ରାକେଶ ଏବଂ ରମେଶ ଦୁହେଁ ଖୁବ ସାଙ୍ଗ। ଏକାଠି ସ୍କୁଲକୁ ଯାଆନ୍ତି, ଏକାଠି ଖେଳନ୍ତି। ରାକେଶ ପାଠପଢ଼ାରେ ଖୁବ ଧୁରନ୍ଧର ହେଲେ ରମେଶ ଖେଳକୁଦରେ ଖୁବ ପାରିବାର। ଦୁହେଁ ପରସ୍ପରକୁ ଏ ବିଷୟରେ ସାହାଯ୍ୟ କରନ୍ତି। ରାକେଶ ରମେଶକୁ ପାଠପଢ଼ାରେ ସାହାଯ୍ୟ କରେ ଏବଂ ରମେଶ ମଧ୍ୟ ରାକେଶକୁ ବିଭିନ୍ନ ଖେଳକସରତ ଶିଖାଇ ଖୁବ ଖୁସି ହୁଏ। ତେଣୁ ଦୁହେଁ ସ୍କୁଲରେ ସମସ୍ତ ପିଲାମାନଙ୍କ ମଧ୍ୟରେ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟ ଥିଲେ।
ସେହି ସ୍କୁଲରେ ମୋହନ ନାମକ ଏକ ଦୁଷ୍ଟ ପ୍ରକୃତିର ପିଲା ଥାଏ। ସେ ରାକେଶ ଏବଂ ରମେଶଙ୍କ ଶ୍ରେଣୀରେ ପଢ଼ୁଥିଲା। ରାକେଶ ଏବଂ ରମେଶକୁ ନେଇ ତା’ ମନରେ ଭାରି ଈର୍ଷା ହେଉଥାଏ।
ଥରେ ସେ ରାଗରେ ସେମାନଙ୍କୁ ପାନେ ଦବ ବୋଲି ଚିନ୍ତାକଲା। ଦୁଇ ସାଙ୍ଗ ଯେଉଁ ରାସ୍ତାରେ ସ୍କୁଲକୁ ଯା’ନ୍ତି, ସେହି ରାସ୍ତାରେ ଏକ ଛୋଟିଆ ଜଙ୍ଗଲ ପଡ଼େ। ମୋହନ ସେହି ରାସ୍ତାରେ ଏକ ଗାତ ଖୋଳି ତାହାକୁ ଡାଳପତ୍ରରେ ଲୁଚାଇ ଦେଲା। ଦୁଇସାଙ୍ଗ ଆସି ସେହି ଗାତରେ ପଡ଼ିଲେ ମଜା ଦେଖିବ ବୋଲି ଭାବି ମୋହନ ସେହି ପାଖରେ ଏକ ଗଛ ଉପରେ ଚଢ଼ି ଅପେକ୍ଷା କଲା।
ଦୁଇସାଙ୍ଗ ଆସିଲେ। କିନ୍ତୁ ଗାତ ପାଖରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଖୁବ ଜୋର୍ରେ ପବନ ବହିଲା। ଗାତରୁ ଡାଳପତ୍ର ଉଡ଼ିଗଲା। ମୋହନ ବସିଥିବା ଗଛର ଡାଳଟି ଭାଙ୍ଗିଗଲା। ମୋହନ କଚାଡ଼ି ହୋଇ ସେହି ଗାତରେ ପଡ଼ିଗଲା। ରାକେଶ ଏବଂ ରମେଶ ନିଜ ସାଙ୍ଗକୁ ଗାତରେ ପଡ଼ିଯିବାର ଦେଖି ଧାଇଁଆସି ଉଦ୍ଧାର କଲେ।
ଏ କଥା ଦେଖି ମୋହନ ନିଜର ଭୁଲ ବୁଝିପାରିଲା। ସେ କାନ୍ଦିକାନ୍ଦି ସବୁ ସତକଥା କହିଦେଲା।
ଈର୍ଷା କଲେ ନିଜର ହିଁ କ୍ଷତି ହୋଇଥାଏ।
ନୟାପଲ୍ଲୀ, ଭୁବନେଶ୍ୱର