ଅମୂଲ ମୂଲ

ତୁମ ଗପ - ଲଳିତ ମୋହନ ମିଶ୍ର

 

ଏକ ଦୋକାନରେ ବାପାଙ୍କ ସହିତ କାମ କରୁଥିବା ପିଲାଟି ହଠାତ୍ ବାପାଙ୍କୁ ପଚାରିଲା – ‘‘ବାପା ! ଏହି ଦୁନିଆରେ ମନୁଷ୍ୟର ମୂଲ୍ୟ କେତେ?’’ ପିଲାଟିଠାରୁ ଏପରି ଏକ ଗମ୍ଭୀର ପ୍ରଶ୍ନ ଶୁଣି ବାପା ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ କହିଲେ, ପୁଅ! ମନୁଷ୍ୟର ମୂଲ୍ୟ ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। କାରଣ ମନୁଷ୍ୟ ହେଉଛି ଅମୂଲ ମୂଲ।
ତାହାହେଲେ ସମସ୍ତେ ସମାନ ଏବଂ ମୂଲ୍ୟବାନ ତଥା ଗୁରୁତ୍ୱପୂର୍ଣ୍ଣ? ହଁ ପୁଅ।
ପିଲାଟି କିଛି ବୁଝି ପାରିଲା ନାହିଁ। ସେ ପୁଣି ପଚାରିଲା- ତେବେ ସଂସାରରେ କାହିଁକି ଜଣେ ଗରିବ? ଆଉ ଜଣେ କାହିଁକି ଧନୀ? ପୁଣି ଆହୁରି କାହିଁକି ଜଗତରେ ଜଣକର କମ୍ ସମ୍ମାନ ଆଉ ଜଣକର ଅଧିକ ସମ୍ମାନ ଅଛି? ପିଲାଟିର ପ୍ରଶ୍ନ ଶୁଣିବା ପରେ ବାପା କିଛି ସମୟ ପାଇଁ ଚୁପ୍ ରହିଲେ। ତା’ପରେ ପିଲାଟିକୁ ଷ୍ଟୋର୍‌ ରୁମରେ ପଡ଼ିଥିବା ଏକ ଲୁହା ରଡ଼୍‌ ଆଣିବାକୁ କହିଲେ। ରଡ୍ ଟି ଆଣିବା ମାତ୍ରେ ବାପା ପଚାରିଲେ – ଏହାର ମୂଲ୍ୟ କେତେ ହେବ? ପିଲାଟି କହିଲା ଦୁଇଶହ ଟଙ୍କା।
ବାପା କହିଲେ – ଯଦି ମୁଁ ଏଥିରୁ ଛୋଟ ଛୋଟ ଜିନିଷ ତିଆରି କରେ, ତେବେ ଏହାର ମୂଲ୍ୟ କେତେ ହେବ? ପିଲାଟି କିଛି ସମୟ ଚିନ୍ତା କରି କହିଲା – ଏହାର ମୂଲ୍ୟ ଏକ ହଜାର ଟଙ୍କାରୁ ଅଧିକ ହେବ। ବାପା ପୁଣି କହିଲେ – ଯଦି ମୁଁ ଏହି ଲୁହା ରଡ୍‌ରୁ ଘଣ୍ଟାର ଅନେକ ସ୍ପ୍ରିଂ ତିଆରି କରିବି, ତେବେ କେତେ ମୂଲ୍ୟ ହେବ? ପିଲାଟି କିଛି ସମୟ ଗଣିବାକୁ ଲାଗିଲା। ତା’ପରେ ଉତ୍ସାହର ସହିତ କହିଲା, ଏହା ଅଧିକ ମୂଲ୍ୟବାନ ହେବ। ବାପା ତାକୁ ବୁଝାଇ କହିଲେ – ସେହିଭଳି, ମନୁଷ୍ୟର ମୂଲ୍ୟ ବର୍ତ୍ତମାନ ଯାହା ଅଛି, ତାହା ନୁହେଁ, ବରଂ ସେ ନିଜକୁ ନିଜେ ତିଆରି କରିପାରେ। ପିଲାଟି ବାପାଙ୍କର କଥା ବୁଝି ସାରିଥିଲା ।
ଆମର ବର୍ତ୍ତମାନର ସ୍ଥିତିକୁ ଦେଖି, ଯେ କେହି ନିଜକୁ ମୂଲ୍ୟହୀନ ଭାବିବା ଉଚିତ୍ ନୁହେଁ। ଆମ ଜୀବନ ସବୁବେଳେ ସମ୍ଭାବନାରେ ପରିପୂର୍ଣ୍ଣ। ବେଳେବେଳେ ଜୀବନର ପରିସ୍ଥିତି ଭଲ ନୁହେଁ କିନ୍ତୁ ଜୀବନର ମୂଲ୍ୟ ହ୍ରାସ ହୁଏ ନାହିଁ। ମଣିଷ ହେଉଛି ବହୁତ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ।
ନୟାଗଡ଼

ସମ୍ବନ୍ଧିତ ଖବର