ଖୋଲା ଝରକା – ନୋଟିଫିକେସନ୍‌ ବଢ଼ାଉଛି ମାନସିକ ଚାପ

ସୋସିଆଲ୍‌ ମିଡିଆରୁ ନୋଟିଫିକେସନ୍‌ ଦେଖିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଏପରି କି ଫୋନ୍‌ଟି ସାଇଲେଣ୍ଟ୍‌ ଥିଲେ ମଧ୍ୟ ଜଣେ ତାହାକୁ ଚେକ୍‌ କରିଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ଆନୁମାନିକ ଦିନକୁ ୮୫ଥର ନିଜ ମୋବାଇଲ୍‌ ଚେକ୍‌ କରିଥାଏ। ଏହାର ଅର୍ଥ ଜଣେ ପ୍ରତି ପନ୍ଦର ମିନିଟ୍‌ରେ ଥରେ, ନିଜ କାର୍ଯ୍ୟରୁ ଧ୍ୟାନ ହଟାଇ ମୋବାଇଲ୍‌ ଦେଖିଥାନ୍ତି। ଯାହା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରେ ଓ କାର୍ଯ୍ୟ ‌େକ୍ଷତ୍ରରେ ମଧ୍ୟ। ଅଷ୍ଟ୍ରେଲିଆର ଡିକିନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା।

ଅଧ୍ୟୟନ ରିପୋର୍ଟ ଅନୁସାରେ ଫୋନ୍‌କୁ ବାରମ୍ବାର ଆସୁଥିବା ନୋଟିଫିକେସନ୍‌ ଯୋଗଁୁ ମନ ଅନ୍ୟମନସ୍କ ହୋଇଯାଏ। ବାରମ୍ବାର ଦେଖିବା ବା ଚେକ୍‌ କରିବା ହେତୁ ଲୋକଙ୍କ ମାନସିକ ଚାପ ବୃଦ୍ଧି ପାଇଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ, ଅଦରକାରୀ ଆପ୍‌ଗୁଡ଼ିକର ନୋଟିଫିକେସନ୍‌ ଅକାମୀ କରିଦେବା ଉଚିତ୍‌।

ଏକାକ୍ଷର ଶବ୍ଦ: ‘ଛ’

‘ଆ’କାର, ‘ଇ’କାର, ‘ଉ’କାର ବା ‘ଐ’କାର ଲାଗି ନାନା ଅର୍ଥବୋଧକ ଶବ୍ଦ ସୃଷ୍ଟି ହୋଇଥାଏ। ଯେମିତି ‘ଛୈ’ କହିଲେ ବିଶେଷଣ ପଦରେ ଏହା ଛଟକ, ଥଟ୍ଟା, ଗର୍ବ ଓ ରସିକତା ଆଦି ଶବ୍ଦକୁ ବୁଝାଇଥାଏ। ‘ଛ’ ଅକ୍ଷର ବିଶେଷ୍ୟପଦ ଭାବରେ ‘ଛେଦନ’ ଓ ‘ଗୃହ’କୁ ବୁଝାଇଥାଏ। ଆମେ ଯେ ଖିଅର ହେବାକୁ ‘‘ଛଅର ହେବା’’ କହୁ ଓ ଘର ଉପର ଚାଳ ତିଆରିକୁ ‘‘ଛପରକରିବା’’ ବୋଲି କହୁ ତା’ର ଏହି ‘ଛ’ ସହିତ ସମ୍ପର୍କ ଅଛି ବୋଲି କେହି ଅସ୍ବୀକାର କହିପାରିବେ ନାହିଁ। ପୁଣି ବିଶେଷଣ ପଦ ଭାବରେ ‘ଛ’ ଏକାକ୍ଷର ତରଳ, ନିର୍ମଳ ଓ କମ୍ପିତ ଅବସ୍ଥାକୁ ବୁଝାଇଥାଏ। ହେଲେ ଦେଶୀୟ ଭାଷାରେ ‘ଛ’ କହିଲେ ଆମେ ଛଅ ସଂଖ୍ୟାକୁ ଗ୍ରହଣ କରୁ। କଥାରେ ଅଛି ‘‘ନ’ ଛ’ ତେର, ଯେବେ ଯିବୁ ଘର, ତତେ ହବ ଜର’’। ତା’ମାନେ ଛଅଟା, ନଅଟା ବା ତେରଟା ପଦାର୍ଥ ଠିକ୍‌ ନୁହେଁ କି ଶୁଭ ନୁହେଁ।

କଥା-ଫରୁଆ – ‘ପିମ୍ପୁଡ଼ି ଦେହରେ ପର ଲାଗିବା’

ପିମ୍ପୁଡ଼ି ସାଧାରଣରେ ପକ୍ଷହୀନ। ହେଲେ ପରିଣତ ବୟସର ପିମ୍ପୁଡ଼ିମାନଙ୍କ ‌ଦେହରେ ପର ଲାଗେ। ଫଳରେ ନିଆଁ ଦେଖିଲେ ଉଡ଼ିଯାଇ ସେମାନେ ସେଥିରେ ପଡ଼ନ୍ତି ଓ ମରନ୍ତି। ଅତଏବ ପିମ୍ପୁଡ଼ି ଦେହରେ ପର ଲାଗିବା ଅର୍ଥ ଅଳ୍ପ ଦିନରେ ତା’ର ମୃତ୍ୟୁ ହୁଏ। ମାତ୍ର ସାଧାରଣରେ ଆମର ମତ ଯେ ପିମ୍ପୁଡ଼ି ଦେହରେ ପକ୍ଷ ଲାଗିଛି ମାନେ ତା’ର ଉନ୍ନତି ହୋଇଛି। ପ୍ରକୃତରେ ପକ୍ଷ କଅଁଳିବା ଉନ୍ନତି ବଦଳରେ ତା’ର ଅବନତିର କାରଣ ହୋଇଥାଏ। ତେଣୁ ଏ କଥାକଥିତ ବିକାଶ ହିଁ ତା’ର ଅବନତିର କାରଣ। ସେହିଭଳି କୌଣସି ବ୍ୟକ୍ତିର ହଠାତ୍‌ ଉନ୍ନତି ହୋଇ ସେ ଉଡ଼ିଲା ଭଳି ଲଗାମଛଡ଼ା ବ୍ୟବହାର ଦେଖାଇଲେ କୁହାଯାଏ- ପିମ୍ପୁଡ଼ି ଦେହରେ ପର ଲାଗିଛି। ଅର୍ଥାତ୍‌ ବ୍ୟକ୍ତିଟିର ଆସନ୍ନ ଅବନତି ଅନିବାର୍ଯ୍ୟ।

ସମ୍ବନ୍ଧିତ ଖବର