ପ୍ରକୃତ ବନ୍ଧୁ କିଏ

ତୁମ ଗପ - ରାମଚନ୍ଦ୍ର ବେହେରା

ଗୋଟିଏ ବଗିଚାରେ ଅନେକ ଫୁଲଗଛ ଥିଲା। ସେଗୁଡ଼ିକରେ ବର୍ଷ ସାରା ଫୁଲ ଭରି ରହୁଥିଲା। ଫୁଲର ସୁଗନ୍ଧରେ ପ୍ରଜାପତି ଓ ମହୁମାଛି ସେଠାକୁ ଉଡ଼ି ଆସୁଥିଲେ। ଦିନେ ଗୋଟିଏ ପ୍ରଜାପତି ଏକ ଗୋଲାପ ଫୁଲରେ ବସି ମହୁ ଶୋଷିବା ପାଇଁ ନିଜର ଲମ୍ବା ଶୁଣ୍ଢକୁ ଫୁଲ ଭିତରକୁ ବଢ଼ାଇବା ସମୟରେ, ଆଗରୁ ଫୁଲ ଭିତରେ ଛପି ରହି ମହୁ ସଂଗ୍ରହ କରୁଥିବା ମହୁମାଛିଟିଏ ଅସ୍ତବ୍ୟସ୍ତ ହୋଇ ବାହାରକୁ ଉଡ଼ି ଆସିଲା। ମହୁମାଛିକୁ ଦେଖି ପ୍ରଜାପତିଟି ଖୁବ୍ ରାଗିଗଲା ଓ ତାକୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଲା। ମହୁମାଛି ବି ପ୍ରଜାପତିକୁ ଦୁଇପଦ ଶୁଣାଇବା ପାଇଁ ଭୁଲିଲା ନାହିଁ।

ମହୁମାଛିର ଜବାବରେ କ୍ଷୁବ୍ଧ ହୋଇ ପ୍ରଜାପତି କହିଲା, ଯା..ଯା..ତୋ’ ଭଳି କୀଟ ସଙ୍ଗରେ ଝଗଡ଼ା କରି ମୁଁ ସମୟ ନଷ୍ଟ କରିବାକୁ ଚାହୁଁନି। ରାଗ ସମ୍ଭାଳି ନପାରି କହିଲା, ମୋର ସୁନ୍ଦର ରୂପକୁ ଦେଖି ଜଗତର ସମସ୍ତ ଲୋକ ଖୁସି ଅନୁଭବ କରନ୍ତି। ମୋ ରୂପ ଦେଖି ପିଲାମାନେ ମୋତେ ଧରିବାକୁ ଚେଷ୍ଟା କରନ୍ତି ଓ ମୋର ଫଟୋ ଉଠାଇ ଘରେ ସାଇତି ରଖନ୍ତି। ମୋର ସ୍ୱଭାବରେ ଖୁସି ହୋଇ ଫୁଲମାନେ ମୋତେ ସ୍ୱାଗତ କରନ୍ତି। ମୁଁ ତୁମ ଭଳି କାହାକୁ ଦଂଶନ କରେନାହିଁ। ତୁମ ଦଂଶନ ଭୟରେ ଲୋକମାନେ ତୁମକୁ ଘୃଣା କରନ୍ତି। ତେଣୁ ଲୋକମାନେ ଶ୍ରଦ୍ଧାରେ ଲଗାଇଥିବା ଫୁଲଗଛରେ ବସି ଫୁଲରୁ ମହୁ ଚୋରି କରିବା ତୁମ ଭଳି ଦୁଷ୍ଟ କୀଟର ନିନ୍ଦନୀୟ ଅପରାଧ।

ମହୁମାଛି ସବୁ କଥା ଶୁଣିଲା ପରେ ହସି ହସି କହିଲା, ମୁଁ ହେଉଛି ଗଛ ତଥା ଲୋକମାନଙ୍କର ପ୍ରକୃତ ବନ୍ଧୁ। ମୁଁ ଫୁଲରୁ ଫୁଲ ଉଡ଼ି ପରାଗ ସଙ୍ଗମ କରିବା ଦ୍ୱାରା ଲୋକଙ୍କୁ ଅଧିକ ଫଳ ମିଳିଥାଏ। ମୁଁ ମହୁ ସଂଗ୍ରହ କରି ସାଇତି ରଖିବା ଯୋଗୁଁ, ଲୋକମାନେ ତା’କୁ ମୋ ପାଖରୁ ନେଇ ସେମାନଙ୍କର କାମରେ ଲଗାନ୍ତି। ମୋ ମହୁରେ ଔଷଧୀୟ ଗୁଣ ଥିବାରୁ, ତାହା ଲୋକଙ୍କୁ ଅନେକ ରୋଗ ଦାଉରୁ ରକ୍ଷା କରେ। ମୋ ମହୁକୁ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦରେ ସେବନ କରନ୍ତି। ମୋ ମହୁ ସମସ୍ତ ପୂଜା ତଥା ଶୁଭ କାମରେ ଲାଗିଥାଏ। ମୁଁ ଲୋକଙ୍କୁ ବିନା କାରଣରେ ଦଂଶି ନଥାଏ। ମୋର ଯିଏ ଅନିଷ୍ଟ କରିବାକୁ ଚେଷ୍ଟା କରେ, ମୁଁ ତାକୁ ହିଁ ଦଂଶନ କରିଥାଏ। କିନ୍ତୁ ତୁମର ସୁନ୍ଦର ରୂପରୁ ଜନ୍ମ ନେଉଥିବା ଅଣ୍ଡା ଓ ଲାର୍ଭା, ଲୋକଙ୍କର ଅତି ପ୍ରିୟ ଗଛଲତାଙ୍କୁ ଖାଇ ସର୍ବନାଶ କରିଦିଅନ୍ତି। ଯାହାର ବଂଶଜ ଲୋକଙ୍କର ଶତ୍ରୁ,ସେ କେବେ ବନ୍ଧୁ ହୋଇ ପାରେନା।

ଏବେ କୁହ ଲୋକଙ୍କର ପ୍ରକୃତ ବନ୍ଧୁ କିଏ? ତୁମର ସୁନ୍ଦର ରୂପ ନା ମୋର ନିଃସ୍ୱାର୍ଥ ଜନସେବା। ମହୁମାଛିର କଥା ଶୁଣି, ପ୍ରଜାପତିଟି ମୁହଁ ମୋଡ଼ିଦେଇ ଦୂରକୁ ଉଡ଼ି ପଳାଇଗଲା।
ତେନ୍ତୁଳିପଦା, ଜଗତସିଂହପୁର

ସମ୍ବନ୍ଧିତ ଖବର