ, କୋଲ୍ଡଡ୍ରିଙ୍କ୍ସ, କୁକିଜ୍ ଆଦି ପ୍ରୋସେସ୍ଡ୍ ଫୁଡ୍ ଖାଇବାକୁ ଭଲ ପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ପଡ଼ୁଛି। ବିେଶଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ୍ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ୍, କୁକିଜ୍ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୁତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, ଚିନି ଓ ଫ୍ୟାଟ୍ର ପରିମାଣ ଅଧିକ ଥିବାବେଳେ ପ୍ରୋଟିନ୍ ଓ ଫାଇବର୍ ପରିମାଣ କମ୍ ଥାଏ।
ଏହା ସହ ଏଥିରେ ସାମିଲ୍ ଅଛି ସଫ୍ଟ୍ ଡ୍ରିଙ୍କ୍ସ୍, ଆଇସ୍କ୍ରିମ୍, ଲୁଣି ଓ ମିଠାଯୁକ୍ତ ସ୍ନାକ୍ସ, ଚିକେନ୍, ଦହି ଆଦି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ। ବ୍ରିଟେନ୍ର ୭୨, ୦୮୩ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କର ବୟସ ୫୫ ବର୍ଷ ଥିଲା ଓ ସେମାନଙ୍କଠାରେ ପ୍ରଥମ ପର୍ଯ୍ୟାୟରେ ଡିମେନ୍ସିଆର କୌଣସି ଲକ୍ଷଣ ନ ଥିବା ଦେଖାଯାଇଥିଲା। ପରେ ସ୍ବଳ୍ପରୁ ଆରମ୍ଭ କରି ଅଧିକ ଅଲଟ୍ରା-ପ୍ରୋସେସ୍ଡ ଫୁଡ୍ ଖାଉଥିବା ପ୍ରତିଯୋଗୀଙ୍କୁ ଚାରିଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷଣା ପରେ ୫୧୮ଜଣ ଡିମେନ୍ସିଆରେ ପୀଡ଼ିତ ଥିବାର ଦେଖାଯାଇଥିଲା।
ଏକାକ୍ଷର ଶବ୍ଦ ‘ଖ’
ଏକ ଅକ୍ଷର-ସମଷ୍ଟି ଯାହା ଏକ ଭାବ ବା ଅର୍ଥ ପ୍ରକାଶ କରେ। ମାତ୍ର ଗୋଟିଏ ବି ଅକ୍ଷର ଯେ ଅର୍ଥ ବହନ କରି ଶବ୍ଦର ମାନ୍ୟତା ଲାଭ କରେ ତାହା ଆମପାଇଁ ନିଶ୍ଚିତରେ ଏକ ସ୍ମରଣୀୟ କଥା। ଅନେକ ସମୟରେ ଏକ ଶବ୍ଦ-ସମଷ୍ଟିକୁ ଆମେ ଛୋଟ କରି ଗୋଟିଏ ମାତ୍ର ଅକ୍ଷରରେ ପ୍ରକାଶ କରିଥାଉ। ଯେମିତି ଆ’, ଖା’, ଯା’, ମା’ ଇତ୍ୟାଦି। ତେବେ କେବଳ ଗୋଟିଏ ଅକ୍ଷର ଶବ୍ଦ ଭଳି ଅର୍ଥବାହକ ହେବା ଅନେକ ସମୟରେ ବିସ୍ମୟ ସୃଷ୍ଟି କରେ। ଏବେ ‘ଖ’ ଅକ୍ଷରକୁ ଦେଖାଯାଉ। ଏହା ଏକ ଶବ୍ଦରୂପରେ କେତେକ ଅର୍ଥ ପ୍ରକାଶ କରିଥାଏ। ଓଡ଼ିଆ ବର୍ଣ୍ଣମାଳାର ଏହି ଦ୍ବିତୀୟ ବ୍ୟଞ୍ଜନ ବର୍ଣ୍ଣ ଖନ୍+ଅରୁ ତିଆରି। ଏହା ସୂର୍ଯ୍ୟ, ସ୍ବର୍ଗ, ସୁଖ, ଶରୀର, ନଗର, ବ୍ରହ୍ମ, ଜ୍ଞାନ, ଶୂନ୍ୟସଂଖ୍ୟା, ଅଭ୍ର ଓ ମୋକ୍ଷ ଆଦି ଅନେକ କଥାକୁ ବୁଝାଏ।
କଥା-ଫରୁଆ : ଚାଲୁଣୀ କହୁଛି ଛୁଞ୍ଚିକୁ
ଚାଲୁଣୀ ଏକ ଦରକାରୀ ବ୍ୟବହୃତ ପଦାର୍ଥ। ଚାଲୁଣୀ ସାହାଯ୍ୟରେ ଆବଶ୍ୟକ ପଦାର୍ଥରୁ ଅନାବଶ୍ୟକ ପଦାର୍ଥକୁ ଅଲଗା କରାଯାଇଥାଏ। ଘରେ, ବାହାରେ ଏହାର ବ୍ୟବହାର ବେଶ୍ ବ୍ୟାପକ। ସେମିତି ଦେଖିବାକୁ ଗଲେ ଏହାର ବିଭିନ୍ନ ଆକୃତି ନଜରକୁ ଆସେ। ତେବେ ମୂଳ କଥାଟି ହେଲା ଚାଲୁଣୀ, ମଙ୍ଗଥିବା ଏକ ଜାଲି ଯହିଁରେ ଥାଏ ଅନେକ ଛିଦ୍ର। ସେଇ ଛିଦ୍ର ଦେଇ ଦରକାରୀ ଚିଜକୁ ଅଦରକାରୀରୁ ଅଲଗା କରାଯାଏ। ଏହି ପ୍ରକ୍ରିୟାକୁ କୁହାଯାଏ ‘ଚଲେଇବା’। ଅନ୍ୟ ପକ୍ଷରେ ଛୁଞ୍ଚିର ମୂଳକାମ ହେଲା ସିଲେଇ କରିବା। ସେ ସକାଶେ ଛୁଞ୍ଚି ଦଣ୍ଡର ଗୋଟିଏ ପାଖ ମୁନିଆ ତ ଅନ୍ୟପଟଟିରେ ଥାଏ ଗୋଟିଏ କଣା ଯହିଁରେ ସୂତା ପୂରେଇ ସିଲେଇ କରାଯାଏ। ଏଠାରେ ଚାଲୁଣୀ ଓ ଛୁଞ୍ଚିର ତୁଳନା କଲାବେଳେ ଏଇ କଣା କଥାଟି ତାତ୍ପର୍ଯ୍ୟପୂର୍ଣ୍ଣ। ଛୁଞ୍ଚିର ଗୋଟିଏ କଣା, ଚାଲୁଣୀ ଦେହରେ ଅଜସ୍ର କଣା। ଅତଏବ ନିଜର ଅସଂଖ୍ୟ ଦୋଷ ଥାଇ ଜଣେ ଯେତେବେଳେ ଅନ୍ୟର ଗୋଟିଏ ଦୋଷ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ ସେତେବେଳେ କୁହାଯାଏ- ‘‘ଚାଲୁଣୀ କହୁଛି ଛୁଞ୍ଚିକୁ’’।