ମଣିଷ ସ୍ୱଭାବ

ସ୍ୱଦେଶ ରାଉତ

ଦିନେ ଗୋଟିଏ ଦେଶରେ ରାଜା ଓ ମନ୍ତ୍ରୀ ଦୁହେଁ ପୋଷାକ ବଦଳାଇ ନଗର ପରିକ୍ରମା କରୁଥାଆନ୍ତି। ସମୟ ବିଳମ୍ବ ହେବାରୁ ସଂଧ୍ୟା ଆସି ପହଞ୍ଚିଲା। ରାଜା ଓ ମନ୍ତ୍ରୀ କିଛି ଉପାୟ ନ ପାଇ ଗ୍ରାମ ପାଖରେ ଥିବା ଏକ ବୃକ୍ଷ ଉପରେ ଚଢ଼ି ବିଶ୍ରାମ କଲେ।

କିଛି ସମୟ ପରେ ଜଣେ ଲୋକ ଆସି ସେହି ଗଛ ମୂଳେ ବେହୋସ୍‌ ହୋଇ ପଡ଼ିଗଲା। ରାଜା ଏହା ଦେଖି ଗଛ ଉପରୁ ତଳକୁ ଆସିବାକୁ ଉଦ୍ୟମ କଲେ। ଲୋକଟିର ଏପରି ଅବସ୍ଥା ଦେଖି ରାଜାଙ୍କ ମନ ଦୁଃଖରେ ଭରିଗଲା। କିନ୍ତୁ ମନ୍ତ୍ରୀ ରାଜାଙ୍କୁ ତଳକୁ ଯିବାକୁ ମନା କଲେ।

ରାଜା କିଛି କହିବା ପୂର୍ବରୁ ଜଣେ ଲୋକ ସେଠାରେ ଆସି ପହଞ୍ଚିଲା। ସେ ଲୋକଟି ଚୋର। ତଳେ ବେହୋସ୍‌ ହୋଇ ପଡ଼ିଥିବା ଲୋକକୁ ଦେଖି କହିଲା, ଏ ଜଣେ ଚୋର ଭଳି ଜଣା ପଡ଼ୁଛି। ଚୋରି କରି ଫେରିବା ସମୟରେ ବୋଧହୁଏ ପଡ଼ିଯାଇଛି। ଏଠାରୁ ପଳାଇବା ଭଲ। ନହେଲେ ଲୋକଙ୍କ ହାତରେ ଧରା ପଡ଼ିଯିବି। ଏହା କହି ସେ ଲୋକଟି ସେଠାରୁ ଦୌଡ଼ି ପଳାଇଗଲା।

ଚୋରଟି ଚାଲି ଯିବା ପରେ ପୁଣି କିଏ ଜଣେ ଆସିବାର ଶବ୍ଦ ହେଲା। ଆସୁଥିବା ଲୋକଟି ଜଣେ ମଦ୍ୟପ। ଗଛ ତଳେ ପଡ଼ିଥିବା ଲୋକଟିକୁ ଦେଖି କହିଲା, ଜଦି ସମ୍ଭାଳି ପାରୁ ନାହୁଁ, ଏତେ ପିଉଥିଲୁ କାହିଁକି? ସେହି ମଦ୍ୟପଟି ଢ଼ଳି ଢ଼ଳି ସେଠାରୁ ପଳାଇଲା।

ମଦ୍ୟପଟି ଚାଲିଯିବା ପରେ ସେଠାରେ ଆଉ ଜଣେ ଆସି ପହଞ୍ଚିଲେ, ସେ ଜଣେ ସନ୍ୟାସୀ। ଲୋକଟିକୁ ଗଛ ତଳେ ପଡ଼ିଥିବାର ଦେଖି ସେ ଭାବିଲେ, ଜଣା ପଡ଼ୁଛି ଏ ଜଣେ ସାଧୁ ଲୋକ। କଠିନ ତପସ୍ୟା କାରଣରୁ ବେହୋସ୍‌ ହୋଇ ପଡ଼ିଯାଇଛି। ସେ ନିଜ କମଣ୍ଡଳରୁ ପାଣି ଆଣି ବେହୋସ୍‌ ଲୋକ ମୁଣ୍ଡରେ ଓ ମୁହଁରେ ଛିଞ୍ଚିଲେ। ଲୋକଟି ଚେତା ଫେରି ପାଇଲା। ସନ୍ୟାସୀ ସେ ଲୋକଟିକୁ ସାଥିରେ ଧରି ନିଜ ଆଶ୍ରମକୁ ନେଇଗଲେ।

ରାଜା ସମସ୍ତ ଘଟଣାକୁ ଲକ୍ଷ କରୁଥିଲେ। ଜଣେ ବ୍ୟକ୍ତି ଉପରେ ଭିନ୍ନ ଭିନ୍ନ ମତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ମନେ ମନେ ଭାବିଲେ ମୋ ଉପରେ ତ ଲୋକମାନେ ଏହିଭଳି ଭିନ୍ନ ଭିନ୍ନ ମତ ଦେଉଥିବେ। ରାଜାଙ୍କର ଏହି ପ୍ରକାର ଭାବନା ଦେଖି ମନ୍ତ୍ରୀ କହିଲେ, ମହାରାଜା! ଆପଣ ଏଭଳି ଚିନ୍ତା କରନ୍ତୁ ନାହିଁ। ଏହା ତ ମାନବ ସ୍ବଭାବ। ସେ ନିଜ ସ୍ବଭାବରେ ଅନ୍ୟ ଜଣକୁ ଦେଖିବ। ତେଣୁ ବେହୋସ୍‌ ଲୋକକୁ ଚୋର ଭାବିଲା ଚୋର, ମଦ୍ୟପ ଭାବିଲା ମଦୁଆ ଓ ସନ୍ୟାସୀ ଭାବିଲେ ସାଧୁ।

ଅଷ୍ଟମ ଶ୍ରେଣୀ,ବାହାଡ଼ଝୋଲା, ନୟାଗଡ଼

ସମ୍ବନ୍ଧିତ ଖବର