ତୋ କଥାରେ ପଡ଼ିବିନି

ତୁମ କାହାଣୀ - ରିନୁ ନାୟକ

ଆଗରେ କଣା ସିଂହ ପଛରେ ଛୋଟା ବିଲୁଆ। କଣା ସିଂହ ଯୋଉଠି ଛୋଟା ବିଲୁଆ ସେଇଠି। ମଝିରେ କେଇଦିନ ବିଲୁଆ ସିଂହ ପାଖକୁ ଆସୁ ନ ଥିଲା। ପରେ ପୁଣି ତା’ ଗୋଡ଼ ଛୋଟା ହୋଇଯାଇଥିବା ଯୋଗୁ ସେ ଶିକାରୀକୁ ବି ଗୋଡ଼େଇ ପାରିଲାନି। ତେଣୁ ଉପାସ ରହିଲା। ଆଗରୁ ସିଂହର ଅଇଁଠା ହେଲେ ମଧ୍ୟ ତାକୁ ପେଟ ପୂରା ମାଉଁସ ଖାଇବାକୁ ମିଳିଯାଏ। ତେଣୁ ଉପାୟ ନ ପାଇ ବିଲୁଆ ପୁଣି ସିଂହ ପାଖକୁ ଆସିଲା। ଦୁହେଁ ମିଳିମିଶି ଖାଇଲେ। ତେବେ ବିଲୁଆର ଗୋଡ଼ ଆଉ ଭଲ ହେଲା ନାହିଁ।

ଦିନେ ଛୋଟା ବିଲୁଆ କଣା ସିଂହକୁ କହିଲା- ମୁଁ ଶୁଣିଲି, ଗୋଟାଏ ବଣୁଆ ଶିକାରୀ ସବୁଦିନେ ଜଙ୍ଗଲକୁ ଆସେ। ସେ ଏମିତି ତୀର ମାରେ ଯେ ଶିକାର କୁଆଡ଼େ ଖସିବାକୁ ବି ଉପାୟ ପାଏ ନାହିଁ। ଯଦି ଶିକାରୀ ଜଙ୍ଗଲରୁ ସବୁ ହରିଣ, ଠେକୁଆ ଶିକାର କରି ନେଇଯାଏ, ତେବେ ଆମେ କ’ଣ ଖାଇବା? କିଛି ଗୋ‌ଟାଏ କରିବାକୁ ହେବ। ସିଂହ କହିଲା- ମୁଁ ଆଗ ଶିକାରୀର ତୀର ଚାଳନା ଦେଖେ ତା’ପରେ ଭାବିବି।

ପରଦିନ ଜଙ୍ଗଲକୁ ପଡ଼ିଥିବା ରାସ୍ତା ମୁହଁରେ ଏକ ବୁଦା ଭିତରେ ବିଲୁଆ ଲୁଚି ରହିଲା। ଶିକାରୀ ଆସି ଦେଖିଲା ଗଛ ଡାଳରେ ଦଶ କୋଡ଼ିଏଟି କପୋତ ବସିଛନ୍ତି। ସେ ଲାଗିଲାଗି ତିନୋଟି ତୀର ମାରିଲା। କପୋତଗୁଡ଼ିକ ତଳକୁ ଗଳିପଡ଼ିଲେ। ଏହି ସମୟରେ ବିଲୁଆ ଡାକ ଦେବାରୁ ସିଂହ ଦୌଡ଼ିଲା। ପହଞ୍ଚି ଦେଖିଲା ଯେ ମା’ କପୋତଟି ଉଡ଼ିଯାଉଥିବା ବେଳେ ଶିକରୀ ନିଜ ତୀରରେ ତାକୁ ବି ତଳକୁ ଖସେଇ ଦେଲା। ଶିକାରୀର ଏହିପରି ଲକ୍ଷ ଦେଖି ଖଣ୍ଡେ ଦୂରରେ ଅଟକି ଗଲା ସିଂହ। କପୋତଗୁଡ଼ିକୁ ଧରି ଶିକାରୀ ଚାଲିଗଲା। ସିଂହ ତାକୁ ଅନାଇ ରହିଥିବାର ଦେଖି ବିଲୁଆ କହିଲା-କ’ଣ ଅନେଇଛ? ଡରିଗଲ କି? ସିଂହ କହିଲା- ତା’ ଲକ୍ଷ୍ୟ ପାଖରେ ମୋ ବଳ କିଛି ନୁହେଁ। ଯିଏ ଉଡ଼ନ୍ତା କପୋତକୁ ତୀର ମାରି ଖସେଇ ଦେଲା, ସେ ନିହାତି ମତେ ସହଜରେ ମାରିଦେବ ନ ହେଲେ ଖଣ୍ଡିଆ ଖାବରା କରିଦେବ, ତା’ର କୌଶଳ ଦେଖି ମୋ ସାହାସ କମିଯାଉଛି। ସାହାସ କମିଲେ ବଳ ବି କମିଯାଏ। ତୋ’ ବୁଦ୍ଧିରେ ଏମିତି ଆଗରୁ ଗୋଟିଏ ଶିକାରୀ ପଛରେ ଗୋଡ଼ାଇ ମୋର ଗୋଟିଏ ଆଖି ହରେଇଛି। ଆଉ ତୋ ବୁଦ୍ଧିରେ ପଡ଼ିବି ନାହିଁ।

ସପ୍ତମ ଶ୍ରେଣୀ, ଶ୍ରୀରାମପଦା ସ୍କୁଲ, ଜୀ ଉଦୟଗିରି, କନ୍ଧମାଳ

ସମ୍ବନ୍ଧିତ ଖବର