ଖୋଲା ଝରକା – ଯୋଗ ବଢ଼ାଏ ସ୍ମରଣଶକ୍ତି

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ମାନସିକ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ, ଯାହାଦ୍ବାରା ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଚଞ୍ଚଳ ରଖିବା ପାଇଁ ଯୋଗକୁ ବିକଳ୍ପ ଭାବେ ସମସ୍ତେ ଆପଣେଇ ପାରନ୍ତି। ଯୋଗ କରିବାଦ୍ବାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁଡ଼ିକ ମଜବୁତ୍‌ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ଭାବେ ହୁଏ, ଯାହା ଆମ ଅଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଶକ୍ତ କରିଥାଏ। ରକ୍ତଚାପକୁ ଏହା ସନ୍ତୁଳିତ ଅବସ୍ଥାରେ ରଖେ ଯଦ୍ବାରା ଡାଇବେଟିସ୍‌, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, କ୍ୟାନ୍‌ସର ଭଳି ଅନେକ ରୋଗରୁ ଆମେ ରକ୍ଷା ପାଇଥାଉ। ଅନେକ ସମୟରେ ଅଧିକାଂଶ ଲୋକ ଚାପର ବଶବର୍ତ୍ତୀ ହୋଇ ଠିକ୍‌ ଭାବେ ଶୋଇ ପାରନ୍ତି ନାହିଁ। ଫଳରେ ସେମାନେ ନିଦ୍ରାହୀନତାର ଶିକାର ହୁଅନ୍ତି। ଏଥିରୁ ଯୋଗ କେତେକାଂଶରେ ଉପଶମ ଦେଇଥାଏ। ମାନସିକ ଭାରସାମ୍ୟ ଠିକ୍‌ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଏକାକ୍ଷର ଶବ୍ଦ ‘ତ’ 

ବ୍ୟଞ୍ଜନ ବର୍ଣ୍ଣ। ସେଥିରେ ଆ’କାର, ଉ’କାର, ଓ’କାର ଏବଂ ‘ର’ ଫଳା ଲଗାଇଲେ ‌ସେ ସବୁ ଏକାକ୍ଷର ହୋଇ ସୁଦ୍ଧା ଶବ୍ଦ ପାଲଟି ଯାଆନ୍ତି। ଯେମିତି ‘ତା’, ‘ତୁ’, ‘ତୋ’ ଏବଂ ‘ତ୍ରି’। ବିଶେଷ୍ୟ ପଦଭାବରେ ‘ତ’ ଅକ୍ଷର ଶବ୍ଦ ପାଲଟି ଅନେକ ଅର୍ଥ ବହନ କରେ। ସେ ସବୁ ହେଲା ଚୋର, ବୃଷ, ଅମୃତ, ପୁଚ୍ଛ, ଭ୍ରୂଣ, ରତ୍ନ ଇତ୍ୟାଦି। ପୁଣି ଅବ୍ୟୟ ପଦ ଭାବରେ ଏହା ନିଶ୍ଚୟ, ତର୍କଣା ଓ ପ୍ରଶ୍ନ ପ୍ରଭୃତି ଅର୍ଥ ବହନ କରିଥାଏ। ଆମେ କଥା କଥାରେ କହୁ ‘ତ?’। ଧରାଯାଉ ଜଣେ କେହି କହିଲେ ଆଜି ଆମ ଘରକୁ ରାମ ବାବୁ ଆସବେ। ସେଇଠି ଥାଇ ଜଣେ କହଲେ ‘ତ?’ ଏହା ଏଠାରେ ପ୍ରଶ୍ନ ଅର୍ଥରେ ବ୍ୟବହୃତ। ମାନେ ଆସିଲେ କ’ଣ ହେବ?

କଥା-ଫରୁଆ- ‘ଆତୁରେ ନିୟମ ନାସ୍ତି’

‘ଆତୁରେ’ ଅର୍ଥ ବିପଦରେ। ‘ନାସ୍ତି’ ଅର୍ଥ ନାହିଁ। ତେଣୁ ସହଜ ଓଡ଼ିଆ କଲେ ହେବ- ବିପଦ ବେଳେ ନିୟମ ମାନି ଚଳିବା ଅନାବଶ୍ୟକ। ଆମ ସାମାଜିକ ଜୀବନରେ ଗୋଟିଏ ସାଧାରଣ ଘଟଣା ହେଲା ଯେ ଯଦି ସମସ୍ତେ ନିୟମ ମାନି ନ ଚଳିବେ ତେବେ ଚାରିଆଡ଼େ ଅରାଜକତା ବ୍ୟାପିଯିବ। ଜଙ୍ଗଲ ଭଳି ହୋଇଯିବ ସମାଜ। ତେଣୁ ସାମାଜିକ ଶୃଙ୍ଖଳା ପାଇଁ ନାନା ନୀତି ନିୟମ ଲାଗୁ କରାଯାଇଛି। ମାତ୍ର ବିପଦ କାଳରେ ସେ ନିୟମ ପାଳିଲେ ଯଦି ଜୀବନ ବିପନ୍ନ ହେଉଛି ତେବେ ତା’ର ଉଲ୍ଲଂଘନକୁ ଧରାଯିବ ନାହିଁ। ଧରାଯାଉ ଠାକୁର ଘରେ ଜଣେ ବ୍ୟକ୍ତି ପୂଜା କଲାବେଳେ ପଛରେ ସାପଟିଏ ଦେଖିଲେ ଏବଂ ପ୍ରାଣ ବିକଳରେ ଠାକୁରଙ୍କ ପିଣ୍ଡିରେ ପାଦ ଦେଇ ସେ ଉପରର ସୁରକ୍ଷିତ ସ୍ଥାନକୁ ଉଠିଗଲେ। ଏଠାରେ ଠାକୁର ପିଣ୍ଡିରେ ପାଦ ଦେବା ନିୟମ ବିରୁଦ୍ଧ ହେଲେ ମଧ୍ୟ ଧର୍ତ୍ତବ୍ୟ ଅପରାଧ ହେବ ନାହିଁ। ସେଇଥିପାଇଁ କୁହାଯାଇଛି, ‘‘ଆତୁରେ ନିୟମ ନାସ୍ତି’’।

ସମ୍ବନ୍ଧିତ ଖବର