ବୁଦ୍ଧି ନଥିଲେ ସବୁ ଅସାର
ତୁମ ଗପ - ପ୍ରତ୍ୟୁଷ କୁମାର ସା
ସହରଠୁ କିଛି ଦୂରରେ ଗୋଟିଏ ଜଙ୍ଗଲ ଥିଲା। ଏହି ଜଙ୍ଗଲରେ ଠେକୁଆମାନେ ଗୋଠ କରି ରହୁଥିଲେ। ବୈଠକରେ ଥରେ ଗୋଟିଏ ଠେକୁଆ କହିଲା, ମଣିଷମାନେ ବହୁତ ଚତୁର ହୋଇଗଲେଣି। ହାତୀ, ବାଘ ଭଳି ବଡ଼ ଓ ଭୟଙ୍କର ଜନ୍ତୁଙ୍କୁ ମଧ୍ୟ କାବୁ କରିପାରୁଛନ୍ତି। ଆମକୁ ମଣିଷଙ୍କଠାରୁ କିଛି ଶିକ୍ଷା କରିବା ଦରକାର। ସର୍ଦ୍ଦାରଙ୍କୁ ଏହି କଥାଟି ଭାରି ପସନ୍ଦ ଆସିଲା। ବୈଠକରେ ନିଷ୍ପତ୍ତି ହେଲା, ସର୍ଦ୍ଦାର ନିଜେ ସହରକୁ ଯାଇ ମଣିଷଙ୍କଠାରୁ କିଛି ଶିକ୍ଷା କରି ଆସିବେ।
Sambad is now on WhatsApp
Join and get latest news updates delivered to you via WhatsApp
ପରଦିନ ଠେକୁଆ ସର୍ଦ୍ଦାର ସହରକୁ ବାହାରିଲେ। ସହରରେ ଦେଖିଲେ ପିଲାମାନେ ସ୍କୁଲରେ ପାଠ ପଢ଼ୁଛନ୍ତି। ସେତେବେଳେ ପିଲାମାନଙ୍କୁ ସାହିତ୍ୟ ପଢ଼ାଉଥିଲେ ଶିକ୍ଷକ। ପାଠର ବିଷୟ ଥିଲା- ଠେକୁଆ ଓ କଇଁଛ ଗପ।
ଠେକୁଆଙ୍କ କଥା, ମଣିଷମାନେ ପଢ଼ୁଥିବା ଜାଣି, ସର୍ଦ୍ଦାରକୁ ଖୁସି ଲାଗିଲା। ହେଲେ, ଇଏ କ’ଣ? ଠେକୁଆ ଓ କଇଁଛ ଦୌଡ଼ରେ ଅଳସୁଆଗୁଣ ଯୋଗୁଁ ହାରିଯାଉଛି ଠେକୁଆ। କେଉଁ କେତେ ବର୍ଷ ତଳେ କିଏ ଜଣେ ଠେକୁଆ, କଇଁଛଠାରୁ ଦୌଡ଼ରେ ହାରିଯାଇଥିଲା। ସେଥିପାଇଁ ଆଜି ବି ମଣିଷ ଠେକୁଆଙ୍କୁ ଅଳସୁଆ ବୋଲି ଧରି ନେଇଛି! ମଣିଷଠାରୁ କିଛି ଶିକ୍ଷା କରିବା ପୂର୍ବରୁ ଏହି ଧାରଣା ବଦଳାଇବାକୁ ହେବ।
ଜଙ୍ଗଲରେ ପହଂଚି ପୁଣି ଥରେ ସେ ବୈଠକ ଡକାଇଲେ। ସହରରେ ପିଲାଙ୍କୁ ପଢ଼ାଯାଉଥିବା ପାଠ ସମ୍ପର୍କରେ ସାଥୀ ଠେକୁଆମାନଙ୍କୁ କହିଲେ। ନିଷ୍ପତ୍ତି ହେଲା, କଇଁଛ ସହ ଠେକୁଆର ଆଉ ଥରେ ଦୌଡ଼ ପ୍ରତିଯୋଗିତା କରାଯିବ। ସମସ୍ତେ ପ୍ରସ୍ତାବରେ ରାଜି ହେଲେ। ପରଦିନ କଇଁଛଙ୍କ ସର୍ଦ୍ଦାରଙ୍କୁ ଡାକି ଦୌଡ଼ ପ୍ରତିଯୋଗିତା ପାଇଁ ଆହ୍ୱାନ ଦିଆଗଲା। ଅଚାନକ ଠେକୁଆଙ୍କ ଏହି ଆହ୍ୱାନକୁ ବୁଝିପାରିଥିଲେ କଇଁଛ ସର୍ଦ୍ଦାର। ପ୍ରତିଶୋଧ ପାଇଁ ପ୍ରତିଯୋଗିତା ହେଉଥିବା ଜାଣିପାରିଲେ। ହେଲେ, ମନା କରିବାର ସୁଯୋଗ ନଥିଲା। କାରଣ, କଇଁଛଙ୍କ ସ୍ୱାଭିମାନର କଥା ଥିଲା। କଇଁଛ ସର୍ଦ୍ଦାର ପ୍ରତିଯୋଗିତା ପାଇଁ ରାଜି ହୋଇଗଲେ। କିନ୍ତୁ ଦୌଡ଼ ଅଭ୍ୟାସ ପାଇଁ କିଛି ସମୟ ମାଗିଲେ।
କଇଁଛ ସର୍ଦ୍ଦାର ଚିନ୍ତାରେ ପଡ଼ିଗଲେ। କାରଣ, ଅଳସୁଆପଣ ଛାଡ଼ି ଠେକୁଆ ଦୌଡ଼ିଲେ ତାଙ୍କୁ ହରାଇ ହେବ ନାହିଁ। କିଛି ମାସ ଗଲା, ବର୍ଷା ଦିନ ଆସିଲା। ପ୍ରତିଯୋଗିତା ହେଉଥିବା ସ୍ଥାନ ଯାଇ ବୁଲି ଦେଖି ଆସିଲେ। ଦେଖିଲେ, ସେଠି ପାଣି ଭର୍ତି ହୋଇଯାଇଛି। ଗୋଟିଏ ଗୋଟିଏ ସ୍ଥାନରେ ବଡ଼ ବଡ଼ ଘାଇ ଓ ନାଳ ସୃଷ୍ଟି ହୋଇଯାଇଛି। ଏତେ ବଡ଼ ଘାଇ ଓ ନାଳରେ ଠେକୁଆ ଦୌଡ଼ିବା ସମ୍ଭବ ନଥିଲା। ଠିକ୍ ଏହି ସମୟରେ ଠେକୁଆଙ୍କୁ ଦୌଡ଼ ପ୍ରତିଯୋଗିତା କରିବା ପାଇଁ ନିମନ୍ତ୍ରଣ ଦେଲେ। ଠେକୁଆମାନେ ଭଲ-ମନ୍ଦ ବିଚାର ନକରି ରାଜି ହୋଇଗଲେ।
ନିର୍ଦ୍ଧାରିତ ଦିନ ଦୌଡ଼ ଆରମ୍ଭ ହେଲା। ଆଖି ପିଛୁଳାକେ ଦୌଡ଼ିବାରେ ଲାଗିଲା ଭାଗ ନେଇଥିବା ଠେକୁଆ। ଦୌଡ଼ରେ ଭାଗ ନେଇଥିବା ଠେକୁଆ, ପାଣି-କାଦୁଅର ଆକଳନ ନ କରି ଘାଇକୁ ଡେଇଁ ପଡ଼ିଲା। ବହଳିଆ କାଦୁଅରେ ପଡ଼ି ଛଟପଟ ହେବାରେ ଲାଗିଲା। ଏହି ସମୟରେ ଧୀରେ ଧୀରେ ଆସି ଘାଇ ଅତିକ୍ରମ କରିଗଲା କଇଁଛ। କଇଁଛ ଆଗକୁ ବଢ଼ିଯାଇଥିବା ଦେଖି ଠେକୁଆ ଚିନ୍ତାରେ ପଡ଼ିଗଲା। ବହୁ କଷ୍ଟରେ କାଦୁଅରୁ ମୁକୁଳି ପୁଣି ଦୌଡ଼ିଲା। ହେଲେ ଏଥର ନାଳରେ ପଡ଼ିଗଲା। ନାଳରେ ପାଣିର ସୂଅ ପ୍ରଖର ଥିବାରୁ ଠେକୁଆ ଭାସିଗଲା। ଏହାର ସୁଯୋଗ ନେଇ କଇଁଛ, ଲକ୍ଷ୍ୟ ସ୍ଥଳରେ ପହଂଚିଗଲା। କଇଁଛ ପୁଣି ଜିତିଗଲା।
ଠେକୁଆ ସର୍ଦ୍ଦାର ବୁଝିପାରିଲେ, କେବଳ ଅଳସୁଆମି ଛାଡ଼ିଲେ ହେବ ନାହିଁ। ବରଂ ବୁଦ୍ଧି ନ ଖଟାଇଲେ ସବୁ ଗୁଣ ଓ ସାମର୍ଥ୍ୟ ଅସାର।
ଗ୍ୟାରେଜ୍ ଛକ, ଭୁବନେଶ୍ୱର