ଲେମ୍ବୁପାଣି ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ମେଦବହୁଳତାକୁ କମାଇବାରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ତା’ସହ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖେ। କିନ୍ତୁ ଏହି ପାଣି ଆବଶ୍ୟକତାଠାରୁ ଅଧିକ ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାଲଟେ। ଓଜନ କମ୍ କରିବା ପାଇଁ କିଛି ଲୋକ ଲେମ୍ବୁପାଣି ପିଇଥାଆନ୍ତି। କିନ୍ତୁ ଅଧିକ ପିଇବା ଦ୍ବାରା ଆଣ୍ଠୁ ରସ ପ୍ରଭାବିତ ହେବାର ଆଶଙ୍କା ରହିଛି। ଫଳରେ ଭବିଷ୍ୟତରେ ସଂପୃକ୍ତ ବ୍ୟକ୍ତି ଆଣ୍ଠୁଗଣ୍ଠିଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଲେମ୍ବୁରେ ଅଧିକ ମାତ୍ରାରେ ଅମ୍ଳ ରହିଛି। ତେଣୁ ଏହି ପାଣି ଆବଶ୍ୟକତାଠାରୁ ଅଧିକ ପରିମାଣରେ ପିଇବା ଦ୍ବାରା ଦାନ୍ତଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଅଛି। ଲେମ୍ବୁରେ ଭିଟାମିନ୍ ‘ସି’ ଏବଂ ଫାଇବର୍ ଭରି ରହିଛି, ଯାହା ଆମର ପାଚନକ୍ରିୟାକୁ ଆହୁରି ସକ୍ରିୟ କରିଥାଏ। ହେଲେ ଏପରି ପାଣିର ମାତ୍ରା ଅଧିକ ହେଲେ ପେଟଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।
କଥା-ଫରୁଆ: ‘ଯେ ଦେଶ ଯାଇ ସେ ଫଳ ଖାଇ’
ମଣିଷ ଗୋଟିଏ ସ୍ଥାନରେ ଜନ୍ମହେଲେ ବି ସେଇ ସ୍ଥାନରେ ଯେ ଚିରଦିନ ରହିବ ସେ ଭଳି କଥା ନାହିଁ। ପୂର୍ବେ ଜଙ୍ଗଲରେ ହୁଏ ତ ସ୍ଥାୟୀ ଜୀବନ ନ ଥିଲା କିନ୍ତୁ କୃଷିକର୍ମ ଅାସିବା ପରଠାରୁ ସ୍ଥାୟୀ ବସବାସ ଆରମ୍ଭ ହେଲା। ଯେ ଯେଉଁଠାରେ ରହନ୍ତି, ସେଠାକାର ପରିବେଶ, ଫଳ, ମୂଳ ଓ ଉତ୍ପାଦନ ଅନୁସାରେ ସେମାନଙ୍କର ଖାଇବାପିଇବା, ରହଣି ସହଣି ସ୍ଥିର ହୁଏ। ତେବେ ତୀର୍ଥାଟନ, ପର୍ଯ୍ୟଟନ, ବେପାର ବଣିଜ ଓ ଜ୍ଞାନାର୍ଜନ ସକାଶେ ଅନେକ ଲୋକଙ୍କୁ ଗୋଟିଏ ଦେଶରୁ ଯାଇ ଅନ୍ୟଦେଶରେ ରହିବାକୁ ପଡ଼େ।
ଏବେ ବିଶେଷକରି ଆଧୁନିକ ଯୁଗରେ ଗମନାଗମନର ସୁବିଧା, ଚାକିରି ଓ ବେପାର ବଣିଜର ବ୍ୟାପକ ସୁଯୋଗ ସୃଷ୍ଟି େହଉଥିବାରୁ ଗୋଟେ ଦେଶରୁ ଯାଇ ଅନ୍ୟ ଏକ ଦେଶରେ ରହିବା ଏକ ସାଧାରଣ କଥାରେ ପରିଣତ ହେଲାଣି। ତେଣୁ ଏ ଭଳି ପରିସ୍ଥିତିରେ ଗୋଟିଏ ଜରୁରୀ ଆବଶ୍ୟକତା ହେଉଛି ଯେଉଁ ଦେଶକୁ ଯିବ ତା’ର ଚଳଣି, ପରିବେଶ ଓ ଖାଦ୍ୟ ପେୟକୁ ଗ୍ରହଣ କରି ଚଳିବ। ସେ ଦେଶର ଫଳ ଖାଇବ ଅର୍ଥ ତା’ର ପରିସ୍ଥିତିକୁ ଗ୍ରହଣ କରିନେବ। ତା’ ହେଲେ ଯାଇ ତୁମ ଜୀବନ ସହଜ ହେବ। ସେଇଥିପାଇଁ କଥାରେ କୁହାଯାଏ- ‘‘ଯେ ଦେଶ ଯାଇ ସେ ଫଳ ଖାଇ।’’
ଶବ୍ଦତୋଡ଼ା: ତ୍ରିରତ୍ନ
/sambad/media/post_attachments/wp-content/uploads/2022/08/11-10.jpg)
ରତ୍ନ କହିଲେ ସାଧାରଣତଃ ମୂଲ୍ୟବାନ ପଥରକୁ ବୁଝାଇଥାଏ। ଆମ ଓଡ଼ିଶାରେ ପ୍ରଚଳିତ ନବରତ୍ନ ଭିତରୁ ମୋତି ଓ ପ୍ରବାଳ ବା ପୋହଳା ଜୀବାଂଶରୁ ହିଁ ମିଳିଥାଏ। ବାକିସବୁ ପଥର-ହୀରା, ନୀଳା, ମାଣିକ ଇତ୍ୟାଦି। ସେମିତି ମଣିଷମାନଙ୍କ ଭିତରେ ବିଶେଷଗୁଣର ଅଧିକାରୀ ବ୍ୟକ୍ତିଙ୍କୁ ରତ୍ନ ବୋଲି କୁହାଯାଇଥାଏ। ଉଦାହରଣ ସ୍ବରୂପ ରାଜା ବିକ୍ରମାଦିତ୍ୟଙ୍କ ସଭାରେ ଥିବା ବିଖ୍ୟାତ ବିଦ୍ବାନମାନଙ୍କୁ ନବରତ୍ନ ଭାବରେ ଲୋକେ ଜାଣୁଥିଲେ। ଏଠାରେ ପ୍ରଶ୍ନ ହେଉଛି, ନବରତ୍ନ ପଥର ହେଉ କି ମଣିଷ ତାହା ତ ଆମେ ପ୍ରାୟତଃ ଶୁଣିବାକୁ ପାଉ ହେଲେ ଏ ତ୍ରିରତ୍ନ କ’ଣ? ନାରୀମାନେ ଗୁଣବତୀ ହେଲେ ତା’ଙ୍କ ପାଖରେ ସ୍ତ୍ରୀରତ୍ନ ଶବ୍ଦ ପ୍ରୟୋଗ କରାଯାଏ।
ଏ ତ୍ରିରତ୍ନ କଥାଟି କିନ୍ତୁ ବୌଦ୍ଧଧର୍ମ ସହିତ ଜଡ଼ିତ। ବୌଦ୍ଧଧର୍ମ ଏପରି ଏକ ଧର୍ମ ଯେଉଁଥିରେ ଜାତିଭେଦ ତ ନାହିଁ, ଭଗବାନଙ୍କର କଳ୍ପନା ବା ପୂଜାବିଧି ମଧ୍ୟ ସେଥିରେ ନ ଥାଏ। ସେଥିରେ ଯେଉଁ ତିନିଗୋଟି କଥାର ପ୍ରାଧାନ୍ୟ ସ୍ବୀକାର କରାଯାଏ, ସେ ତିନିଗୋଟି ହେଲା ମହାତ୍ମା ବୁଦ୍ଧ ନିଜେ ଓ ସେ ପ୍ରଚାର କରିଥିବା ନୀତି ଆଧାରରେ ଗଠିତ ଧର୍ମ ଏବଂ ତୃତୀୟରେ ସଂଘ। ବୌଦ୍ଧଧର୍ମରେ କୁହାଯାଏ ସଙ୍ଘମ୍ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ବୁଦ୍ଧଂ ଶରଣଂ ଗଚ୍ଛାମି। ଅତଏବ ବୁଦ୍ଧଦେବ, ଧର୍ମ ଓ ସଂଘ, ଏ ତିନିଙ୍କୁ କୁହାଯାଏ ତ୍ରିରତ୍ନ।