ଖୋଲା ଝରକା: ରାସ୍ତାରେ କାହିଁକି ଲାଗିଥାଏ କ୍ୟାମେରା ସାଇନ୍ ବୋର୍ଡ
ସଡ଼କ ଦୁର୍ଘଟଣା ଦୂର କରିବା ପାଇଁ ଅନେକ ପ୍ରକାରର ଟ୍ରାଫିକ୍ ନିୟମ ପ୍ରଣୟନ କରାଯାଇଛି। ଯାହାଦ୍ୱାରା ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଏହାର କିଛି ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ ନାହିଁ। ଲୋକମାନେ ଏହି ନିୟମକୁ ଭାଙ୍ଗିଥାନ୍ତି। ଯେଉଁଥିପାଇଁ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଦୁର୍ଘଟଣା ଦୂର କରିବା ପାଇଁ ରାସ୍ତା ପାର୍ଶ୍ୱରେ ବିଭିନ୍ନ ବୋର୍ଡ ଲଗାଯାଇଛି। ସେଥିମଧ୍ୟରୁ ଦେଖିଥିବେ ରାସ୍ତା ପାର୍ଶ୍ୱରେ କ୍ୟାମେରାର ସାଇନ୍ ବୋର୍ଡ ବି ଲଗାଯାଇଛି। ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ତର୍କ ବିତର୍କ ଚାଲିଛି। ଅନେକ ଲୋକ ଏହି ଚିହ୍ନକୁ ରାସ୍ତା ପାର୍ଶ୍ୱରେ ଦେଖିଛନ୍ତି କିନ୍ତୁ ଏହାର ଅର୍ଥ ଜାଣି ନାହାନ୍ତି ବୋଲି କହିଛନ୍ତି। ଏହା ହେଉଛି ସ୍ପିଡ୍ କ୍ୟାମେରାର ସଙ୍କେତ। ଏହା ଦୁର୍ଘଟଣାର ଆଶଙ୍କା କମାଇବା ପାଇଁ ଲଗାଯାଇଛି। ଏହାକୁ ଆଗାମୀ ବିପଦ ବିଷୟରେ ଅବଗତ କରାଇବା ପାଇଁ ରଖାଯାଇଛି। କିନ୍ତୁ ଅନେକ ଲୋକ ଏହାର କିଛି ଅର୍ଥ ଜାଣନ୍ତି ନାହିଁ। ଏହି ସାଇନ ବୋର୍ଡ ବିଶେଷ ଭାବରେ ବ୍ରିଟେନ୍ରେ ବ୍ୟବହୃତ ହୁଏ। ବର୍ତ୍ତମାନ ଏହାର ପ୍ରକୃତ ଅର୍ଥ ଜାଣିବା ପରେ ଲୋକମାନେ ଏଥିରେ ଆଗ୍ରହ ଦେଖାଇଥିଲେ। ସାଇନ ବୋର୍ଡରେ ଆପଣ ଦୁଇଟି ଲେନ୍ସ ସହିତ ଏକ ସ୍ପିଡ୍ କ୍ୟାମେରା ଦେଖିବାକୁ ପାଇବେ। ଏହାର ଅର୍ଥ ହେଉଛି, ଆପଣ ସିସିଟିଭି ନଜରରେ ଅଛନ୍ତି। ହାଇୱେ କୋର୍ଡ୍ ଅନୁଯାୟୀ, ଧଳା ବ୍ୟାକ୍ଗ୍ରାଉଣ୍ଡରେ ଥିବା କଳା କ୍ୟାମେରା ସୂଚିତ କରେ ଯେ, ଆପଣ କ୍ୟାମେରାର ଲେନ୍ସରେ ଅଛନ୍ତି। ଏହା ଆପଣଙ୍କ ଗତି ନିୟନ୍ତ୍ରଣ କରୁଛି। ତେଣୁ ସାବଧାନତାର ସହ ଗାଡ଼ି ଚଳାଇବା ଉଚିତ।
Sambad is now on WhatsApp
Join and get latest news updates delivered to you via WhatsApp
କଥା-ଫରୁଆ: ବିନା ମେଘେ ବଜ୍ରପାତ
ସାଧାରଣତଃ ଆକାଶରେ ମେଘ ଥିବାବେଳେ ମେଘ ସହ ମେଘର ସଂଘର୍ଷ ଘଟି ବିଜୁଳି ବା ବିଦ୍ୟୁତ୍ ଶକ୍ତି ସୃଷ୍ଟି ହୁଏ। ଏ ଶକ୍ତି ସହଜରେ ପୃଥିବୀପୃଷ୍ଠକୁ ଆକର୍ଷିତ ହୋଇ ଆସେ। ବିରାଟ ଶବ୍ଦ ସହ ଏହା ଆକାଶରୁ ଖସି ମାଟିରେ ଲୀନ ହୋଇଯାଏ। ଏହାକୁ କେଉଁ ଅନନ୍ତ କାଳରୁ ଓଡ଼ିଆ ତଥା ଅନେକ ଭାରତୀୟ ଭାଷାରେ ବଜ୍ର ବୋଲି ଗ୍ରହଣ କରାଯାଇଛି। ମୂଳ କଥା ହେଲା ବିପରୀତ ଚୁମ୍ବକୀୟ କ୍ଷେତ୍ର ପରସ୍ବରକୁ ଆକର୍ଷିତ କଲାପରି, ମେଘରୁ ସୃଷ୍ଟ ପଜିଟିଭ୍ କ୍ଷେତ୍ର, ମାଟିର ନେଗେଟିଭ୍ କ୍ଷେତ୍ରକୁ ଟାଣି ହୋଇଆସେ। ହେଲେ ଗୋଟିଏ କଥା ସତ ଯେ ବିନା ମେଘରେ ଏ ବଜ୍ର-ସୃଷ୍ଟି ବା ବଜ୍ରପାତ ସମ୍ଭବ ନୁହେଁ। ଏଠାରେ ବଜ୍ରକୁ ବିପଦ ସହ ତୁଳନା କରାଯାଇଛି। ତେଣୁ ‘‘ବିନା ମେଘେ ବଜ୍ରପାତ’’, ବିପଦର କୌଣସି ସମ୍ଭାବନା ନ ଥିବା ସ୍ଥଳରେ ହଠାତ୍ ବିପଦ ଆସି ପହଞ୍ଚିଯିବାକୁ ବୁଝାଇଥାଏ।
ଏକାକ୍ଷର ଶବ୍ଦ ‘ଋ’
‘ଋ’ ବା ଦୀର୍ଘ ‘ଋ’ ଭାବରେ ପରିଚିତ ଏ ଅକ୍ଷରଟି ଓଡ଼ିଆ ବର୍ଣ୍ଣମାଳାର ଅଷ୍ଟମ ସ୍ବରବର୍ଣ୍ଣ। ହେଲେ ଅକ୍ଷରଟିକୁ ଆମେ ଅଭିଧାନରେ ଖୋଜି ପାଉନା। ତା’ର କାରଣ ହେଲା ଏହି ଅକ୍ଷରରୁ ଆରମ୍ଭ ହୋଇ ଆମର କୌଣସି ଶବ୍ଦ ଭାଷାକୋଷରେ ନାହିଁ। ଅଥଚ ହର୍ସ୍ବ ‘ଋ’କୁ ନେଇ ଅଛି ପ୍ରାୟ ୨୮ଟି ଶବ୍ଦ। ଋକ୍ରୁ ଆରମ୍ଭ ଋଷ୍ୟଶୃଙ୍ଗରେ ଶେଷ ହୋଇଛି। ମନରେ ପ୍ରଶ୍ନ ଉଠେ ତେବେ ବର୍ଣ୍ଣମାଳାରେ ଏ ଅକ୍ଷରଟି ଅଛି କାହିଁକି? କାରଣ ଆଦ୍ୟ ଅକ୍ଷର ନ ହେଲେ ବି ଅନ୍ୟ ଶବ୍ଦ ଗଠନରେ ଏହାର ଆବଶ୍ୟକତା ଅଛି। ଦ୍ବିତୀୟତଃ ଏକ ଏକାକ୍ଷର ଶବ୍ଦ ଭାବରେ ଏହା ଅନେକ ଅର୍ଥ ବହନ କରିଥାଏ। ଯଥା- ବିଶେଷ୍ୟ ପଦ ଭାବରେ ‘ଋ’ କହିଲେ ଶିବ, ଦୈତ୍ୟ, ସ୍ବର୍ଗ, ଦିତି, ଅଦିତି, ରକ୍ଷା, ସ୍ମୃତି ଓ ମାତା। ଅନେକ ଶବ୍ଦର ପ୍ରତିନିଧି ଭାବରେ ଏ ଅକ୍ଷର ଗୁରୁତ୍ବ ବହନ କରେ।